Unknown

 

 

 

 

 

 

 

 

 

 

 

ମଧୁମିତା

ରମାକାନ୍ତ ମିଶ୍ର

 

ଏ ରଚନାର ପ୍ରଥମ ପରିଚ୍ଛେଦଟି ଲେଖି ସାରିବା ପରେ ତାକୁ ମୋର ବହୁ ରଚନାବିଳାସୀ ପଢ଼ିଛନ୍ତି । ମନ୍ତବ୍ୟ ଦେଇଛନ୍ତି । କିନ୍ତୁ ତା ପରେ ମଧ୍ୟ ମୁଁ ମୋର ପରିକଳ୍ପନାର ସାର୍ଥକ ସୃଷ୍ଟି କରି ପାରିବିନି ବୋଲି ନିଜ ଉପରୁ ଭରସା ହରେଇ ଦେଇଥିଲେ ।

 

କାରଣ ଥିଲା ଯଥେଷ୍ଟ । ଅଳ୍ପଦିନ ବ୍ୟବଧାନ ପରେ—

 

ସାହିତ୍ୟିକ, ନାଟ୍ୟକାର, କବି ଓ କଳାକୁଶଳୀ ଅଧ୍ୟାପକ ଶ୍ରୀ ନାରାୟଣ ଶତପଥ (ମୋର ଅଧ୍ୟପକ ଓ ପଥପ୍ରଦର୍ଶକ) ସେଇ ପରିଚ୍ଛେଦ ଉପରେ ମୋତେ ପ୍ରଶ୍ନ କଲେ । ମୁଁ ବା କ’ଣ ଉତ୍ତର ଦିଅନ୍ତି ? ଲେଖୁ ଲେଖୁ ତ ଲେଖି ଯାଇଛି ।

 

ତେବେ ମୁଁ ଅଧ୍ୟାପକ ମହାଶୟଙ୍କ ନିକଟକୁ ଏ ସମ୍ବନ୍ଧୀୟ ଅନେକ ଶୁଣିଲି । ଉଦାହରଣ ଗ୍ରହଣ କଲି । ପ୍ଲଟକୁ ସାଧାରଣତଃ ରଚନା ସମୟରେ କିପରି ସସପେନ୍ସ ସୃଷ୍ଟି କରି ଆଗେଇ ନେଇ ହେବ ଏବଂ କ୍ଲାଇମାକ୍ସରେ ବିଂଶ ଶତାଦ୍ଦୀୟ ବିଜ୍ଞାନୀକାର ଅପଳାନ ନକରି ଲେଖି ହେବ ତାହା ଶୁଣିଲି । ଏ ସବୁ ପାଇଁ ପୂଜ୍ୟ ଅଧ୍ୟାପକଙ୍କ ନିକଟରେ ମୁଁ ଅନୁଗୃହୀତ ।

 

ଉଚ୍ଚାଙ୍ଗ ସାହିତ୍ୟ-ସଂସ୍କୃତି-ପ୍ରିୟ ବଂଧୁ ଶ୍ରୀ ଉଦୟନାଥ ଦାସଙ୍କ ସହ ପ୍ରତ୍ୟକ୍ଷ ବିଭିନ୍ନ ଆଲୋଚନାର ପ୍ରସଙ୍ଗ ମୋତେ ପରୋକ୍ଷରେ ଏ ରଚନା ପାଇଁ ପ୍ରେରଣା ଦେଇଛି । କଂତୁ ତାଙ୍କର ପ୍ରେତତତ୍ତ୍ୱ ସମ୍ବନ୍ଧୀୟ ଗୂଢ଼ ତଥ୍ୟକୁ ହୃଦୟଙ୍ଗମ କରି ନପାରି ଲେଖିଛି ଠିକ୍ ତାର ଓଲଟା ।

 

ବିଦ୍ୟୋତ୍ସାହୀ, ପଠନବିଳାସୀ, ନିଷ୍ଠାପର, ସୁସଂସ୍କୃତଜ୍ଞ ବଂଧୁ ଶ୍ରୀ ହରେକୃଷ୍ଣ ପଣ୍ଡାଙ୍କର ଉକୃଷ୍ଟ ପରିବେଶର ଅନୁଚିନ୍ତା ପାଇଁ ପ୍ରେରଣା, ବହୁ ବାସ୍ତବ ଅବାସ୍ତବ ଘଟଣାର ଉଦାହରଣ, ଷ୍ଟେନଲେ ଗାର୍ଡନରଙ୍କ ସୃଷ୍ଟି ପେରିମେଶନଙ୍କ ଡିଟେକସନ୍ ସମ୍ୱନ୍ଧୀୟ ସମ୍ୟକ୍ ଧାରଣା ହିଁ ‘ମଧୁମିତା’ ର ରଚନାକୁ ପୂର୍ଣ୍ଣାଙ୍ଗ କରି ତୋଳିଛି ।

 

ଏକାଧାରରେ ସାହିତ୍ୟିକ, ସଂପାଦକ, ଗାଳ୍ପିକ, ଔପନ୍ୟାସିକ ବଂଧୁ ଶ୍ରୀ ଯତୀନ୍ଦ୍ର କୁମାର ଦାସ ଏହାକୁ ପଢ଼ି ଅନେକ ସ୍ଥଳରେ ପରିବର୍ତ୍ତନ ଓ ପରିବର୍ଦ୍ଧନ ପାଇଁ ପରାମର୍ଶ ଦେଇଛନ୍ତି ।

 

ପ୍ରକାଶକ ବଂଧୁ ଶ୍ରୀ ଭାସ୍କରଚନ୍ଦ୍ର ପାତ୍ରଙ୍କ ଏ ବହି ପ୍ରକାଶନରେ ଆଗ୍ରହ ଅଭୀପ୍‍ସା ପାଇଁ ଧନ୍ୟବାଦ ଜଣାଉଛି ।

ଏ ସମସ୍ତଙ୍କର ସାହାଯ୍ୟ, ସହାନୁଭୂତି ତଥା ପ୍ରେରଣା ଓ ଉତ୍ସାହର ଉଚ୍ଛ୍ୱାସ ପାଇଁ ମୁଁ ସେମାନଂକ ନିକଟରେ ନତମସ୍ତକ ।

 

ଦଶହରା ୧୯୬୮

 

ଷ୍ଟୋନି ରୋଡ

ରମାକାନ୍ତ ମିଶ୍ର

କଟକ-2

 

Image

 

ଦଶମୀ ଜହ୍ନ ସମାଧି ନେଲାଣି ।

 

ଶର୍ବରୀର ନିର୍ଜ୍ଜନତା ବଢ଼ି ଚାଲିଛି । କୃଷ୍ଣାଂଗୀ ରାତ୍ରି ଗଭୀର ହୋଇ ଆସୁଚି । ତାରକାଖଚିତ ଆକାଶ ବକ୍ଷରୁ ଖସୁଚି ଶିଶିର ବିଂଦୁ ।

 

ସୌମିତ୍ର ସଙ୍ଗେ ସଙ୍ଗେ ଉଠି ବସିଲା । ଚିତ୍ତରେ ତାର ଚାଞ୍ଚଲ୍ୟ । ପ୍ରାଣ ତଳେ ଏକ ଅଦ୍ଭୁତ ଚମକ ।

 

ସେ ଚାହିଁଲା । ଅର୍ଦ୍ଧ ନିମୀଳିତ ଚକ୍ଷୁ ତାର ଘୂରି ବୁଲିଲା ପ୍ରକୋଷ୍ଠର ଚତୁର୍ଦ୍ଦିଗକୁ । କିଛି ନାହିଁ । ଖାଲି ଅନ୍ଧାର । ବହଳ ଅନ୍ଧାରରେ ଡୁବିଚି ସାରା କୋଠରୀଟା ।

 

କିଛି କେଉଁଠି ହେଲେ ତାର ଦୃଷ୍ଟି ଆକର୍ଷଣ କଲା ନାହିଁ ।

 

କରୁଣ କ୍ରନ୍ଦନର ଧ୍ୱନି ଭାସି ଆସୁଚି...

 

କାନପତି ଶୁଣିଲା ସୌମିତ୍ର ।

 

ସତେ କିଏ ଫୁଲି ଫୁଲି କାନ୍ଦି ଉଠୁଚି । ଖୁବ୍ କରୁଣ ଆଉ ମର୍ମସ୍ପର୍ଶୀ ସେ ସ୍ୱର...

 

କାହାର ଏ କ୍ରନ୍ଦନ ? ପୁଣି ଏତେ ରାତିରେ !

 

ସୌମିତ୍ର ଭବନାରେ ରଜ୍ଜୁରେ ଛନ୍ଦି ହୋଇ ପଡ଼ିଛି । ଅତି ପରିଚିତ ସ୍ୱର ଭଳି ତାର ମନେ ହେଉଛି । ତଥାପି ତାହା ନିହାତି ଅସଂଭବ, ଅହେତୁକ ।

 

ମନ ପ୍ରାଣ ଦେଇ ଶୁଣୁଚି ସୌମିତ୍ର ।

 

ବହୁ ବ୍ୟଥା ବେଦନା ଭରି ରହିଚି ସେ ସ୍ୱରରେ...

 

ଅତି ଜାଣାଶୁଣା ସ୍ୱର ଭଳି ତାର ମନେ ପଡ଼ୁଛି । ବିସ୍ମୟ ବ୍ୟାକୁଳ ହୋଇ ଉଠିଲା ସୌମିତ୍ର ।

 

ତିନିବର୍ଷ ତଳେ ।

 

ମଧୁମିତା ଥିଲା । ମଧୁମିତା ସୌମିତ୍ରର ସହଧର୍ମିଣୀ, ପତ୍ନୀ । ସେ ତାର ପ୍ରାଣ । ତାର ଚେତନା ଜାଗୃତି ସବୁକିଛି ସେ ଥିଲା । ତା’ ଜୀବନର ସଂପୂର୍ଣ୍ଣତା ଆସିଥିଲା ମଧୁମିତାକୁ ପାଇ । ମରୁ ଜୀବନକୁ ସବୁଜ ସୁନ୍ଦର କରି ଗଢ଼ି ତୋଳିବାର ସ୍ୱପ୍ନ ସେ ଦେଖିଥିଲା ମଧୁମିତାକୁ ନେଇ ।

 

କିଂତୁ ଆଜି ନାହିଁ । ସେ କମନୀୟ କଳ୍ପନା ରାଜି ହୋଇଚି ଧୂଳିସାତ୍ । ସେ ମଧୁର ଅନୁଭବ ଉଚ୍ଛ୍ୱାସ ହ୍ୱଦୟ ମଧ୍ୟରୁ ନିଶ୍ଚିହ୍ନ ହୋଇ ଗଲାଣି କେତେ ଦିନୁ । ମଧୁମିତା ଯାଇ ସେ ପାରିରେ । ତାର ବିୟୋଗ ସୌମିତ୍ର ପକ୍ଷରେ ଅତି ଅସହନୀୟ, ଅଭାବନୀୟ ।

 

କେତୋଟି ଶ୍ରାବଣର ମଧୁସ୍ମୃତି, କେତେ ଶୀତର ଶିହରଣ ଭରା ମୁହୂର୍ତ୍ତ ଅବିସ୍କୃତ ହୋଇ ରହିଚି । ସୌମିତ୍ରର ମନ ବୃନ୍ଦାବାନରେ ତାହା ସୃଷ୍ଟି କରିଚି ରଂଗ । ମନସ-ମହୋଦଧିରେ ସୃଷ୍ଟି କରିଚି ବହୁ ତରଂଗ ।

 

ସେ ଦିନର ସେଇ ଅଶୁଭ ରାତ୍ରିର କଥା ଗୋଟି ଗୋଟି ହୋଇ ତାର ମନେ ଅଛି ।

 

ରାତ୍ରିର ମଧ୍ୟଭାଗ । ଶୁଭଂକରୀର କୌଣସି ଚିହ୍ନ ଖୋଜି ପାଇ ନ ଥିଲା ସେ ଦିନ । ନିବିଡ଼ ଅଂଧକାର ଭିତରେ ସେ ଆଲୋକର ଅନୁସନ୍ଧାନର କରି ମଧ୍ୟ ବିଫଳ ହୋଇଥିଲା । ମଧୁମିତା ରୋଗ ଶଯ୍ୟାରେ । ସମସ୍ତ ପ୍ରକାରର ଉପଚାର କରିଛି । ସେ ବିନିଯୋଗ ବଂଧୁ ସୁହୃଦ ତାକୁ ସାନ୍ତ୍ୱନା ଦେଇଛନ୍ତି । ସାହାଯ୍ୟ ସହାନୁଭୂତି ଅଜାଡ଼ି ହୋଇ ପଡ଼ିଛି । କିନ୍ତୁ ପରିଶେଷରେ ସବୁକିଛି ପରିଣତ ହୋଇଛି ନିଷ୍ଫଳ ବ୍ୟର୍ଥତାରେ । ମଧୁମିତାର ପ୍ରାଣପକ୍ଷୀ ଉଡ଼ି ଯାଇଛି । ସେଇ ନିର୍ଦ୍ଦିଷ୍ଟ ପରିବେଶ ମଧ୍ୟକୁ ସେ ଆଉ ଫେରିବ ନାହିଁ ।

 

ଅସ୍ତଗାମୀ ସୂର୍ଯ୍ୟ କ’ଣ କେବେ ପୂର୍ବକୁ ଲେଉଟେ ?

 

ତିନିବର୍ଷ ତଳେ ସୌମିତ୍ର ନିଜେ ମଧୁମିତାର ପ୍ରାଣହୀନ ଶରୀରଟାକୁ ମୁକ୍ତିଘାଟ ଶ୍ମଶାନରେ ଜାଳି ଦେଇଥିଲା । ସେଇଠି ମଧୁମିତାର ଲହୁଣୀ ଭଳି ତନୁତନିମା ପୋଡ଼ି ପାଉଁଶ ହୋଇ ଯାଇଛି ।

 

ଠିକ୍ ଏଇ ସ୍ୱର...ଏଇମିତି କଇଁ କଇଁ କାନ୍ଦ !

କିଏ ତେବେ ଆଉ ? କାହାର ଏ’ ମର୍ମଭେଦୀ ସ୍ୱର ଲହରୀ ?

ପୁଣି ଏଭଳି ଚାପାକଣ୍ଠରେ କାନ୍ଦିବାର କାରଣ ?

ଭାସି ଆସୁଥିବା ସ୍ୱରକୁ ସ୍ପଷ୍ଟ ଭାବେ ଶୁଣିବା ପାଇଁ ସେ କାନ ଦେଲା । ମନ ଧ୍ୟାନ ଦେଇ ଶୁଣିଲା । ସେଇ ସ୍ୱର... ସେଇଭଳି କାନ୍ଦ !

ମଧୁମିତା କାନ୍ଦୁଥିଲା ଏମିତି । ତା’କଣ୍ଠର ସ୍ୱର ଠିକ୍ ଏଇଭଳି । ତେବେ କ’ଣ ମଧୁମିତା-?

ନା’ ଅସମ୍ଭବ । ତା’ ସଂବଂଧରେ ପରିକଳ୍ପନା ବି କରାଯାଇ ପାରେନା । ସଂପୂର୍ଣ୍ଣ ଭିତ୍ତିହୀନ । ମରୀଚିକା ଭଳି ଅସତ୍ୟ, ଅବାସ୍ତବ ।

ମଧୁମିତା କ’ଣ ବଂଚିଛି ? ମୁକ୍ତିଘାଟରେ ଜାଳି ଦେଇ ଆସିବା ପରେ ମଧ୍ୟ ସେ ଜୀବିତ-?

ଆଶ୍ଚର୍ଯ୍ୟ ଚକିତ ହୋଇ ଏଣେ ତେଣେ ଚାହୁଁଥିଲା ସେ । ପୁଣି କାନ ଦେଇ ଶୁଣିଲା । ନା, ଏ ଆଉ କାହାର ହୋଇ ନପାରେ । ଠିକ୍ ଏମିତି ମଧୁମିତାର ସ୍ୱର, କାନ୍ଦ ।

ତେବେ ଇଏ କ’ଣ ମଧୁମିତାର ଅଶରୀରୀ ଆତ୍ମା ! କାଳେ ଏହା ତାର ଆତ୍ମାର କ୍ରନ୍ଦନ ହୋଇପାରେ ! ତାର ଆତ୍ମା ଏ ଘରର ଚତୁର୍ଦ୍ଦିଗରେ ଘୁରୁ ଥାଇ ପାରେ । ତେବେ ଏ ଦୀର୍ଘ ଦିନର ବ୍ୟବଧାନ ପରେ ସେ ଆଜି କାହିଁକି ଏମିତି ଶୁଣୁଚି ?

 

କେତେ ରାତ୍ରିର ନିର୍ଜ୍ଜନ ମୁହୂର୍ତ୍ତରେ, ଶୀତର ଶୀର୍ଣ୍ଣ ବେଳାରେ ସେ ମଧୁମିତାର ପ୍ରତିମାକୁ ଆହ୍ୱାନ ଜଣାଇଛି । ବାସ୍ତବରେ ନହେଲେ ମଧ୍ୟ ସ୍ୱପ୍ନରେ ସେ ଚାହିଁଛି ମଧୁମିତାର ସାନିଧ୍ୟ । ସ୍ମୃତିର ଅନୁଭବ ।

 

ବସନ୍ତର ଉତ୍ତରଳ ମୁହୂର୍ତ୍ତରେ ସୌମିତ୍ରର ମନ, ବିରହୀ ଚକୋର ଭଳି ଛଟପଟ ହୋଇଛି ମଧୁମିତାର ସାମାନ୍ୟତମ ସ୍ୱପ୍ନିଳ ସାନିଧ୍ୟ ନପାଇ ।

 

ଲୋକେ କହନ୍ତି ମଣିଷ ଯାହା ସମ୍ୱନ୍ଧରେ ବିଶେଷଭାବେ ଚିନ୍ତା କରେ ଯାହା ପାଇଁ ତାର ଧ୍ୟାନ ମନ ଅତିମାତ୍ରାରେ ରହେ ତାକୁ ହିଁ ରଜନୀର କୌଣସି ବେଳାରେ ହେଲେ ସ୍ୱପ୍ନ ଆକାରରେ ଦେଖେ । କିଂତୁ ସୌମିତ୍ର ଏମିତି ମଧୁମିତା ସଂପର୍କରେ ଭାବି ଭାବି ରାତି କଟେଇ ଦେଇଛି, ମଧୁମିତା ପ୍ରେମ ଅନୁରାଗର ଚିନ୍ତାରେ ତା’ ହୃଦୟ କନ୍ଦରକୁ ଭରି ଦେଇଛି । କିନ୍ତୁ କାହିଁ ଦିନେ ହେଲେ ତ ସେ ତାର ପ୍ରତିକୃତିର ଦର୍ଶନ ପାଇଲା ନାହିଁ ? ସ୍ୱପ୍ନରେ ସାକ୍ଷାତର କୌଣସି ସୂଚନା ବି ତା’ ନିକଟରେ ସ୍ପଷ୍ଟ ହୋଇ ନାହିଁ ।

 

ହୃଦୟର ବେଳାଭୂମିରେ ଦ୍ୱନ୍ଦ୍ୱର ଅଗଣିତ ଲହରୀ ସବୁ ମୁଣ୍ଡ ପିଟୁଛନ୍ତି । ସୌମିତ୍ରର ଆଖିରୁ ନିଦ ଅପସରି ଯାଇଛି । ମାନସିକ ଅଶାନ୍ତ, ଅତୃପ୍ତି ଭିତରେ ସେ ବ୍ୟସ୍ତ ବିବ୍ରତ ।

 

ଡିସେମ୍ୱର ମାସ ।

 

ସଂଧ୍ୟା ଆସିଗଲେ ଆଉ ଏଠାରେ ବାହାରକୁ ବାହାରି ହୁଏ ନାହିଁ । ବାହାରେ ଶିଶିରର ଝଡ଼ ।

 

ରାତ୍ରିର ସେଇ ଅଂଧକାର କକ୍ଷରେ ସୌମିତ୍ର ଶୁଣୁଛି ସେଇ କରୁଣ ବିଳାପ । ଦେହ ସାରା ଝାଳରେ ଭିଜି ଗଲାଣି । ଶୋଇଲାବେଳେ ଶେଯ, ଚଦର ଘୋଡ଼ାଇ ହୋଇ ଶୋଇଥିଲା । କିଂତୁ ବର୍ତ୍ତମାନ ସେ ଆଶ୍ଚର୍ଯ୍ୟ ହେଉଛି । ଅଜଣା ଏକ ଆଶଂକାରେ ସେ ବିଚଳିତ ହୋଇ ପଡ଼ୁଛି । ପ୍ରକୃତରେ ସେ ଆଜି ବଡ଼ ଭୀତତ୍ରସ୍ତ । ଭୟରେ ପ୍ରକଂପିତ ହେଉଛି ତାର ଶରୀର ।

 

ବଡ଼ ଅବଶ କ୍ଲାନ୍ତି ତା’ ଦେହରେ ଭରି ଯାଇଛି ଯେମିତି ।

 

ହଠାତ୍ ସେ ପଛକୁ ବୁଲି ଚାହିଁଲା । ଯାହା ଦେଖିଲା, ସେଥିରେ ତାର ଦେହସାରା ଆହୁରି କେତେ ଗୁଣରେ ପ୍ରକଂପିତ ହେବାକୁ ଲାଗିଲା ।

 

ହୃଦୟ ଭିତରର ସମସ୍ତ ଗତି ବନ୍ଦ ହୋଇଗଲାଭଳି ଅନୁଭବ କଲା ସେ । ଶରୀରର ସମସ୍ତ ଶିରାପ୍ରଶିରାର ପ୍ରବହମାନ ରକ୍ତ ସବୁ ଅଟକି ଗଲା ଯେମିତି ।

 

ବିସ୍ମୟ ବିଚଳିତ ହୋଇ ଚାହିଁଥିଲା ସେ । ରୁମର ତିନିଟା ଯାକ ଝରକା ଖୋଲି । ପବନ ସିଁ ସିଁ ହୋଇ ଭତରକୁ ପ୍ରବେଶ କରୁଛି । ସେ ଶୋଇଲାବେଳେ ସବୁ ଝରକା ବନ୍ଦ କରି ଶୋଇଥିଲା-। ତାର ଏସବୁ ମନେ ଅଛି । କିନ୍ତୁ ଏ ସବୁ କ’ଣ ? ସବୁ ବର୍ତ୍ତମାନ ଯେ ଉନ୍ମୁକ୍ତ !

 

ଆହୁରି ଆଶ୍ଚର୍ଯ୍ୟ ସେ ହେଲା । ରୁମର ଦ୍ୱାରଟା ବି ମେଲା । ତାର ମନେ ଅଛି ଭିତରୁ ଭଲ ଭାବେ ବନ୍ଦ କରି ସେ ଶୋଇଥିଲା । କିନ୍ତୁ ବର୍ତ୍ତମାନ ଏ ସମସ୍ତ ଉନ୍ମୁକ୍ତ ହେଲା କିପରି ? କିଏ ଫିଟାଇଛି ? କାହାର ସାହସ ?

 

ସୌମିତ୍ର ବିସ୍ମିତ ହେଉଥିଲା ।

 

ତେବେ କିଏ ଏସବୁ ଖୋଲିଛି ! ଭିତରକୁ ପ୍ରବେଶ କରିବା ପାଇଁ ତ ଦ୍ୱିତୀୟ ଦ୍ୱାର ନାହିଁ-। କିଏ କେଉଁ ବାଟ ଦେଇ ପ୍ରବେଶ କଲା ?

 

ସୌମିତ୍ରର ମାନସ ମହୋଦଧିରେ ଏମିତି ସଂଖ୍ୟାହୀନ ପ୍ରଶ୍ନ ଉପପ୍ରଶ୍ନର ଝଡ଼...

 

ସେଇ ଦୁଃଖ ଦରଦଭରା ସ୍ୱର ଲହରୀ ଭାସି ଆସୁଛି । ସୌମିତ୍ର ଶୁଣୁଛି । ଏ ନିରାଟ ନିର୍ଜ୍ଜନତା ମଧ୍ୟରେ ଏଭଳି ଏକ ସ୍ୱର ବଡ଼ ଅସ୍ୱାଭାବିକ । ବଡ଼ ସଂଦେହଭରା । କିଏ କାହିଁକି ଏତେ ରାତିରେ ପୁଣି ତା’ରି ଗୃହ ମଧ୍ୟରେ କ୍ରନ୍ଦନ କରୁଛି ? କ’ଣ ତାର ଉଦ୍ଦେଶ୍ୟ ?

 

ମଧୁମିତା ଏ ସଂସାରରୁ ବିଦାୟ ନେବା ପରେ ତା’ କଂଠ ସ୍ୱର ତ ସେ କେବେ ଶୁଣିନାହିଁ ।

 

ମୃତ ମଣିଷର ସତ୍ତା ନଥାଇ ତା’ ସ୍ୱର ତାର ଭାଷା କ’ଣ ଶୁଣିବା ସମ୍ଭବ ? ଜୀବନ୍ତ ମଣିଷ ଏ ସବୁ ଆଶା କରିବା ଆକାଶ କୁସୁମ ତୋଳିବା ସଙ୍ଗେ ସମାନ ନୁହେଁ ତ ଆଉ କ’ଣ ?

 

ସୌମିତ୍ରର ଶରୀରରେ ରୋମାଂଚ ଖେଳି ବୁଲୁଚି । ପବନରେ ଦୋଳାୟିତା ପତ୍ରଲତା ଭଳି ତା’ ଦେହସାରା ପ୍ରକଂପିତ ହେଉଚି ।

 

ମନ ଆକାଶରେ ଅନେକ କଥା ଉଇଁ ଆସୁଥିଲା । ଭାବୁଥିଲା ସେ ।

 

କାଳେ ଏ ସମସ୍ତ କୌଣସି ଭୂତପ୍ରେତର କାର୍ଯ୍ୟ ହୋଇପାରେ ! ତାର ରାଶି ରାଶି ସମୟ ବ୍ୟୟ ହୋଇଛି । କେତେ ବିନିଦ୍ର ରଜନୀ ବିତିଯାଇଛି । ନିଃସଙ୍ଗ ହୋଇ ଏଇ ଗୃହ ପ୍ରାଙ୍ଗଣର ପଦଚାରଣ କରିଛି । କାହିଁ କେବେ ତ ସେ ଏ ପ୍ରକାରର ଅନୁଭୂତିରେ ଆସିନାହିଁ ।

 

ଭୟରେ ସଂଜ୍ଞା ତାର ମରି ମରି ଆସୁଚି । ଅସ୍ମିତା ହଜି ହଜି ଯାଉଚି । ସମସ୍ତ ଦମ୍ଭ ସାହସ ସମାପ୍ତ ହୋଇ ଯାଇଛି । ଭୟ ବିହ୍ୱଳତା ତାକୁ ଟାଣି ଧରିଚି ।

 

ସୌମିତ୍ର !

 

ଚାପା ଅଥଚ ଏକ ମଧୁର କଂଠର ସ୍ୱର ତା’ କାନରେ ପଡ଼ିଲା । ଚମକି ପଡ଼ିଲା ସୌମିତ୍ର ।

 

କିଏ ତାକୁ ଡାକୁଛି ? କାହାର ଏ ମଧୁର ସ୍ୱର ?

 

ପଛରୁ ଏ ସ୍ୱରଟା ସେ ଶୁଣିଲା । ଠିକ୍ ସେଇୟା । ତିନିବର୍ଷ ତଳେ । ଠିକ୍ ଏଇ ସ୍ୱର...ଏଇ କୋମଳ କଂଠର କାକଳୀ ସେ ଶୁଣୁଥିଲା । ଚକ୍ଷୁ ବିସ୍ଫାରିତ କରି ଚାହିଁଲା ଏଣେ ତେଣେ-

 

କିଏ ସେଇ କୋମଳକଣ୍ଠୀ ? କାହା କଣ୍ଠର ଏ କରୁଣ ସ୍ୱର ?

 

ଛନ ଛନ ହୋଇ ଉଠୁଛି ସୌମିତ୍ରର ଚକ୍ଷୁ ସେଇ କୋମଳକଣ୍ଠୀକୁ ଅବିଷ୍କାର କରିବା ପାଇଁ । କାହିଁ ସେ ? କେଉଠି ତାର ଅସ୍ତିତ୍ୱ ?

 

ନିଶ୍ଚୟ କେହି ଅଛି । ତାକୁ ଡାକୁଛି । ତା’ ଅନ୍ତରର ସମସ୍ତ ବେଦନା ବ୍ୟଥା ଝରାଇ ସେ ଡାକୁଛି । କଇଁକଇଁ କାନ୍ଦ ଶୁଭୁଚି । ହଁ, ହଁ ସେଇ କଣ୍ଠ….ସେଇ ଦରଦ.....ସେଇ ବ୍ୟଥା ବେଦନାର ଉଚ୍ଛ୍ୱାସ ।

 

ପଲଂକରୁ ତଳକୁ ଆସିଲା ସେ । ପାଦ ଦୁଇଟା ଖସି ଖସି ଯାଉଚି ଭଳି ମନେ ହେଲା ତାକୁ । ଜଡ଼, ନିର୍ବେଦ ହୋଇ ଯାଇଛି ସୌମିତ୍ରର ଚଳ ଚଂଚଳ ଦେହଟା । କୌଣସି ପ୍ରକାରେ ଥର ଥର ଦେହରେ ମନ୍ଥର; ନିଶବ୍ଦ ପଦପାତରେ ଆଗେଇଲା । ଝରକା ନିକଟକୁ ଯାଇ ଅଟକି ଗଲା ସେ । କିନ୍ତୁ ଏ କ’ଣ ? ସେ ଯେ ନିର୍ବେଦ, ନିଶ୍ଚଳ...

 

ସୌମିତ୍ର ! ମୁଁ ଏ ପାଖେ ଅଛି ।

 

ପଛକୁ ବୁଲି ଚାହିଁଲା ସେ । ଛାତିଟା ରେଳ ଇଂଜିନ୍ ଭଳି ଧକ୍ ଧକ୍ ହେଉଚି । ଶଂକିତ ଗଳାରେ ପଚାରିଲା–ତୁମେ...ମଧୁ ! ମଧୁମିତା ନା ?

 

ଇସ୍ ! ବର୍ତ୍ତମାନ ତୁମେ ମୋ’ ସ୍ୱରକୁ ବି ଜାଣିପାରୁନ ସୌମିତ୍ର ? କାନ୍ଦ କାନ୍ଦ କଣ୍ଠର ସ୍ୱର ଶୁଣିବାକୁ ପାଇଲା ସୌମିତ୍ର, ସ୍ୱରରେ ଅଭିମାନର ଇଙ୍ଗିତ...

 

କିନ୍ତୁ ତୁମେ, ତୁମେ ତ ଚାଲି ଯାଇଛ । ଏ ସଂସାରରୁ ବିଦାୟ ନେଇ ସରିଛି... ଥର ଥର ଗଳାରେ ପୁଣି ପଚାରିଲା ।

 

ମୁଁ ମଧୁମିତାର ଆତ୍ମା....

 

ଆତ୍ମା !

 

ହଁ ସୌମିତ୍ର ! ମୁଁ ମଧୁମିତାର ଆତ୍ମା । ଛାୟା ସଦୃଶ ମୁଁ ଏ ବାୟୁମଣ୍ତଳରେ ଘୁରୁଚି । ମୁଁ ଆସନ୍ତା ଅତୃପ୍ତ ରହିଚି ସୌମିତ୍ର । ଶାନ୍ତି ମିଳିପାରୁ ନାହିଁ । କେବଳ ତୁମରି ପାଇଁ...ମୁଁ ବିଧଗ୍ଧା । ମାତୃତ୍ୱ ପାଇ ନଥିଲେ ବି ତମରି ସାନିଧ୍ୟ ମୋତେ ସବୁ କିଛି ଦେଇଥିଲା । ତମର ମମତା, ସୋହାଗ, ଅନୁରାଗ ପାଇ ମୁଁ ଉତ୍‍ଫୁଲ ଥିଲି । କିନ୍ତୁ ଆଜି ସେ ସବୁ ଅନିଶ୍ଚିତ । ସଂପୂର୍ଣ୍ଣ ଅସମ୍ଭବ । ତେବେ, ତୁମେ ଯେତେବେଳେ ମୋ ସାଥୀରେ ରହିବ ସେତେବେଳେ ଯାଇ ମୁଁ ଶାନ୍ତି ପାଇବି । ତୃପ୍ତ ହେବି । ସଦ୍‍ଗତିର ବାଟ ଖୋଲିଦିଅ ସୌମିତ୍ର ! ମୋର ବିଦଗ୍‍ଧ ଆତ୍ମା ତୁମେ ମୋ’ ପାଖେ ଏତିକି ମାତ୍ର ନିବେଦନ କରୁଚି । ତୁମେ ମୋ’ ପାଖେ ପାଖେ ରହିବନି ?

 

ମୁଁ....ତୁମ ସାଥିରେ ?

 

ହଁ, ସୌମିତ୍ର !

 

କିନ୍ତୁ–

 

ହଁ । ସେଥିପାଇଁ ତୁମକୁ ମୃତ୍ୟୁବରଣ କରିବାକୁ....

 

ମୃତ୍ୟୁବରଣ କରିବାକୁ ହେବ ! ସାରା ଶରୀର ତାର କଂପିତ ହେଲା । ପାଦତଳୁ ଧରଣୀ ଖସି ଯାଉଚି ଭଳି ବୋଧକଲା ସେ ।

 

ହଁ । ତୁମକୁ ବି ମରିବାକୁ ହେବ । କାରଣ କ’ଣ ଜାଣିଛ ନା ? ତୁମେ ବଂଚିଥିଲେ କେବେହେଲେ ମୋ’ ସହ ସାଥୀ ହୋଇ ପାରିବନି । ଯଦି ତୁମର ମୃତ୍ୟୁ ହୁଏ ତେବେ ଆମେ ଏକ, ଅଭିନ୍ନ ହୋଇ ପାରିବା । ତୁମେ ମୋ’ ସାଥୀରେ ରହି ପାରିବ ।

 

କିଂତୁ, ତୁମେ କେଉଁଠି ରହି କହୁଚ ?

 

ମୁଁ ତୁମର ଖୁବ୍ ନିକଟରେ ହଁ ଅଛି ।

 

ମୋ’ ନିକଟରେ ! ସୌମିତ୍ର ସେ ନିରନ୍ଧ୍ର ଅନ୍ଧକାର ଭିତରେ ବିସ୍ମୟ ବିସ୍ଫୋରିତ ନେତ୍ରରେ ଚାହିଁ କହୁଥିଲା–ମୁଁ କାହିଁ ଦେଖିପାରୁ ନାହିଁ ତ ?

 

ଦେଖିବା ପାଇଁ ଚେଷ୍ଟା କଲେ ନିଶ୍ଚୟ ପାରିବ ।

 

ତ୍ରସ୍ତ ଦୁଇ ଚକ୍ଷୁ ତାର ଏଣେ ତେଣେ ଘୁରାଇଲା । କିନ୍ତୁ କିଛି ହେଲେ ଦେଖି ପାରିଲା ନାହିଁ । ସେମିତି ଧୀର ଅଚଳ କମ୍ପିତ ପଦକ୍ଷପରେ ଲାଇଟ୍‍ର ସୁଇଚ୍ ଆଡ଼କୁ ଆଗେଇଲା ସେ । ହଠାତ୍ ଏକ ସ୍ୱର ଭାସି ଆସିଲା । ସତେ ଯେମିତି ମଧୁମିତା କହୁଛି ।

 

ଆଲୁଅ ଜଳାଅନା ସୌମିତ୍ର ! ମୁଁ ନିଶ୍ଚିହ୍ନ ହୋଇଯିବି । ମୋତେ ଦେଖି ପାରିବ ନାହିଁ ।

 

ବଡ଼ ବ୍ୟଗ୍ର ବିବ୍ରତ ହୋଇ ଉଠୁଥିଲା ସୌମିତ୍ର ! ସେ ଦେଖିବ ମଧୁମିତାକୁ ଦୀର୍ଘ ତିନିବର୍ଷର ବ୍ୟବଧାନ ପରେ ସେ ଆଜି ସୁଯୋଗ ପାଇଚି । ସାଗ୍ରହ ଅଧୀର ହୋଇ ଏ’ କେତେଦିନ ହେଲା ଯାହାର ପ୍ରତୀକ୍ଷା କରୁଥିଲା, ସ୍ୱପ୍ନରେ ହେଲେ ବି ସେ ଯାହାର ସ୍ପର୍ଶ ଖୋଜି ବୁଲୁଥିଲା, ସେଇ ତା’ର ପ୍ରତିମାକୁ......ନବ ବସନ୍ତର ସୁରଭି ମଧୁମିତାକୁ ସେ ଦେଖିବ ।

 

କିନ୍ତୁ କାହିଁ ? କେଉଁଠି ସେ ? ତା’ର ଛାୟା ସୁଦ୍ଧା ପରିକଳ୍ପନା କରି ପାରୁନି ସୌମିତ୍ର । କିନ୍ତୁ ଶୁଣିଚି ସ୍ୱର । ଶୁଣିଚି କାନ୍ଦ ।

 

ନା, ସେ ଆଉ ପ୍ରତୀକ୍ଷା କରି ପାରିବ ନାହିଁ । ଲାଇଟ ଅନ୍ କରିବ । ପରିଷ୍କାର ଆଲୋକରେ ଆବିଷ୍କାର କରିବ ତାକୁ । ନହେଲେ ସେ ବଂଚି ପାରିବନି । ପାଗଳ ହୋଇଯିବ । ହଁ, ହଁ ସୁଇଚ୍ ଅନ୍ କରିବ ସେ । ହାତ ବଢ଼ାଇଲା ସୁଇଚ୍ ଆଡ଼କୁ ।

 

ପୁଣି ଶୁଣିବାକୁ ପାଇଲା–ମୁଁ ସମାପ୍ତ ହୋଇଯିବି ସୌମିତ୍ର । ମୋ’ କଥାଟା ଟିକିଏ ଶୁଣ-। ଆଲୁଅ ଜଳାଅନା ।

 

ସୌମିତ୍ର ଚାହିଁଲା ପ୍ରକୋଷ୍ଠର ଚତୁର୍ଦ୍ଦିଗକୁ । କିଛି ନାହିଁ । ଖାଲି କଟି କଟି ଅନ୍ଧାର । ବହଳ ଅନ୍ଧାର ଭିତରେ ସବୁ କିଛି ଅସ୍ପଷ୍ଟ ହୋଇଛି ।

 

ସେ ଆଉ ପ୍ରତୀକ୍ଷା କରି ପାରିଲାନି । ତା’ କଥା ପ୍ରତି ନଜର ଦେଲେନାହିଁ । ହୃଦୟକୁ ପାଷାଣ ଭଳି କରି ସୁଇଚ୍‍ଟାକୁ ଅନ୍ କରିଦେଲା । ରୁମ ଭିତରେ ଆଲୋକର ବନ୍ୟା ଛୁଟିଲା ।

 

ଝନ୍ ଝନ୍ ନନନ....ନ....

 

ଗୁଡ଼ାଏ କାଚ ଯେମିତି ଟିକ ଟିକ ହୋଇ ଭାଙ୍ଗିଗଲା । ସୌମିତ୍ର ଚାହିଁଲା । ଉପରେ ଜଳୁଥିବା ବଲ୍ ବଟା ଟିକଟିକ ହୋଇ ଭାଙ୍ଗି ଚଟାଣରେ ପଡ଼ିଗଲା ।

 

ସୌମିତ୍ରର ବକ୍ଷ ଭିତରେ ଏକ ଅଶାନ୍ତ ଝଡ଼ ବହୁଚି ଯେମିତି । ରେଳ ଇଂଜିନ୍ ଭଳି ଧକ୍ ଧକ୍ ହେଉଛି ।

 

ପୁଣି ଶୁଣିଲା ସେ । ନୂପୁରର ଛମ୍ ଛମ୍ ଶବ୍ଦରେ ଗୃହର ଚତୁର୍ଦ୍ଦିଗ ନିକ୍ୱଣିତ ହୋଇ ଉଠିଲା । ନୂପୁର ନିକ୍ୱଣର ଶବ୍ଦ ଏକ ଅପୂର୍ବ ଗୁଂଜରଣ ସୃଷ୍ଟିକରି କ୍ରମେ ଦୂରେଇ ଯାଉଥିଲା । ସତେ ଯେମିତି ପବନରେ କିଏ ଜଣେ ପହଁରି ଚାଲି ଯାଉଛି । ନିର୍ଜ୍ମନ ନିଶୀଥରେ ଏଭଳି ଏକ ଅସମ୍ଭବ ପରିବେଶ ମଧ୍ୟରେ ଥାଇ ସୌମିତ୍ର ଅପ୍ରସ୍ତୁତ, ଭୟରେ ବିହ୍ୱଳ ହୋଇ ପଡ଼ୁଥିଲା ।

 

ବିସ୍ମୟରେ ସେ ହତବାକ୍ ହୋଇ ଠିଆ ହୋଇଛି । ଶରୀରର ଶିରାପ୍ରଶିରାରେ ରକ୍ତ ସବୁର ଗତି ଦ୍ରୁତ ହୋଇ ଉଠୁଥିଲା । ଯନ୍ତ୍ରଚାଳିତ ଭଳି ତା’ର ପଦଦ୍ୱୟ ଆଗେଇ ଆସିଲା । ପାହାଚ ପରେ ପାହାଚ ଅତିକ୍ରମି ଆସୁଥିଲା ସୌମିତ୍ର ।

 

ତଳକୁ ଆସିଲା ସେ । ଡ୍ରଇଂ ରୁମ୍ ନିକଟରେ ଠିଆ ହେଲା । ଜିରୋ ପାୱାରର ଏକ ବଲବ୍ ଜଳୁଚି ସେ ରୁମରେ୍ । ଚାରିଆଡ଼ ନୀରବି ଯାଇଛି ।

 

ଡ୍ରଇଁରୁମ ପାର୍ ହୋଇ ଆଗକୁ ଚାଲିଲା ସୌମିତ୍ର । କିନ୍ତୁ ଗତି ତାର ବନ୍ଦ ହୋଇଗଲା ଆପେ ଆପେ ଯେମିତି । ମୁଣ୍ତରୁ ଜ୍ଞାନ ଶକ୍ତି ଶୂନ୍ୟ ହୋଇ ଯାଉଛି ଭଳି ବୋଧ ହେଲା ତାକୁ । ପାଗଳ ହୋଇ ଯାଇଛି ସେ ।

 

ଆଶଂକିତ ମନ-ଅଂବରରେ ତାର ଅଣଚାଶ ପବନ ବହୁଚି । ଝାଳରେ ଓଦା ହୋଇ ଗଲାଣି ତାର ନାଇଟ୍ ଡ୍ରେସ୍‍ଟା ।

 

କିଛି ନାହିଁ । କୋଉଠି ହେଲେ କିଛି ଦେଖି ପାରିଲାନି ସୌମିତ୍ର । ସ୍ୱର ଶବ୍ଦ କିଛି ନାହିଁ ସେଠାରେ । ଚତୁର୍ଦ୍ଦିଗ ଶାନ୍ତ ନିର୍ବେଦ....

 

ଅପଲକ ନେତ୍ରରେ ଚାହୁଁଥିଲା ସେ । ବିସ୍ମୟ ଚକିତ ଦୃଷ୍ଟି ତାର କ୍ଷିପ୍ର ହୋଇ ଏଣେ ତେଣେ ଘୁରି ଯାଉଥିଲେ ।

 

ହଠାତ୍ ସେ ଚମକି ଉଠିଲା ।

 

ଛମ୍..ଛମ୍...ଛମ୍...ଛମ୍...

 

ନୂପୁରର ଝଂକାର ତା’ କାନକୁ ଶୁଭିଲା । ଏ ସ୍ୱର ବାହାରୁ କୁଆଡ଼ୁ ଆସୁଥିବାର ସେ ବୋଧକଲା । ପୁଣି ଦ୍ରୂତପଦରେ ସମସ୍ତ କୋଠରୀ ଅତିକ୍ରମ କରି ବାହାରକୁ ଆସିଲା ସୌମିତ୍ର ।

 

ସହସା ତା’ ଦେହର ସମସ୍ତ ତଂନ୍ତ୍ରୀ କଂପିତ ହୋଇ ଉଠିଲା ।

 

ଦେଖୁଚି–ଗୋଟାଏ ଶଂଖ ଧବଳ ସଫେଦ ଆକୃତି । ପବନର ଲହରରେ ଝୁଲି ଝୁଲି ଦୂରେଇ ଯାଉଛି । ଭଲଭାବେ ଚାହିଁଲା ସୌମିତ୍ର । ଅନୁମାନ ନିଶ୍ଚିତ ଭାବେ ଠିକ୍ ।

 

ସଫେଦ ଆକୃତିଟା କୌଣସି ଏକ ସ୍ତ୍ରୀ ଭଳି ମନେ ହେଉଥିଲା । କିନ୍ତୁ ସ୍ପଷ୍ଟ ଦେଖାଯାଉ ନାହିଁ କିଛି । ଖୁବ୍ ମଂଥର ଗତିରେ ସେ ଚାଲୁଥିଲା । ନିଜେ ଦେଖୁଚି ସେ । ଅସତ୍ୟ ହୋଇ ନପାରେ । ତେବେ କିଏ ? ଏତେ ରାତିରେ ଏକାକୀ....

 

ସତେ କ’ଣ ମଧୁମିତାର ଅତୃପ୍ତ ଆତ୍ମା ସେ !

 

ଭାବି ଭାବି ଶିହରି ଉଠୁଚି ସୌମିତ୍ର । ଛାୟା ମୂର୍ତ୍ତିଟା ଗତି କରୁଛି ।

 

ମୁଣ୍ତ ଠିକ ରହୁନି ସୌମିତ୍ରର । ଖାଲି ଚାହୁଁଚି ସେଇ ଆଡ଼କୁ ।

 

ଏକ ସ୍ୱପ୍ନିଳ ବାତାବରଣରେ ସେ ବିଚରଣ କରୁନାହିଁ ତ ? ପୁଣି ଭଲ ଭାବେ ଆଖି ମଳି ଚାହିଁଲା । ଅଦ୍ଭୁତ ଦୃଶ୍ୟ ତା’ ଦୃଷ୍ଟି ପଥରେ–ଏକ ବିଚିତ୍ର ରହସ୍ୟ ତା’ ସମ୍ମୁଖରେ ଖେଳି ବୁଲୁଛି-। ଜଡ଼ ପାଲଟିଯାଇଛି ତାର ଅଂଗ ପ୍ରତ୍ୟଙ୍ଗ ।

 

ଆକୃତିର ସଫେଦ ଶାଢ଼ୀର ଅଂଚଳଟା ମନ୍ଦ ମନ୍ଦ ପବନରେ ହିଲ୍ଲୋଳିତ ହୋଇ ଉଠୁଚି-

 

ତାର ପ୍ରତି ପଦପାତରେ ନୁପୁରର ନିକ୍ୱଣ ଶୁଭୁଥିଲା । ଶାନ୍ତ ବାତାବରଣରେ ଏ ଧ୍ୱନି ପ୍ରାୟ ବହୁଦୂର ଯାଏଁ ଗୁଂଜରିତ ହୋଇ ଉଠିଥିଲା ।

 

ସୌମିତ୍ରର ମନ, ଉତ୍କଣ୍ଠା ଆଉ ଭୟର ମିଶ୍ରଣରେ ବିବ୍ରତ ବିଚଳିତ । କିଛି ସମୟ ହେଲା ସେ ସ୍ୱପ୍ନ ସାଗରରେ ଭାସୁଚି ଭଳି ବୋଧ କରୁଥିଲା । କିନ୍ତୁ ତାକୁ ସ୍ୱପ୍ନ ବୋଲି ଭାବିବ କେମିତି ? ସମ୍ମୁଖରେ ଦେଖୁଚି ବାସ୍ତବ ସତ୍ୟ । ଅସତ୍ୟ ଅସ୍ୱାଭାବିକ ବୋଲି କିଭଳି ଚିନ୍ତା କରିବ ସେ ?

 

କ୍ରମେ ଛାୟାଟି ଦୃଷ୍ଟିପଥରୁ ଦୂରେଇ ଗଲାଣି । କିଛି ଦିଶୁନାହିଁ ଆଉ । ନୂପୁରର ଗୁଂଜନ ବି ମିଳେଇ ଗଲାଣି ।

 

ଚତୁର୍ଦ୍ଦିଗରେ ମୃତ୍ୟୁସମ ହିମ ନୀରବତା । ବାତାବରଣ ଶାନ୍ତି ନିର୍ବେଦ ।

 

ସୌମିତ୍ରର ଦେହସାରା ସ୍ୱେଦ ବିଂଦୁରେ ସ୍ନାତ । ସେଇଠି ସେ ବିଚଳିତ ବିକ୍ଷିପ୍ତ ମନ ନେଇ ପୁଣି ଚାହିଁଲା ସେଇ ଆଡ଼କୁ । ଛାୟା ଅପସରି ଯାଇଛି ।

 

ଆକାଶ ମେଘ ମୁକ୍ତ । ବେଳେ ବେଳେ ଝିଂକାରୀର ଶବ୍ଦ ଖାଲି ଶୁଭୁଛି ଦୂରରୁ ।

 

ଫେରୁଥିଲା ସୌମିତ୍ର । ହଠାତ୍ ପୁଣି ତା’ ଦେହରେ ଏକ ବିସ୍ମୟକର ରୋମାଂଚ ଖେଳିଗଲା ।

 

କେହି ଫୁଲ ଫୁଲ କାନ୍ଦୁଚି ଯେମିତି । ଏ କରୁଣା କ୍ରନ୍ଦନ ପୁଣି ଆଉ କାହାର ? ଚକିତ ଚକ୍ଷୁରେ ସେ ଚାହିଁଲା ଏଣେ ତେଣେ ।

 

ନା, ଏ ସ୍ୱର ଆଉ କାହାର ହୋଇ ନପାରେ । ମଧୁମିତାର ନିଶ୍ଚୟ । ମଧୁମିତାର ଏ କଣ୍ଠ ସ୍ୱର । ସେ ନିଜେ କ’ଣ ଏତେ ଭୁଲ !

 

ସେଇ କରୁଣ କ୍ରନ୍ଦନର ଧ୍ୱନି ଭାସି ଆସୁଚି ଯେଉଁଆଡ଼ୁ ସୌମିତ୍ର ସେ ଦିଗରେ ଆଗେଇ ଗଲା । ଛାତିରେ ତାର ମ୍ୟାଲେରିଆର କଂପନ । ପଡ଼ୁଛି ଉଠୁଛି । ଫଳ ପୁଷ୍ପଭରା କମନୀୟ ଉପବନ ଭିତର ଦେଇ ସେ ମାଡ଼ି ଚାଲିଛି ।

 

ସହସା ତାର ପଦଦ୍ୱୟ ଅଟକି ଗଲା । ଭୟରେ ସେ ମୁକ ଜଡ଼ ପାଲଟିବାକୁ ଯାଉଛି ଯେମିତି ।

 

ସମ୍ମୁଖରେ ମାଳତୀ କୁଂଜ । ସେଇ ଛାୟା ମୂର୍ତ୍ତିଟି ତାରି ତଳେ ବସି କାନ୍ଦୁଛି । ମନକୁ ଦୃଢ଼ କରି ସୌମିତ୍ର ଟିକିଏ ଆଗକୁ ବଢ଼ିଗଲା ।

 

ମଧୁମିତା....ତା’ ମୁହଁରୁ ଏ ନାଁଟା ବାହାରି ପଡ଼ିଲା ।

 

କିନ୍ତୁ କୌଣସି ଉତ୍ତର ନାହିଁ ।

 

ପୁଣି ସୌମିତ୍ର ଟିକିଏ ଆଗକୁ ବଢ଼ିଯାଇ ଡାକିଲା–ମଧୁମିତା....ଏଥର ସେ ପୂର୍ବାପେକ୍ଷା ଟିକିଏ ଚଢ଼ାଗଳାରେ ଡାକିଲା ।

 

ସେ ଆକୃତିଟି ମୁହଁରେ ହାତ ଦେଇ କଇଁ କଇଁ ହୋଇ କାନ୍ଦୁଛି । ଧୀରେ ସେ ମୁହଁ ଉଠାଇଲା ।

 

ସୌମିତ୍ର ଭଲଭାବେ ନିରୀକ୍ଷଣ କଲା । ଠିକ୍ ସେଇ ମୁହଁ ସେଇ ଗୁଂପିତ କେଶରାଶି । ଏଅଂଗ ସୌଷ୍ଠବ ମଧୁମିତାର ।

 

ତା’ ଚକ୍ଷୁ ଦ୍ୱୟରେ ଘନକୃଷ୍ଣ କାଳିମା ଭରି ରହିଛି । ଅନ୍ଧକାର ଯୋଗୁ ସୌମିତ୍ର ଦେଖି ପାରୁନି ତା’ ନୟନ ନିର୍ଗତ ଅଶ୍ରୁ ବିନ୍ଦୁକୁ । କିନ୍ତୁ ତାର କଇଁ କଇଁ କାନ୍ଦ ସୌମିତ୍ରର ମନରେ ଭାବାନ୍ତାର ସୃଷ୍ଟି କରିଛି । ଏହା ତା’ ପକ୍ଷେ ଅସହ୍ୟ ହୋଇ ଉଠୁଛି ।

 

ମଧୁମିତା....ଏକ ସଂବେଦନ ଭରା ସ୍ୱର ବାହାରି ଆସିଲା ସୌମିତ୍ରର ।

 

ସୌମିତ୍ର ! ମଧୁମିତା କରୁଣ ଅଥଚ କ୍ଷୀଣ କଣ୍ଠରେ କହିଲା । ବୋଧହୁଏ ଆଖିରୁ ଅଶ୍ରୁ ପୋଛୁଥିଲା । ଏ କଜଳ କଳା ରାତ୍ରିରେ ବି ତା’ ଅଙ୍ଗୁଳି ଗୁଡ଼ିକ ଚଂପକର କାନ୍ତି ଧାରଣ କଲାଭଳି ମନେ ହେଉଥିଲା ସୌମିତ୍ରର ।

 

ତମେ କାନ୍ଦୁଛ କାହିଁକି ମଧୁ ? ମୁଁ ମୋଟେ ସହିପାରୁନାହିଁ । ତୁମ ବିଚ୍ଛେଦରେ ମୋ’ ମନପ୍ରାଣ ଯେ କ’ଣ ହେଉଛି ତାହା କେହି ବୁଝି ପାରିବେନି । ତମର ସ୍ମୃତି ହିଁ ମୋତେ ବଂଚେଇ ରଖିଛି । ସେଇ ସ୍ମୃତି ହିଁ ମୋ’ ଜୀବନ । ମୁଁ ଆଉ କୌଣସି କାର୍ଯ୍ୟ କରିପାରୁନି ମଧୁମିତା–କେବଳ ତମରି ଏଇ ସ୍ମୃତି ଟିକକ ପାଇଁ । ତମେ ଆଉ କାନ୍ଦନା । କାନ୍ଦିଲେ ମୋ’ ପ୍ରାଣ ବଡ଼ ଅଥୟ ହେଉଛି-। ଏକା ନିଶ୍ୱସକେ କହିଗଲା ସୌମିତ୍ର ।

 

ଏକ ମଧୁର, କୋମଳ ସ୍ୱରରେ ସେ ଛାୟା ମୂର୍ତ୍ତିଟି କହିଲା ତମକୁ ଛାଡ଼ି ମୋ’ ପକ୍ଷରେ ରହିବା ବଡ଼ ଦୁର୍ବିସହ ହେଉଛି ସୌମିତ୍ର । ମୋ’ ଆତ୍ମା ଅଶାନ୍ତ ଭାବେ ଚିତ୍କାର କରି ଉଠୁଛି । ଜଳି ଉଠୁଚି ଆତ୍ମାର ଅଭ୍ୟନ୍ତର । ଏଇ ସବୁ ପାଇଁ ମୁଁ କାନ୍ଦିବା ଛଡ଼ା ଆଉ କି ଉପାୟ ଅଛି କହିଲ ?

 

ପ୍ରାଣର ମଧୁ.....

 

ସୋମିତ୍ର ଭାବାବେଶରେ କହିଲା । ତାକୁ ଦୁଇ ବାହୁରେ ତୋଳି ଧରିବା ପାଇଁ ଧାଇଁଗଲା ପାଖକୁ ।

 

କିନ୍ତୁ ଏକ ବିସ୍ମୟ ତାର ସମ୍ମୁଖରେ ଖେଳିଗଲା । ଯିମିତି ମଧୁମିତା ଆଡ଼କୁ ଗଲା ସେ ଆଉ ନଥିଲା ସେଠାରେ । ଟିକିଏ ଆଗକୁ ଧାଇଁଗଲା ସୌମିତ୍ର । କିନ୍ତୁ ସବୁ ବ୍ୟର୍ଥତାରେ ରୂପ ନେଲା । ଗୋଟାଏ ଗଛ ଦେହରେ ପିଟି ହୋଇ ଠିଆ ହୋଇଗଲା ସେ ।

 

ଇଏ ଖାଲି ପାଗଳାମୀ ସୌମିତ୍ର ! ମଧୁମିତାର ସ୍ୱର ଶୁଭିଲା ।

 

ସୌମିତ୍ର ସଙ୍ଗେ ସଙ୍ଗେ ପଛକୁ ବୁଲି ଚାହିଁଲା । ଦେଖିଲା, ମଧୁମିତା ତା’ଠାରୁ ଚାରି ପାଂଚ ଗଜ ଦୂରରେ ଠିଆ ହୋଇଚି ।

 

ମଧୁମିତା ! ତୁମେ ମୋ’ ପାଖକୁ କାହିଁକି ଆସୁନା ? ସୌମିତ୍ର ଆବେଗଭରା କଣ୍ଠରେ କହି ଉଠିଲା ।

 

ମୁଁ ଏକ ଅଶରୀରି, ସୌମିତ୍ର !

 

ସୌମିତ୍ର ବଡ଼ ବ୍ୟାକୁଳ ନୟନରେ ଚାହିଁ ରହିଲା ଛାୟା ମୂର୍ତ୍ତି ଆଡ଼କୁ ।

 

ସୌମିତ୍ର ! ମୁଁ କେବଳ ଗୋଟାଏ ଛାୟା । ଏଇଥି ପାଇଁ ମୁଁ ତୁମ ନିକଟକୁ ଯାଇପାରୁ ନାହିଁ । ତୁମେ ବି ମୋତେ ସ୍ପର୍ଶ କରି ପାରିବନି । ଖାଲି ଦେଖିପାର ।

 

ମୁଁ, ମୁଁ ପାଗଳ ହୋଇଯିବି ମଧୁମିତା ! ମଧୁ....

 

ଏମିତି କୁହନା ସୌମିତ୍ର ! କାନ୍ଦ କାନ୍ଦ ସ୍ୱରରେ କହିଲା ।

 

ମଧୁ ! ମୁଁ ତୁମକୁ ମୋ ପାଖରେ ଚାହେଁ ।

 

ଆମର ମିଳନ ଏମିତି କେବେହେଲେ ସମ୍ଭବ ନୁହେଁ ।

 

ତେବେ କିପରି ହେବ ।

 

ତୁମର ବି ମୋର ଭଳି ରୂପ ଧାରଣ କରିବାକୁ ହେବ ।

 

ମୁଁ ବୁଝି ପାରିଲିନି ।

 

ମାନେ, ତୁମକୁ ବି ମରିବାକୁ ହେବ ।

 

ମରିବାକୁ ହେବ ? ବିସ୍ମୟଭରା ସ୍ୱରରେ କହି ଉଠିଲା ସୌମିତ୍ର !

 

ହଁ ସୌମିତ୍ର ! ଯେତେବେଳେ ଯାଏଁ ତୁମେ ମରିବ ନାହିଁ, ଆମର ମିଳନ ହେବା ଅସମ୍ଭବ ।

 

ତେବେ ମୁଁ କ’ଣ କରିବି ମଧୁ ! ମୋ ମୁଣ୍ଡରେ କିଛି ପଶୁ ନାହିଁ । ସୌମିତ୍ର ବି କାନ୍ଦି ଉଠିଲା ।

 

ଆସ ମୋ ସାଥୀରେ ।

 

ସୌମିତ୍ର ଚମକି ଉଠିଲା । ଆଶ୍ଚର୍ଯ୍ୟ ଚକିତ ହୋଇ ସେ ଚାହିଁ ରହିଲା ତାରିଆଡ଼େ ।

 

କେଉଁଠି କି ? ଅସହାୟ ଭଳି ପଚାରିଲା ।

 

ତିନିବର୍ଷ ତଳେ ତୁମେ, ଯେଉଁଠି ମୋତେ ଛାଡ଼ି ଆସିଥିଲ ।

 

ମାନେ, ମୁକ୍ତିଘାଟ... ?

 

ହଁ ।

 

କିନ୍ତୁ, ଏତେବେଳେ...

 

ଆସ ସୌମିତ୍ର ! ମୁଁ ତୁମକୁ ଆମ ସଂସାର ଦେଖାଇବି ।

 

ଏତିକି କହି ଛାୟା ମୂର୍ତ୍ତିଟି ଟିକିଏ ଆଗକୁ ଆଗେଇଗଲା । ଭାଷାରେ ତାର ଗଂଭୀରତାର ସ୍ପଷ୍ଟ ସଂକେତ । ଗତି ମଂଥର ।

 

ସୌମିତ୍ର ସ୍ଥାଣୁ ପାଲଟିଯାଇଛି । ପାଷାଣ ଭଳି ସେ ସ୍ଥିର ଅଚଂଚଳ । ଚିନ୍ତା କରୁଛି; ଯିବ କି ନଯିବ । ଏହା କ’ଣ ଅବାସ୍ତବ ହୋଇପାରେ ? ଆଖି ଆଗରେ ଦେଖୁଛି ତା’ ସ୍ୱର୍ଗତା ପ୍ରିୟାର ଛାୟା । ଶୁଣୁଛି ମାନସୀ ଆତ୍ମାର ଅତୃପ୍ତ ଭାଷା, ନିବେଦନ । ଏ ସମସ୍ତକୁ କ’ଣ ଅବିଶ୍ୱାସ କରାଯାଇ ପାରେ ?

 

ସେତେବେଳକୁ ରାତି ଦୁଇଟା ।

 

କ’ଣ ଭାବୁଚ ? ହଠାତ୍ ମଧୁମିତା ଅଟକି ପଛକୁ ଚାହିଁ ପଚାରିଲା ।

 

ନା...ନା...କିଛି ନୁହେଁ । ସୌମିତ୍ର ହତପ୍ରଭ ହୋଇ ଉତ୍ତର ଦେଲା ।

 

ତେବେ ଆସ ନା...

 

ସୌମିତ୍ର ଚାହୁଁଲା ମଧୁମିତା ଆଡ଼କୁ । ସୁନ୍ଦର ସୋହାଗ ଭରା କଂଠର ନିବେଦନ ଏ । ତା’ ପ୍ରାଣ ପତ୍ନୀର ଆକୁଳ ନିବେଦନ । ବର୍ତ୍ତମାନ ସମୟରେ ତା’ପକ୍ଷରେ କ’ଣ କରିବା ଉଚିତ ସେ ବୁଝିପାରୁ ନଥିଲା । ଅପ୍ରସ୍ତୁତ ହୋଇ ପଡ଼ୁଥିଲା ସୌମିତ୍ର ।

 

ମଧୁମିତା କଟିଦେଶକୁ ବକ୍ର କରି ଠିଆ ହୋଇଛି । ଚକ୍ଷୁରେ ତାର ବିବଶତା ଝଳି ଉଠୁଥିଲା ବୋଧହୁଏ । ଆଖିରେ ବହୁ ଭାବପୂର୍ଣ୍ଣ ଇଂଗିତ । ବହୁ ଦିନର ଆଶା ଆକାଂକ୍ଷାର ତୃଷ୍ଣା ଯେପରି ସେ ଚାହାଣୀରେ ରୂପ ପରିଗ୍ରହଣ କରୁଥିଲା ।

 

କ୍ଷଣକ ପାଇଁ ଉଭୟେ ନିଶ୍ଚୁପ ହୋଇ ଠିଆ ହୋଇଥିଲେ । ସୌମିତ୍ରା ଅପଲକ ନେତ୍ରରେ ଚାହିଁ ରହିଥିଲା । ହୃଦୟ ଆକାଶରେ ତାର ବିଜୁଳିର ଚମକ । ନିଶ୍ୱାସ ପ୍ରଶ୍ୱାସରେ ଭୀଷଣ ବାତ୍ୟା । ମୁଣ୍ଡର ଚିନ୍ତା ରାଜ୍ୟରେ ଝଡ଼ର ଝଂକାର ।

 

ତାକୁ ବୋଧ ହେଉଥିଲା ସତେ ଯେମିତି କୌଣସି ଅଜଣା ଶକ୍ତିର ପ୍ରଭାବରେ ସେ ପ୍ରଭାବିତ ହେବାକୁ ଯାଉଛି । ଚୁମ୍ବକର ଶକ୍ତି ନିକଟରେ ଲୌହ ପରାଜୟ ସ୍ୱୀକାର କଲାଭଳି ସେ ନିଜକୁ ବଡ଼ ଦୁର୍ବଳ, ଅବଶ ମନେ କରୁଛି । ଶକ୍ତି ସାମର୍ଥ୍ୟ କ୍ରମେ ହରାଇ ଆସୁଛି ।

 

ଅଳ୍ପକ୍ଷଣ ପରେ ସେ ନିଜର ସ୍ଥିତି ପ୍ରତି ବଡ଼ ଉଦାସୀନ ହୋଇଗଲା । ନିଜର ପରିସ୍ଥିତି ସଂବଂଧରେ ସଚେତନ ହୋଇ ପାରିଲା ନାହିଁ ।

 

ସେ ଚକ୍ଷୁର ଇଂଗିତରେ କି ପ୍ରକାର ଆକର୍ଷଣ ଥିଲା କେଜାଣି ସୌମିତ୍ର ସବୁ ବିସ୍ମରଣ ହୋଇ ମଧୁମିତାର ଅନୁସରଣ କଲା ।

 

ମୋ ପଛେ ପଛେ ଆସ । କିଛି ଅସୁବାଧା ହେବନି ତମର । ସେ ଛାୟାମୂର୍ତ୍ତିଟି କହୁଥିଲା ।

 

ସୌମିତ୍ର ଚାଲିଛି ।

 

ଆସ ସୌମିତ୍ର ! ଆଜି ମୁଁ ତୁମକୁ ଆମ ନିର୍ଜନ, ନିସ୍ତବ୍ଧ ଦୁନିଆଁ ଦେଖାଇବି । ମଧୁମିତା କୌଣସି ସ୍ୱପ୍ନିଳ ଦେବୀ ପ୍ରତିମା ଭଳି ମନେ ହେଉଥାଏ । ବର୍ତ୍ତମାନ ତା’ ଚିବୁକରେ ଚଂଚଳତା ଆଉ ଓଠ ଦ୍ୱୟରେ ହସ ଲହଡ଼ି ଭାଙ୍ଗୁଥାଏ ।

 

ସୌମିତ୍ର କୌଣସି ଆକର୍ଷଣୀ ସୂତ୍ରରେ ଟାଣି ହେଲା ଭଳି ଚାଲିଛି । ମଧୁମିତା ତା’ର ଆଗେ ଆଗେ ।

 

ଆକାଶ ଅଗଣାରେ ତାର ଫୁଲ ସବୁ ଫୁଟିଛି । ଦଶମୀ ଜହ୍ନଟା ଝୁଲି ଝୁଲି ନିଭିଯିବାକୁ ବସିଲାଣି । କିଟି କିଟି ଅଂଧାର ଘରେ ଆସୁଛି ।

 

ଦୁଇ

 

ସେ ଏକ ରମଣୀୟ ସ୍ଥାନ । ଚତୁର୍ଦ୍ଦିଗରେ ଖାଲି ପାହାଡ଼ ପର୍ବତର ବର୍ଣ୍ଣାଢ଼୍ୟ କାନ୍ତି । ଦୂରରୁ ଏ ସ୍ଥାନଟି ଘଞ୍ଚ ଜଂଗଲର ଶ୍ୟାମଳିମାରେ ବଡ଼ ମନୋରମ ଆଉ କମନୀୟ ଦିଶେ ।

 

ଝରଣାର କଳ କଳ ଗୀତିରେ ମର୍ମରିତ ହୁଏ ପାହାଡ଼ର ବକ୍ଷ । ସତେ ଯେମିତି କୌଣସି ମଧୁର ସଂଗୀତର ଛନ୍ଦରେ ପରିବେଶ ସର୍ବଦା ଗୁଂଜରିତ । ଶାଳ, ପିଆଶାଳ ଆଦି ସଂଖ୍ୟାହୀନ ବୃକ୍ଷ ଦ୍ୱାରା ବନାନୀ ସୁଶୋଭିତ, ସଜ୍ଜିତ ।

 

କିଂତୁ ଏତେବେଳେ ଏଡ଼େ ବିରାଟ ସ୍ଥାନ ନିସ୍ତବ୍ଧ ନିର୍ବେଦ । ମଝିରେ ମଝିରେ ମଂଦ ପବନ ପାହାଡ଼ ଆଡ଼ୁ ବହି ଆସୁଛି । ଚତୁର୍ଦ୍ଦିଗରେ ପ୍ରକୃତିର ରୂପ ସୁଷମା ଲୀଳାଚଂଚଳ ।

 

ଟାଉନ୍‍ର ଶେଷ ସୀମା ଆଡ଼କୁ ବୁଦୁବୁଦିଆ ଜଂଗଲ । ଝାଉଁବଣ ପୁଣି ଆରମ୍ଭ ହୋଇଛି ସେଇ ଶେଷ ସୀମାରୁ ।

 

ତା ପରେ ଏକ ନିର୍ଜନ ଘାଟ । ସେ ଘାଟୀର ପ୍ରାୟ ମଧ୍ୟ ଭାଗରେ ଏକ ଶ୍ମଶାନ । ଶାନ୍ତ ଆଉ ଶୁନ୍‍ଶାନ୍ । ଶ୍ମଶାନଟି ମୁକ୍ତିଘାଟ ନାମରେ ବିଦିତ ।

 

ଏହାର ତିନିପାଖରେ ପ୍ରାୟ ଦୁଇ କି ତିନିଶହ ଫୁଟ ଉଚ୍ଚର ପ୍ରାଚୀର ସଦୃଶ ପାର୍ବତ୍ୟଶ୍ରେଣୀ । ଆଉ ଗୋଟାଏ ପାଖେ ବିସ୍ତୃତ ପ୍ରାନ୍ତର । ସେଇ ପ୍ରାନ୍ତର ଦେଇ ଏକ ପକକା ରାସ୍ତା ଲମ୍ବି ଯାଇଛି ଡାହାଣ ଆଡ଼କୁ । ଯେତେ ଶବ ସବୁ ଆସେ, ଏଇ ବାଟ ଦେଇ ମୁକ୍ତିଘାଟକୁ ଯାଇ ଅଗ୍ନିଦଗ୍‍ଧ ହୁଏ ।

 

କେତେଥର ଏଇ ଘାଟ ଉପରୁ ଖସି ଲୋକଙ୍କର ଅସ୍ତିତ୍ୱ ଲୋପ ପାଇଥିବାର ଜନରବ ଶୁଣାଯାଇଛି । ଭୂତ ପ୍ରେତର ଲୀଳାସ୍ଥଳୀ ଭାବି ଲୋକେ ଭୟରେ ସେ ଅଂଚଳକୁ ଯାଆନ୍ତି ନାହିଁ ।

 

ଏ ସମୟରେ ଶ୍ମଶାନ ରାତିର କାଳିମା ଭିତରେ ଆହୁରି ନିର୍ଜନ ଭୟଙ୍କର ହୋଇ ଉଠିଛି-। ସତେ ଯେମିତି ଚତୁର୍ଦ୍ଦିଗରେ ପ୍ରକୃତିର ଏକ ନୀରବ ଉଦାସୀନତା ଲାଖି ରହିଛି ।

 

ପକ୍‍କା ଆଉ ଶଂଖ ମଲ୍ ମଲ୍ ପ୍ରସ୍ତର ନିର୍ମିତ ଅସଂଖ୍ୟ କବର ମୁଣ୍ଡ ଟେକିଛି ସେ ଶ୍ମଶାନ ମଧ୍ୟରେ ।

 

ବେଳେ ବେଳେ ସିଁ ସିଁ ହୋଇ ପବନ ସେଇ କବର ଗୁଡ଼ାକ ଦେହରେ ବାଜି ବହିଯାଉଛି-। ସବୁ ନିର୍ଜୀବ । ନିସ୍ତବ୍ଧ ।

 

ଦିନେ ନା ଦିନେ ମଣିଷ ଏଇ ଶ୍ମଶାନ କୋଳକୁ ନିଶ୍ଚୟ ଆସିବ । କିନ୍ତୁ ମଣିଷ ସେଇ ଶ୍ମଶାନ ପାଖକୁ ଯିବା ପାଇଁ ଭୟରେ ଶିହରି ଉଠେ । ତା’ ଚକ୍ଷୁରେ ନାଚି ଉଠନ୍ତି ସମସ୍ତ ଭୁତ, ପ୍ରେତ, ଡାଆଣୀ, ଚିରିଗୁଣୀ ।

 

ସେଇ ମାଶାଣୀ ଅବଶ୍ୟ ମୃତ୍ୟୁ ପରେ ଏ ନିର୍ଜୀବ ଶରୀରଟାକୁ ଆଶ୍ରୟ ଦିଏ ।

 

ସତ୍ୟ ଓ ବାସ୍ତବତାକୁ ହୃଦୟଂଗମ କରି ମଧ୍ୟ ମଣିଷ ତା’ଠାରୁ ଦୂରରେ ରହିବାକୁ ଚେଷ୍ଟା କରେ । କାହିଁକି କେଜାଣି ?

 

ମୁକ୍ତିଘାଟ, ମଣିଷ ସମାଜ ଠାରୁ ବହୁତ ଦୂରରେ ନିଘଞ୍ଚ ଜଂଗଲ ଓ ଘାଟି ମଧ୍ୟରେ ଅବସ୍ଥିତ । ଏକ ଆଶ୍ଚର୍ଯ୍ୟଜନକ ନିସ୍ତବ୍ଧତା ଚତୁର୍ଦ୍ଦିଗରେ ଘସି ହୋଇ ରହିଛି ।

 

ହଠାତ୍ ତାର ନିର୍ଜନତା ନଷ୍ଟ ହେଲା ।

 

ସେଇ ଘାଟିର ଏକ ଅଂଶରେ...

 

ଗୋଟାଏ ଛୋଟ କାଷ୍ଠ ନିର୍ମିତ କୁଟୀର । ତା’ ଭିତରେ ଜଣେ ବୃଦ୍ଧ ବାସ କରେ । ତାର କର୍ତ୍ତବ୍ୟ ହେଉଛି ମୃତ ଦେହ ସବୁକୁ ଦାହ କରିବା । କିମ୍ଭା କବର ତିଆରିରେ ସାହାଯ୍ୟ କରିବା ।

 

ବୃଦ୍ଧ, ଭିତରେ ବସି ନିଆଁ ଜାଳି ଦେହକୁ ଗରମ କରୁଥିଲା । ବାହାରେ ଶିଶିରର ଝଡ଼ । ଅଚାନକ ସେ କାଶି ଉଠିଲା ।

 

ଶ୍ମଶାନର ଶାନ୍ତିଭଂଗ ହେଲା କିଛି କ୍ଷଣ ପାଇଁ । ଅତ୍ୟଧିକ ଶୀତର ପ୍ରକୋପରେ ବୃଦ୍ଧ ଜଣକ ଥରି ଥରି ନିଆଁର ଆଉ ଟିକିଏ ନିକଟକୁ ଘୁଞ୍ଚି ଆସିଲା । ନିଜ ଶରୀରକୁ ଆବୃତ କରିଥିବା କମ୍ବଳଟାକୁ ଭଲଭାବେ ସଜାଡ଼ି ଦେଲା ।

 

ହଠାତ୍ ଚମକି ଉଠିଲା ସେ ।

 

କାନ୍ଥ ଦେହରେ ଝୁଲୁଛି ଘଣ୍ଟା । ଠନ୍ ଠନ୍ ହୋଇ ଦୁଇଟା ବାଜିବାର ସୂଚନା ଦେଲା । ସଙ୍ଗେ ସଙ୍ଗେ ଠିଆ ହୋଇଗଲା ସେ । ଆପାଦ ମସ୍ତକ ଭଲଭାବେ କମ୍ବଳଟାକୁ ଝୁଲାଇ ଦେଇ କୋଣରେ ଡେରା ହୋଇଥିବା ଠେଙ୍ଗାଟାକୁ ଧରି ବାହାରକୁ ଚାଲିଆସିଲା ।

 

ଖୁବ୍ ଦ୍ରୁତ ପଦରେ ସେ ଆଗେଇ ଯାଉଥିଲା । ପ୍ରାନ୍ତର ଡେଇଁ ପକ୍‍କା ରାସ୍ତା ଉପରକୁ ଉଠିଲା । ଚତୁର୍ଦ୍ଦିଗକୁ ଏକ ଅନୁସଂଧାନୀ ଚକ୍ଷୁରେ ଚାହିଁ ରାସ୍ତା କଡ଼ରେ ଥିବା ପାହାଡ଼ ଉପରକୁ ଉଠିଲା ସେ । ପ୍ରାୟ ଅଧଘଣ୍ଟାକ ପରେ ଶୀର୍ଷ ଦେଶରେ ଯାଇ ପହଞ୍ଚିଗଲା ।

 

ଉପରେ ଠିଆ ହୋଇ କିଛି ସମୟ ଦୀର୍ଘଶ୍ୱାସ ଟାଣିଲା । ପାହାଡ଼ ଚଢ଼ିବାରେ ସେ ଟିକିଏ କ୍ଳାନ୍ତ ହୋଇ ପଡ଼ିଥିଲା । ଦେହରେ ସ୍ୱେଦ ବିନ୍ଦୁ । ଅଳ୍ପ ସମୟ ପରେ ସେ ପଛକୁ ଫେରି ଚାହିଁଲା-ଦେଖିଲା ଏକ ବିସ୍ମୟକର ଘଟଣା...

 

ତା’ର ଚକ୍ଷୁ ଦ୍ୱୟ ହଠାତ୍ ବିସ୍ପାରିତ ହୋଇ ଉଜ୍ଜ୍ୱଳି ଉଠିଲା ।

 

ପ୍ରାୟ ଏକ ଫର୍ଲଂଗ୍ ଦୂରରେ ଦୁଇଟି ଛାୟା ମୂର୍ତ୍ତି ଆଗପଛ ହୋଇ ଆଗେଇ ଆସୁଛନ୍ତି । ସେ ଛାୟା ଦୁଇଟିରୁ ଜଣେ ସ୍ତ୍ରୀ । ଅନ୍ୟ ଜଣକ ପୁରୁଷ । ସ୍ତ୍ରୀ ଲୋକଟି ଆଗରେ ଏବଂ ପଛରେ ପୁରୁଷ ଜଣକ ।

 

କ୍ରମେ ସେମାନେ ନିକଟେଇ ଆସିଲେ । ବୃଦ୍ଧ ଲୋକଟି ଗୋଟାଏ ଶାଳବୃକ୍ଷ ଉହାଡ଼ରେ ଲୁଚିଗଲା ।

 

ଏଥର ସେ ଦୁଇଜଣ ଆଗକୁ ଚାଲିଗଲେଣି । ବୃଦ୍ଧ ଗଛ ଉହାଡ଼ରୁ ବାହାରି ଚାହିଁଲା ସେମାନଙ୍କର ଗତିପଥକୁ ।

 

ସେ ଦୁଇଜଣଂକ ଭିତରୁ ଜଣେ ସୌମିତ୍ର, ଅନ୍ୟ ଜଣକ ମଧୁମିତାର ଛାୟା । ଆଗପଛ ହୋଇ ଚାଲିଛନ୍ତି ।

 

ସୌମିତ୍ର ମନେ କରୁଥିଲା ସେ ନିଜେ ଯେମିତି ଚାଲୁ ନାହିଁ; ବରଂ ଘୋସାରି ହୋଇ ମଧୁମିତାର ପଛରେ ଯାଉଛି ।

 

ବୃଦ୍ଧ ଚାଲିଲା । ସେମାନେ ଯେଉଁ ବାଟ ଦେଇ ଯାଉଥିଲେ ଠିକ୍ ଲକ୍ଷ୍ୟ କରି ଯାଉଥିଲେ ସେ । ସେମାନେ କୌଣସି ଆଭାସ ନ ପାଇବା ପାଇଁ ବୃଦ୍ଧ ବହୁ ସତର୍କତାର ସହ ଗତି କରୁଥିଲା ।

 

ପ୍ରାୟ ପନ୍ଦର ମିନିଟ୍ ବିତିଲା । କାହା ମୁଖରେ ଭାଷା ନାହିଁ । ସମସ୍ତେ ନିଶ୍ଚୁପ ନୀରବ ।

 

ଚାଲୁ ଚାଲୁ ହଠାତ୍ ମଧୁମିତା ଅଟକି ଗଲା । ସମ୍ମୁଖରେ କାଷ୍ଠ ନିର୍ମିତ ଏକ ବିରାଟ ଫାଟକ । ଏଠାରେ ଘାଟୀର ସୀମା ଶେଷ ହୋଇ ଫାଟକ ତିଆରି ହୋଇଛି ।

 

ମଧୁମିତା ଫେରି ଚାହିଁଲା ସୌମତ୍ର ଆଡ଼କୁ । ତା’ ମୁଖରେ ହସ ଲାଖି ରହିଛି । ସୌମିତ୍ର ସ୍ଥିର ହୋଇଗଲା । ତା’ ମୁଖରେ କୌଣସି ଭାବ ଅନୁଭାବ ପରିଲକ୍ଷିତ ହେଉନଥିଲା ।

 

ସେମାନଙ୍କୁ ଅନୁସରଣ କରୁଥିବା ବୃଦ୍ଧ ଅଟକି ଗଲା ।

 

ମଧୁମିତା ପୁଣି ଚାହିଁଲା ସେଇ ମସ୍ତବଡ଼ ଫାଟକ ଆଡ଼କୁ । ହଠାତ୍ ଏକ ବିଚିତ୍ର ସ୍ୱର ସୃଷ୍ଟି କରି ସେ ଫାଟକଟା ଆପେ ଆପେ ଖୋଲିଗଲା ।

 

ସୌମିତ୍ର ଏକବାର ଆଶ୍ଚର୍ଯ୍ୟ ଚକିତ । ବୁଝି ପାରିଲାନି ଏ ଫାଟକଟା କେମିତି ଆପେ ଆପେ ଖୋଲିଲା । କାରଣ ମଧୁମିତା ଫାଟକ ଠାରୁ ପ୍ରାୟ ତିନି ଚାରି ଗଜ ଦୂରରେ ଠିଆ ହୋଇଥିଲା ।

 

ଫାଟକଟା ସଂପୂର୍ଣ୍ଣ ରୂପେ ମେଲା ହୋଇ ସାରିଥିଲା ।

 

ପଛରେ ଥିବା ବୃଦ୍ଧର ମୁଖରେ ସାର୍ଥକତାର ଏକ ହସ ଉକୁଟି ଉଠିଲା ।

 

ଆସ...ମଧୁମିତା କୋମଳ ସ୍ୱରରେ କହି ଆଗକୁ ଚାଲିଲା ।

 

ଫାଟକ ପାର୍ ହେଲା ସେ । ପଛରେ ମନ୍ତ୍ର ମୁଗଧ ଭଳି ଅନୁସରଣ କରୁଥିଲା ସୌମିତ୍ର-। ଚତୁର୍ଦ୍ଦିଗରେ ପୁଣି ନିସ୍ତବ୍ଧ, ନୀରବତାର ରାଜତ୍ୱ ।

 

ଦୁହେଁ ଘାଟୀ ଚଢ଼ିବାରେ ଲାଗିଲେ । ବେଶୀ ଉଚ୍ଚ ଅବଶ୍ୟ ନୁହେଁ । ମଧୁମିତା ଘାଟୀର ଉପର ଅଂଚଳର ଗୋଟାଏ ସ୍ଥାନରେ ହଠାତ୍ ଅଟକି ଗଲା । ସୌମିତ୍ର ବି ପାଖକୁ ଯାଇ ଠିଆ ହେଲା । ସେ ଅନୁଭବ କରୁଥିଲା କୌଣସି ପୁଷ୍ପର ସୁଗଂଧ ତାର ପାର୍ଶ୍ୱରେ ଖେଳି ବୁଲୁଛି ଯେମିତି ।

 

ଦେଖିଲ ସୌମିତ୍ର ! ଇଏ ହେଉଚି ମୋର ସଂସାର...ମଧୁମିତା ଅଂଗୁଳି ନିର୍ଦ୍ଦଶ କରି ତଳେ ଦିଶୁଥିବା ଶ୍ମଶାନ ଆଡ଼କୁ ଦେଖାଇ କହିଲା । ଜୀବନ୍ତ ପ୍ରାଣୀମାନଂକ ଠାରୁ ବହୁତ ଦୂରରେ...ମୃତ ମଣିଷର ସଂସାର ଏଇ । ଚତୁର୍ଦ୍ଦିଗ ଖାଲି ନିର୍ଜନ ମୌନ ।

 

ଦେଖୁଚି ମଧୁ ! ସୌମିତ୍ର ଧୀର ଗଳାରେ କହିଲା ।

 

ଏ ଯେତେ ସମାଧି ଦେଖୁଚି, ସେଥିରେ ଯେଉଁମାନେ ଅଛନ୍ତି ସମସ୍ତେ ବର୍ତ୍ତମାନ ନିଦ୍ରାରେ ବିଭୋର । କିଂତୁ ଶାନ୍ତି ନାହିଁ ସୌମିତ୍ର । ମୁଁ ଅଶାନ୍ତ ହୃଦୟରେ ଘୁରି ବୁଲୁଚି । କିଛି ସମୟର ନୀରବତା ପରେ ପୁଣି କହିଲା–ମୁଁ ଶାନ୍ତି ଚାହେଁ ସୌମିତ୍ର ! ମୋର ଅତୃପ୍ତ ଆତ୍ମାକୁ ତୁମେ ହିଁ ଶାନ୍ତି ଦେଇ ପାରିବ...ମୁଁ ତୁମର ସାନିଧ୍ୟ ଚାହେଁ । ଏ ଅଶାନ୍ତିର ତୃପ୍ତି ପାଇଁ ମୁଁ ସବୁବେଳେ ବ୍ୟାକୁଳ ବ୍ୟସ୍ତ । ଯେତେବେଳେ ତୁମେ ମୋ ପାଖରେ ହେବ ସେତେବେଳେ ମୁଁ ଶାନ୍ତି ପାଇବି । ମୋର ଆତ୍ମା ତୃପ୍ତ ହେବ । ମୋର ଏ ସଂସାରକୁ ତୁମେ ବି ଆସିବା ଦରକାର ସୌମିତ୍ର । ଏତିକି କହି ସେ କଇଁ କଇଁ ହୋଇ କାନ୍ଦି ଉଠିଲା ।

 

ମଧୁ ! ତୁମେ କାନ୍ଦୁଚ ? ସୌମିତ୍ରର କଂଠରେ ସମବେଦନାର ସ୍ୱର ।

 

ସୌମିତ୍ର, ମୋତେ ଶାନ୍ତି ଦିଅ । ମୁଁ ଚାହେଁ ତୁମକୁ । ମୋର ଆତ୍ମାକୁ ତୃପ୍ତ କର ସୌମିତ୍ର !

 

ସୌମିତ୍ର ଡୁବିଗଲା ମଧୁମିତାର ସାଦର ନିମନ୍ତ୍ରଣରେ । କହିଲା-ମୁଁ ପ୍ରସ୍ତୁତ ଅଛି ମଧୁ ! କୁହ, ମୋତେ କ’ଣ କରିବାକୁ ହେବ ?

 

ତୁମେ ? ହିଁ, ତୁମକୁ ଏଇ ଘାଟୀ ଉପରୁ ଡେଇଁ ଏ ନଶ୍ୱରଶରୀରକୁ ତ୍ୟାଗ କରିବାକୁ ହେବ ।

 

ତେବେ ଚାଲ । ମୁଁ ସେଥିପାଇଁ ପ୍ରସ୍ତୁତ ରହିଛି ।

 

ମଧୁମିତାର ମୁଖ ଉଜ୍ଜ୍ୱଳ ହୋଇ ଉଠିଲା । କହିଲା ଆସ ତେବେ...

 

ଏତିକି କହି ସେ ବାୟୁବେଗରେ ଉପରୁ ତଳକୁ ଡେଇଁଲା । ଓଃ, କି ସୁନ୍ଦର ଦୃଶ୍ୟ ! ସତେ ଯେମିତି ପବନରେ ପହଁରି ଯାଉଚି ସେ । ଦୋଳି ଖେଳି ଖେଳି ଖସି ଯାଉଚି ତଳକୁ ତଳକୁ । କିଂତୁ ଆଶ୍ଚର୍ଯ୍ୟର କଥା, ଯେଉଁ ଗତିରେ ସେ ଯାଇ ତଳେ ପଡ଼ିବା କଥା ସେତିକି ଗତିରେ ସେ ଖସୁ ନଥିଲା ।’ ସେ ଖୁବ୍ ଧୀରେ ଧୀରେ ପବନରେ ପହଁରିଲା ଭଳି ମନେ ହେଉଥିଲା–ଆସ ସୌମିତ୍ର । ଆସ । ଭୟ କର ନାହିଁ....

 

ଦେଖୁ ଦେଖୁ ସେ ଗୋଟାଏ ପକ୍‍କା ନିର୍ମିତ କବର ନିକଟରେ ଠିଆ ହୋଇଗଲା । କିଂତୁ ସଙ୍ଗେ ସଙ୍ଗେ ସେ ଅଦୃଶ୍ୟ ହୋଇଗଲା । ଯେମିତି କି ସେ କବର ସହ ମିଶିଗଲା । ସୌମିତ୍ର ଆଉ ଦେଖି ପାରିଲାନି କିଛି ।

 

ମୁଁ ଯାଉଛି ମଧୁ...ତମେ ଟିକିଏ ଦେଖାଦିଅ । ସୌମିତ୍ର ଚିତ୍କାର କରି ଉଠିଲା । ହଠାତ୍ ସେ ପାହାଡ଼ ଉପରୁ କୁଦା ମାରିବାକୁ ଉଦ୍ୟମ ହେଲା । କିନ୍ତୁ କେହି ଜଣେ ପଛରୁ ତାକୁ ଟାଣି ଆଣିଲା ।

 

ସୌମିତ୍ର ବଡ଼ ବ୍ୟାକୁଳ ହୋଇ ଛାଟିପିଟି ହେଲା । ପାଟି-କଲା-ଛାଡ଼, ମୁଁ ଯିବି । ମୋ’ ମଧୁ ମୋତେ ଡାକୁଛି । ତା’ ପାଖକୁ ଯିବା ପାଇଁ କହୁଛି । ମୁଁ ଯିବି ତା’ ନିକଟକୁ । ଚିତ୍କାର କରି ପାଗଳଂକ ପରି କହୁଥିଲା ସୌମିତ୍ର । ନିଜକୁ ଟାଣିବା ବ୍ୟକ୍ତିର ହସ୍ତରୁ ମୁକ୍ତ କରିବା ପାଇଁ ଲାଗିଛି ସେ । ବ୍ୟସ୍ତ ବ୍ୟାକୁଳ ହେଉଛି ।

 

ଏ ସବୁ କ’ଣ କରୁଛ ? ଶିକ୍ଷିତ ଭଦ୍ର ହୋଇ ଆତ୍ମହତ୍ୟା କରିବାକୁ ଯାଉଛ ? ଧରିଥିବା ବ୍ୟକ୍ତି ଜଣକ କଠୋର କଣ୍ଠରେ କହିଲା ।

 

ନା, ନା ମୁଁ କିଛି ଶୁଣିବି ନାହିଁ । ସେ ମୋତେ ଡାକୁଛି । ଛାଡ଼ି ଦିଅ ମୋତେ ।

 

ନା, ଆତ୍ମହତ୍ୟା କରିବା ମହାପାପ । ଏଥିପାଇଁ ମୁଁ ତୁମକୁ ସୁଯୋଗ ଦେବି ନାହିଁ ।

 

ତୁମେ କିଏ ? ତୁମର କୁ ଅଧିକାର ଅଛି ମୋ ଚଲା ପଥରେ ବାଧା ଦେବାକୁ ? ମୁଁ ମୋ’ ମଧୁପାଖକୁ ଯିବାକୁ ଇଚ୍ଛା କରୁଛି । ସେଥିରେ ତୁମର କ’ଣ ଅଛି ? ସୌମିତ୍ର ଚଢ଼ା ଗଳାରେ କହିଲା ।

 

ପ୍ରକୃତିସ୍ଥ ହୁଅ ଯୁବକ । କ୍ଷଣିକର ଉତ୍ତେଜନାରେ ନିଜକୁ ଅଂଧକାର ଭିତରେ ହଜାଇ ଦିଅନା । ଏ ଗୋଟାଏ ଭଣ୍ତାମୀ ପ୍ରତାରଣା....ଛଳନା.....

 

କ’ଣ ? ଚମକି ଉଠିଲା ସୌମିତ୍ର ।

 

ହଁ, ହଁ ମୁଁ ଠିକ୍ କହୁଛି । ଏ’ ଏକ ପ୍ରତାରଣା । ସେଇ ନାରୀର ଷଡ଼ଯନ୍ତ୍ର....

 

କିଂତୁ ସେ’ତ ମୋର ପତ୍ନୀ ମଧୁମିତା ।

 

ମଧୁମିତାର ମୃତ୍ୟୁ ହୋଇ ସାରିଛି ।

 

ହେଉ । ଇଏ ଯେ ତାର ଆତ୍ମା । ତାର ଅତୃପ୍ତ ଆତ୍ମା....

 

ସୌମିତ୍ର ! ତୁମେ ମୋ’ସାଥିରେ ଆସ । ସବୁ କହିବି । ବୁଝାଇ ଦେବି ଏ ଛଳନା କ’ଣ–କାହାର ।

 

କିଂତୁ ତୁମେ କିଏ ?

 

କେବଳ ଏତିକି ଜାଣ, ମୁଁ ତୁମର ଜଣେ ଶୁଭଚିନ୍ତକ ।

 

ସୌମିତ୍ର ହତପ୍ରଭ ହୋଇ ଠିଆହେଲା । ବୁଝିପାରୁ ନଥିଲା ଏ ସବୁ କ’ଣ ହେଉଛି । ଆଉ ଏ ଆଗନ୍ତୁକ ବ୍ୟକ୍ତି ଏତେ ରାତିରେ ଏଠାରେ କାହିଁକି ? ତାର ଚେତନା ଶକ୍ତି ଧୀରେ ଧୀରେ ଫେରି ଆସୁଥିଲା । ପୁଣି ସେ ସେଇ କବର ଆଡ଼କୁ ଚାହିଁଲା; ଯେଉଁଠି ମଧୁମିତା ଅଦୃଶ୍ୟ ହୋଇ ଯାଇଥିଲା ।

 

ସେ ଆଡ଼କୁ ଆଉ ଦୃଷ୍ଟି ଦିଅନା ସୌମିତ୍ର ! ଆସ ମୋ ସାଥୀରେ ।

 

ସୌମିତ୍ର ଦୃଷ୍ଟି ଫେରାଇଲା । ତା’ହୃଦୟରେ ଏକ ବିରାଟ ଦ୍ୱନ୍ଦ ।

 

ଆଗନ୍ତୁକ ସୌମିତ୍ରର ହାତ ଧରି ଫେରିଲେ ପଛକୁ । ଚାରିଆଡ଼େ ବହଳ ଅଂଧାର ପାଖ ପାଖର ଗଛ ଗୁଡ଼ାକରେ ବନ୍ୟ ପକ୍ଷୀ ପକ୍ଷିଣୀଙ୍କର ଅସ୍ଫୁଟ ଡେଣା ପିଟା ଶବ୍ଦ ।

 

ଦୁହେଁ ଚାଲିଲେ । କାହା ପାଟିରେ କଥା ନାହିଁ ।

 

ପଛରେ ଲୁଚି ଦେଖୁଥିବା ବୃଦ୍ଧ ଜଣକ ସବୁ ଶୁଣୁଥିଲା । ସେମାନେ ଚାଲିଯିବା ପରେ ବୃଦ୍ଧ ଅନ୍ୟ ଏକ ଦିଗରେ ଯାଇ ଅଦୃଶ୍ୟ ହୋଇଗଲା ।

 

ତିନି

 

ଛୋଟ ଷ୍ଟେସନଟିଏ ।

 

ବହୁତ ଦୂରରୁ ମିଂଜି ମିଂଜି ହୋଇ ଦିଶୁଛି ଷ୍ଟେସନର ଲାଇଟ୍ । ପଛରେ କ’ଣ ସବୁ ରହି ଯାଉଛି ବାରି ହେଉନାହିଁ । ଖାଲି କଜଳ କଳା ଅଂଧାର ।

 

ଟ୍ରେନର ଗତି ମନ୍ଥର ହେଲାଣି । ହର୍ଣ୍ଣ ଦେଉଛି ।

 

ପ୍ଲାଟ ଫର୍ମରେ ଯାଇ ଅଟକିବା କ୍ଷଣି ଷ୍ଟେସନ ସାରା କୋଳା-ହଳରେ ପୂର୍ଣ୍ଣ ହୋଇଗଲା-। ଟ୍ରେନର ଫାଷ୍ଟକ୍ଲାସ କଂପାର୍ଟମେଣ୍ଟରୁ ଜଣେ ତରୁଣୀ ବାହାରି ଆସିଲେ । ହାତରେ ଭ୍ୟାନିଟି ବ୍ୟାଗ । ପଦ ଦ୍ୱୟରେ ବ୍ଲାକ୍ କଲରର ହାଇହିଲ୍ । ତନୁବଲ୍ଲରୀରେ ଜଡ଼ି ରହିଚି କୃଷ୍ଣ ବର୍ଣ୍ଣର ମସୃଣ ନାଇଲନ ଶାଢ଼ୀ ।

 

ମୁଣ୍ତର ରେଶମୀ କେଶ ଗୁଚ୍ଛକୁ ଶୃଂଖଳିତ କରିଛି ଏକ ରଂଗୀନ ରିବନ୍ । ଶ୍ୱେତବର୍ଣ୍ଣା ଦେହ ଲତାରେ ଏ ସବୁ ପରିପାଟୀ ତରୁଣୀଟିକୁ ଆହୁରି ସୁନ୍ଦର କମନୀୟ କରି ତୋଳିଛି ।

 

ଯାତ୍ରୀମାନଂକର ଚକ୍ଷୁ ତାହାରି ଆଡ଼କୁ ଆକର୍ଷିତ ହୋଇଛି । ନିର୍ବିକାର ଭାବେ ଯୁବତୀଟି ଚତୁର୍ଦ୍ଦିଗରେ ଏକ ଲୀଳାଚଂଚଳ ଦୃଷ୍ଟି ପକାଇ ପ୍ଲାଟଫର୍ମ ଉପରେ ଆଗେଇ ଚାଲିଛି ।

 

ଚଂପକ ନିନ୍ଦିତ ଓଠ ଦି’ଫାଳରୁ ଝରୁଛି ଅର୍ଦ୍ଧ ପ୍ରସ୍ଫୁଟିତ ଗୋଲାପର ହସ....

 

କୁଲି....ସେ ଡାକିଲା ।

 

ମେମ୍ ସାହେବାଙ୍କ ଡାକ ଶୁଣିବା ମାତ୍ରେ କୁଲି ଧାଇଁ ଆସିଲା ପାଖକୁ ।

 

ଫାଷ୍ଟକ୍ଳାସ କଂପାର୍ଟମେଣ୍ଟରୁ ଜିନିଷ ସବୁ ନେଇ ଆସିବାକୁ ତରୁଣୀଟି ଆଦେଶ ଦେଲା । କୁଲି ଭିତରକୁ ଯାଇ ବାହାର କରି ଆଣିଲା ସୁଟକେଶ ଆଉ ବେଡିଂଟାଏ ।

 

ଗେଟରେ ଟିକେଟ୍ ଦେଇ ଯୁବତୀଟି ଷ୍ଟେସନ୍ ବାହାରକୁ ଆସିଲା । ପଛରେ କୁଲି ।

 

ବାହାରକୁ ଆସୁ ଆସୁ ଘୋଡ଼ା ଗାଡ଼ିବାଲା ଆସି ପହଂଚିଗଲା । ମୁହଁରେ ତାର ସଫେଦ ଦାଢ଼ୀ । ହାତରେ ଛାଟ । ଯୁବତୀର ଚେହେରା ଦେଖି ସେ ବଡ଼ ବ୍ୟସ୍ତ ହେଲାଭଳି ଆଗ ଗୋଡ଼ରୁ ମୁଣ୍ତ ଯାଏଁ ଚାହିଁଗଲା । ଦାଢ଼ୀରେ ହାତ ବୁଲାଇ ଆଣୁଥାଏ ସେ ।

 

ମାଣିକଝୋଲା ଯିବ ? ଯୁବତୀଟି ଧୀର କଣ୍ଠରେ ପଚାରିଲା ।

 

ଟିକିଏ ମନେ ପକାଇ ଲୋକଟି କହିଲା–ସେଇ ଯୋଉ ପାହାଡ଼ ପାଖେ ନା, ମେମ୍ ସାହେବ ?

 

ହଁ, ହଁ । କିଂତୁ ଏତେ ବାଟ ଯିବାକୁ ପଡ଼ିବ ନାହିଁ । ତା’ ପୂର୍ବରୁ ଯେଉଁ ଛୋଟ ଟାଉନଟିଏ ଅଛି ତାର ଶେଷ ଆଡ଼କୁ ଯିବା କଥା ।

 

ସେ’ଠି କାହା ଘରକୁ ଯିବେ ଆପଣ ?

 

ମି: ସୁମନ୍ତଙ୍କ ଘରକୁ ।

 

ଯିବ ମେମ୍ ସାହେବ ! ବସନ୍ତୁ ।

 

କୁଲି, ତାକୁ ଗାଡ଼ିରେ ରଖ । ତରୁଣୀଟି କୁଲିକୁ ଆଦେଶ ଦେଲା । ଭ୍ୟାନ୍‍ଟି ବ୍ୟାଗରୁ ଟଂକିକିଆ ନୋଟ୍‍ଟାଏ ବାହାର କରି ତା’ହାତକୁ ବଢ଼ାଇ ଦେଲା ।

 

ତରୁଣୀଟି ଯାଇ ଗାଡ଼ିରେ ବସିଲା । ବୃଦ୍ଧ ଆବଦୁଲ ମିଆଁ ଗାଡ଼ି ଚଲେଇଲା ଆଗକୁ ।

 

ସେତବେଳକୁ ରାତି ନଅଟା ।

 

ଆକାଶରେ ଜହ୍ନ ଉଇଁଛି । କିନ୍ତୁ ଭସା କୁହୁଡ଼ିର ସ୍ପର୍ଶରେ ଜ୍ୟୋତ୍ସ୍ନାରାଣୀ ବଂଦିନୀ ଯେମିତି । ତେଜ ହୀନପ୍ରଭ । ଚତୁର୍ଦ୍ଦିଗ ଅସ୍ପଷ୍ଟ ଦେଖାଯାଉଛି ।

 

ସାମାନ୍ୟ ଶୀତ ଦେହରେ ଲାଗିବାରୁ ତନ୍ୱୀ ଜଣକ ସୁଟ-କେଶରୁ ଶାଲ୍ ଖଣ୍ତିକ ବାହାର କଲେ ।

 

ଦୁହେଁ ନିଶ୍ଚୁପ । ଘୋଡ଼ାଗାଡ଼ି ଆଗେଇ ଚାଲିଥିଲା । ଆଗରେ ଶ୍ରମିକ ବସ୍ତି । ଛୋଟ ଛୋଟ କୁଡିଆ ଘର । ମାଟି କାନ୍ଥର ଫାଟ ବାଟେ ମିଂଜି ମିଂଜି ଆଲୁଅ ଦିଶୁଛି ।

 

ପ୍ରାୟ ଆଧାମାଇଲ ଅତିକ୍ରମ କରି ଆସିବା ପରେ ନିକଟରୁ ଶୁଭିଲା ଢୋଲ ମାଦଳର ଶବ୍ଦ । ତା’ ସହ ଅସ୍ପଷ୍ଟ ଗୀତର ସ୍ୱର । ବୋଧହୁଏ କୌଣସି ଆଦିବାସୀ ପଡ଼ା ଏଇଟା । ଆଦିବାସୀ ସଂଗୀତର ଆସର କେଉଁଠି ଚାଲିଛି । ପୁରୁଷ ଓ ନାରୀ କଂଠର ସମ୍ମିଳିତ ସ୍ୱର ଭାସି ଆସୁଥିଲା ।

 

ବାହାରକୁ ଚାହିଁଲେ ଖାଲି ଛୋଟ ବଡ଼ ପାହାଡ଼ ଶ୍ରେଣୀ ଦିଶୁଛି । ଦୂର ପାହାଡ଼ର ତଳଦେଶରେ ଅଂଧକାରର ଘନଛାୟା ବଡ଼ ଭୟଙ୍କର ମନେ ହେଉଛି । ଠାଏ ଠାଏ ବାରି ହେଉଛି ପତଳା କୁହୁଡ଼ିର ଆସ୍ତରଣ ।

 

ଏଥର ଟିକିଏ ବେଶୀ ଶୀତ ପଡ଼ି ଆସିଲାଣି । ଆଦିବାସୀ ସଂଗୀତର ସ୍ୱର ଆଉ ମାଦଳର ଚାଇଁ ଶୁଭୁ ନାହିଁ । ତରୁଣୀଟି ଭଲଭାବେ ଦେହସାରାରେ ଶାଲ୍ ଖଣ୍ତିକୁ ଘୋଡ଼ାଇ ଦେଲା-

 

ସହସା ଅବଦୁଲ ମିଆଁ ନୀରବତା ଭଂଗ କରି ପଚାରିଲା, ଆପଣ କେଉଁଠୁ ଆସୁଚନ୍ତି ମେମ୍ ସାହେବ ?

 

ପୁରୀରୁ ।

 

ଏକା ଆସୁଛନ୍ତି ନା ଆଉ ।

 

ହଁ ଏକାକୀ । ମାଣିକ ଝୋଲା ଏଠାରୁ କେତେ ବାଟ ମିଆଁ ସାହେବ ?

 

ଦଶ ଏଗାର ମାଇଲ୍ ହେବ ମେମ୍ ସାହେବ !

 

ଆଉ ସେଇ ଟାଉନ୍ ?

 

ଅନ୍ଦାଜ ସାତ୍ ଆଠ ମାଇଲ ଭିତରେ ।

 

କ’ଣ କାର୍ କି ଜିପ୍ ଯାଏନା ତେଣେ ?

 

ଯାଏ । କିନ୍ତୁ ସଂଧ୍ୟା ପୂର୍ବରୁ ।

 

ହଁ । ତୁମ ଘର ?

 

ରାୟଗଡ଼ାରୁ ଦୁଇ ତିନି ମାଇଲ ଆଗେ ମୋର ଘର ।

 

ସେ ପାଖରେ ଯେଉଁ ବସ୍ତିଟା ଦିଶୁନି, ସେଇଠି ।

 

ତୁମେ ସୁମନ୍ତ ବାବୁଙ୍କୁ ଜାଣିଛ ?

 

ହଁ ମେମ୍ ସାହେବ ! ଖୁବ୍ ଭଲ ଭାବେ ଜାଣେ । ମୋ ଗାଡ଼ିରେ ସାହେବ ଅନେକଥର ବସିଚନ୍ତି ।

 

ସେ କେମିତିକା ଲୋକ, କହି ପାରିବ ?

 

ବଡ଼ ସଜ୍ଜନ ଲୋକ ମେମ୍ ସାହେବ ! କିନ୍ତୁ ଆପଣ ଏସବୁ... ?

 

ନା, ନା, ସେମିତି କିଛି ନୁହେଁ । ଆଚ୍ଛା ଗୋଟାଏ କଥା କହିବ ?

 

ପଚାରନ୍ତୁ ।

 

ଟାଉନ୍ କେମିତିକା ଯାଗା ?

 

ଭଲ ମେମ୍ ସାହେବ ! ବୁଲିବା ପାଇଁ ତା’ ଠୁଁ ଭଲ ଯାଗା ଏଠାରେ ନାହଁ । ଆପଣ ଦେଖିବେନିକି ।

 

ହଁ । ଯୁବତୀଟି ଠିକ୍ ଭାବେ ବସି ଉତ୍ତର ଦେଲା । ପୁଣି ଦୁହେଁ ଚୁପ୍ ହୋଇଗଲେ କିଛିକ୍ଷଣ ।

 

କିଂତୁ ଗୋଟାଏ କଥା ମେମ୍ ସାହେବ !

 

ନୀରବତା ଭଙ୍ଗ କରି ଅବଦୁଲ ମିଆଁ କହିଲା ।

 

କଣ ? କୁହ ।

 

ଆଜିକାଲି ଟିକିଏ ଗଡ଼ବଡ଼ ହୋଇଯାଇଚି ଟାଉନଟା ।

 

କାହିଁକି ? ଯୁବତୀଟି ଟିକିଏ ବ୍ୟଗ୍ର ହୋଇ ଉଠିଲେ ଶୁଣିବାକୁ ।

 

ଟାଉନ୍ ପାଖରୁ ପ୍ରାୟ ଏକମାଇଲ ଦୂରରେ ଗୋଟାଏ ଶ୍ମଶାନ ଅଛି । ସେଇଟାକୁ ଲୋକ ମୁକ୍ତିଘାଟ କହନ୍ତି । ସେଠି ଦିନେ ଦିନେ ବଡ଼ ବିଚିତ୍ର ସ୍ୱର ଶୁଣିବାକୁ ମିଳୁଛି ମେମ୍ ସାହେବ ।

 

ସତରେ ? ଯୁବତୀଟି ବିସ୍ମୟ ହୋଇ ପଚାରିଲା । ସେ ସ୍ୱର କେମିତିକା ଶୁଭୁଛି–କାହାର-?

 

ଯେମିତିକି ଜଣେ ସ୍ତ୍ରୀ ଲୋକ ଧୀରେ ଧୀରେ ଗୀତ ଗାଉଚି । ପୁଣି ଗାଉ ଗାଉ କାନ୍ଦି ଉଠୁଚି.....

 

କେହି ଦେଖା ଯାଉ ନାହାନ୍ତି ?

 

ବହୁତ ଦେଖିବା ପରେ ଖାଲି ଗୋଟାଏ ସଫେଦ୍ ଛାୟାମୂର୍ତ୍ତି ଦେଖାଯାଉଛି । ସେ ଏଣେ ତେଣେ ଘୁରୁଛି ।

 

କିଛି କେହି ଅନୁସନ୍ଧାନ କରୁ ନାହାନ୍ତି ?

 

ଆପଣ ବି ବଡ଼ ଆଶ୍ଚର୍ଯ୍ୟ କଥା କହୁଛନ୍ତି ମେମ୍ ସାହେବ ! ଯଦି କୌଣସି ବଂଚିବା ଲୋକ ଥାଅନ୍ତା ସେଠି ତେବେ ସିନା ଖୋଜଖବର ନେଲେ ହୁଅନ୍ତା । ସିଏତ ଗୋଟାଏ ଆତ୍ମା.....

 

କ’ଣ...ଯୁବତୀ ଆଶ୍ଚର୍ଯ୍ୟ ହୋଇ ଚିହିଁକି ଉଠିଲା ।

 

ହଁ । ସେ ଟାଉନରେ ଥିବା ସୌମିତ୍ର ସାହେବଂକ ସ୍ତ୍ରୀଙ୍କର ଆତ୍ମା....ସେ ଦୁଇଥର ତାଂକ ଘରକୁ ଆସି ସାରିଲାଣି । ଆଉ ସୌମିତ୍ର ସାହେବଂକୁ ତା ସାଥୀରେ ଯିବାକୁ କହୁଛି ।

 

ବାପରେ ! ଯୁବତୀଟି ଭୟରେ ସକୁଚିତ ହୋଇ କହିଲା । ତେବେ କ’ଣ ସୌମିତ୍ର ବାବୁ ଗଲେ ?

 

ହଁ । ଦୁଇଥର ଗଲେ । ପାହାଡ଼ ଉପରୁ ଡେଇଁବାକୁ ଇଚ୍ଛାକଲେ । କିଂତୁ ସେତିକିବେଳେ ସୁମନ୍ତ ସାହେବ ପହଂଚି ତାଂକୁ ରୋକିଛନ୍ତି ।

 

କିଂତୁ ସୁମନ୍ତ ବାବୁଂକ କେମିତି ଜଣା ପଡ଼ିଲା ? ଯୁବତୀଟି ବିସ୍ମୟରେ ପଚାରିଲା ।

 

ଥରେ ସାହେବ ରାତିରେ ଚେଇଁ ବସିଥିଲେ । ସେତିକିବେଳେ ଏଇ ଘଟଣା ଘଟିଲା । ସୌମିତ୍ର ସାହେବଂକ ଘର ଆଉ ସୁମନ୍ତ ସାହେବଂକ ଘର ଏକାଠି ଲାଗିଛି । ସୁମନ୍ତ ସାହେବଂକ ରୁମରୁ ଚାହିଁଲେ ସୌମିତ୍ର ସାହେବଂକର ରୁମର ସବୁ ଜିନିଷ ଦେଖାଯାଏ । ଏଇଥିପାଇଁ ସାହେବ ବଂଚିଗଲେ ।

 

ହଁ । ଯୁବତୀଟି ବିସ୍ମୟରେ ଅଭିଭୂତ ହୋଇ ପଡ଼ିଲା । ଆଉ ସେ କିଛି କହିପାରିଲାନି ।

 

ଘୋଡ଼ାଗାଡ଼ିଟି ପକକା ରାସ୍ତା ଛାଡ଼ି ବଂଧୁର ପଥରେ ପଡ଼ି ଉଠି ଗତି କରୁଥିଲା । କିଛି ସମୟ ପରେ ଟାଉନ୍ ଦିଶିଲା । ଅସ୍ପଷ୍ଟ ଆଲୋକ ଦିଶୁଛି ଦୂରରୁ ।

 

ଘୋଡ଼ାଗାଡ଼ି ଯାଇ ଅଟକିଲା ଗୋଟାଏ ବଡ଼ କୋଠା ନିକଟରେ ।

 

ମେମ୍ ସାହେବ ! ଏଇ କୋଠାଟା ସାହେବଂକର ଘର ।

 

ହଁ । ଯୁବତୀଟି କହି ଓହ୍ଲାଇଗଲା । ଏଇ ନିଅ ଦଶଟଂକା । ନୋଟଟାଏ ବଢ଼ାଇ ଦେଲା ସେ ।

 

ମିଆଁ ସାହେବ ଖୁସି ହୋଇ ଜିନିଷ ବାହାର କରିଦେଲା । ତା’ପରେ ଗାଡ଼ି ନେଇ ସେ ଚାଲିଗଲା ।

 

ଯୁବତୀଟି ଯାଇ ଠିଆ ହେଲା ଦ୍ୱାର ନିକଟରେ । କଲିଂବେଲ୍ ଟିପିଲା ।

 

କିଏ ସେ ? କେହି ଜଣେ ପୁରୁଷର କଂଠ ଶୁଭିଲା ।

 

ଦ୍ୱାର ଖୋଲନ୍ତୁ ।

 

କିଛି କ୍ଷଣପରେ ଦ୍ୱାର ଫିଟିଲା । ଜଣେ ଖୁବ ସୁନ୍ଦର ଯୁବକ ଠିଆ ହୋଇଛନ୍ତି । ଦେହରେ ସ୍ଳିପିଂସୁଟ ।

 

ଆପଣଂକର ପରିଚୟ ।

 

କ’ଣ ଏଇଠି ସବୁ ପଚାରି ବୁଝିବେ ? ଆରେ ଏମିତି କ’ଣ ମୋତେ ଚାହିଁବାରେ ଲାଗିଛନ୍ତି । କେବେ କ’ଣ କୌଣସି ଝିଅ ଦେଖିନାହାନ୍ତି ? ଏତିକି କହି ଯୁବତୀଟି ହସି ଉଠିଲା ।

 

ଓ, କ୍ଷମା ଦେବେ । ଭୁଲି ଯାଇଥିଲି । ଆସନ୍ତୁ ।

 

ଯୁବକ ବଡ଼ ବିସ୍ମୟ ବିସ୍ପାରିତ ନେତ୍ରରେ ଚାହିଁ ରହିଚି ଯୁବତୀଟି ଆଡ଼କୁ । ବୁଝିପାରୁ ନଥିଲା ଏ କିଏ ? ଏତେ ରାତିରେ ଆସିବାର ଲକ୍ଷ୍ୟ କ’ଣ ଥାଇପାରେ ?

 

ଯୁବତୀଟି ଭିତରକୁ ମଂଦ ମଂଥର ଗତିରେ ପ୍ରବେଶ କଲା ।

 

ଯୁବକ ସୁମନ୍ତ ସୁଟକେଶ ଆଉ ବେଡ଼ିଂଟାକୁ ଭିତରେ ରଖି କବାଟ ବଂଦ କଲା ।

 

ଯୁବତୀଟି ସୋଫା ଉପରେ ଅର୍ଦ୍ଧ ଶାୟିତ ଅବସ୍ଥାରେ ବସିଛି । ସେ ମଧ୍ୟ ଚୁପ୍‍ ଚାପ ଯାଇ ତା ସମ୍ମୁଖରେ ଥିବା ସୋଫା ଉପରେ ବସିଲା ।

 

ଆପଣଂକର ପରିଚୟ ଦେଲେ ନାହିଁ ତ ?

 

ଯୁବତୀଟି ସ୍ଥିର ହୋଇ କିଛି ସମୟ ରହିବା ପରେ ଟିକିଏ ବ୍ୟଂଗ ଭରା କଣ୍ଠରେ କହିଲା, ପ୍ରଥମେ ଆଗନ୍ତୁକ ଅତିଥିଂକର ସତ୍କାର କରାଯାଏ–ତା’ପରେ ପରିଚୟ....ଏତିକି କହି ସେ କିରି କିରି ହୋଇ ହସି ଉଠିଲା ।

 

ସୁମନ୍ତ ବୁଝିପାରିଲା ତାର ଦୋଷ । ଡାକ ପକାଇଲା, ବଳିଆ ! ଆବେ ବଳିଆ !

 

ଘରର ଚାକର ବଳିଆ ! ତା’ କାନରେ ପଡ଼ିଲା ବାବୁଂକର ଡାକ । ଶୋଇଥିଲା । ଧଡ଼ପଡ଼ ହୋଇ ଉଠି କହିଲା, ଯାଉଛି ବାବୁ ! ଆଖି ମଳିମଳି ଆସିଲା ।

 

ୟାଂକ ପାଇଁ କପେ ଚା’ ଆଉ କିଛି ଖାଇବା ଜିନିଷ ନେଇ ଆ ।

 

କ’ଣ ମୋ’ ପାଇଁ ଖାଲି ? ଯୁବତୀଟି ସଂଗେ ସଂଗେ କହିଲା ।

 

ହଁ । ମୁଁ ଏ ସମୟରେ ଚା’ ଖାଏନା । ଚାକରକୁ ଚାହିଁ ସୁମନ୍ତ କହିଲା, ଯା ଶୀଘ୍ର ନେଇ ଆ ।

 

ବଳିଆ ଚାହିଁଛି ରୂପଯୌବନ ସଂପନ୍ନା, ବିଚିତ୍ରବର୍ଣ୍ଣା ତରୁଣୀଂକ ଆଡ଼କୁ । ଚକ୍ଷୁ ପଲକ ହୀନ । ବାବୁଂକର ଆଦେଶ ଶୁଣି ବଡ଼ ଅନ୍ନିଚ୍ଛା ସତ୍ତ୍ୱେ ଭିତରକୁ ଗଲା ।

 

ବଳିଆ ଯିବା ପରେ ଯୁବତୀଟି କହିଲା, ଆପଣଂକୁ ମୋ’ ବ୍ୟବହାର ମୋଟେ ଭଲ ଲାଗୁ ନଥିବ ?

 

ହଁ । ନା ନା ସେମିତି କିଛି...ତରୁଣୀଂକୁ ଚାହିଁ ସୁମନ୍ତ ଅନ୍ୟମନସ୍କ ହୋଇ ପଡ଼ୁଥିଲା ।

 

କିଛି ଦିନ ପରେ ମୋ’ ବ୍ୟବହାର ଆପଣଙ୍କୁ ଭଲ ଲାଗିବ । ଯୁବତୀ କିହିଲା ।

ମାନେ ?

ମାନେଟା ବି ବୁଝି ପାରିବେ ।

ସୁମନ୍ତ ଆଶ୍ଚର୍ଯ୍ୟ ଚକିତ ହୋଇ ତରୁଣୀଂଙ୍କ ମୁଖମଂଡ଼ଳକୁ ନିରୀକ୍ଷଣ କରୁଥିଲା । କ’ଣ ଭାବି ପୁଣି କହି ଉଠିଲା, ମୁଁ ଏଭଳି ବ୍ୟବହାରରେ ଦୁଃଖିତ ।

ହେବା ବି ଉଚିତ । ଯୁବତୀଟି ହସି ଉଠିଲା ।

ଆପଣ କ’ଣ କହିବାକୁ ଚାହାନ୍ତି ?

ଆପଣଂକ ସାଥୀରେ...ମାନେ ଆପଣଂକ ପାଖେ ରହିବା ପାଇଁ ।

ଇସ୍ ! ଆପଣ ଏ ସବୁ କ’ଣ କହୁଛନ୍ତି । ସୁମନ୍ତ ବ୍ୟସ୍ତ ବିଚଳିତ ସ୍ୱରରେ କହିଲା ।

ସୁମନ୍ତର ଏଭଳି ବ୍ୟସ୍ତତା ଦେଖି ଯୁବତୀଟି ପୁଣି ହସି ଉଠିଲା । ସୁମନ୍ତ ଆଶ୍ଚର୍ଯ୍ୟ । ଏତିକିବେଳେ ବଳିଆ ଟ୍ରେରେ ବିସ୍କୁଟ ଚା ନେଇ ପହଂଚିଲା । ଯୁବତୀର ସାମନାରେ ଟ୍ରେ ରଖିଲା ।

ଚୁପଚାପ ଯୁବତୀଟି ଚା’ ନେଇ ପିଇଲା । ସୁମନ୍ତର ଦେହ ଭିତରଟା ଜଳି ଉଠୁଥିଲା ଯୁବତୀଟିର ହାବ ଭାବ ଦେଖି । କିଛିକ୍ଷଣ ପରେ ସବୁ ଶେଷ କରି ଯୁବତୀଟି ସଜବାଜ ହୋଇ ବସିଗଲା ସୋଫା ଉପରେ ।

ବର୍ତ୍ତମାନ ପଚାରନ୍ତୁ ଯାହା ପଚାରିବାର ଅଛି । ଯୁବତୀ ଏକ ବ୍ୟଙ୍ଗଭରା କଣ୍ଠରେ କହିଲା ।

ଆପଣ ଏଠାକୁ କାହିଁକି ଆସିଛନ୍ତି ?

ଏକଥା ଆଗରୁ କହିଛି ।

ଆପଣଂକ ନାଁ ?

ମନେ ନାହିଁ । ଯୁବତୀ ଟିକିଏ ଗଂଭୀର ହୋଇ କହିଲା ।

ମୁଁ ଯାହା ପଚାରୁଛି ଠିକ୍ ଠିକ୍ ଉତ୍ତର ଦିଅନ୍ତୁ–ନ ହେଲେ...

ନହେଲେ କ’ଣ ?

ନହେଲେ......ନହେଲେ ମୁଁ ପାଗଳ ହୋଇଯିବି ।

ଯୁବତୀ ବୁଝିପାରିଲା, ବର୍ତ୍ତମାନ ସୁମନ୍ତ ଅତିମାତ୍ରାରେ ବ୍ୟସ୍ତ ବ୍ୟାକୁଳ ହୋଇ ପଡ଼ିଛି । ଏଣୁ କହିବାକୁ ଆରଂଭ କଲା, ମୋର ନାମ ମୀନା ।

ଦୁନିଆଁରେ ଅସଂଖ୍ୟ ଯୁବତୀ ଏଇ ନାମରେ ଅଛନ୍ତି ।

ମୁଁ ପୁରୀର ଆଡ଼ଭୋକେଟ ପି. କେ. ରାୟଂକ ଝିଅ ମୀନା ।

ସୁମନ୍ତ ଚମକି ପଡ଼ିଲା । ସତେ ଯେମିତି ବିଜୁଳି କରେଣ୍ଟ ତା’ ଶରୀରରେ ସ୍ପର୍ଶ କଲା ।

ହଁ ସୁମନ୍ତ ! ମୁଁ ସେଇ ମୀନା ।

ତେବେ....ତେବେ, ତୁମେ; ମୀନା ! ସୁମନ୍ତ ଚକିତ ହୋଇ ଅସ୍ପଷ୍ଟ ସ୍ୱରରେ କହିଲା ।

ହଁ ସୁମନ୍ତ ! ଠିକ୍ ପାଞ୍ଚବର୍ଷ ତଳେ । ତୁମେ ମୋ’ ସାଥୀରେ ବି. ଏ. ପଢ଼ୁଥିଲ । ମୁଁ ସେତେବେଳେ ତୁମକୁ ଭଲ ପାଇଥିଲି । ତମେ ମଧ୍ୟ ମୋ’ ର ସମସ୍ତ କଥା ରଖିଥିଲ । କିଂତୁ ପିତାଂକର ଅନିଚ୍ଛା ଯୋଗୁଁ ଆମର ବିବାହ ହୋଇ ପାରିଲାନି । ସେଇଥିପାଇଁ ତୁମେ ପୁରୀ ଛାଡ଼ି ବହୁ ଦୂର ଆସି ଏଇ ରାୟଗଡ଼ା ନିକଟରେ ରହିଲ ।

କିଂତୁ ତୁମେ ସବୁ ଭୁଲି ଯାଇଛ । ମୋତେ ଦେଖିଲ । ମୁଁ ଆଜିଯାଏଁ ତୁମରି ପାଇଁ ଚାହିଁ ରହିଛି । ଦେବତା ଭଳି ପୂଜା କରୁଛି । ତୁମ ପାଇଁ ମୁଁ ବହୁତ କିଛି ସହିଚି । କିଂତୁ ମୁଁ ଦୁର୍ବଳ ହୋଇ ତୁମକୁ ମୋ’ ମନରୁ ଦୂରେଇ ପାରିନି । ଆଜି ତୁମେ ସବୁ ଭୁଲିଗଲ ? ତୁମର ପ୍ରିୟ ମୀନାକୁ ମନରୁ ପାଶୋରି ପାରିଲ ? କେତେ ସତରେ ପରିବର୍ତ୍ତନ ହୋଇଯାଇଛି ତୁମର !

କହୁ କହୁ ମୀନା କଂଠ କରୁଣତାରେ ଭରିଗଲା । ଆଉ କହିପାରିଲାନି । ଆଖିରେ ଅଶ୍ରୁ ଢଳ ଢଳ ହୋଇ ଉଠିଲା ।

ସୁମନ୍ତ କିଂକର୍ତ୍ତବ୍ୟବିମୂଢ଼ ହୋଇ ବିସିଛି । ମୀନା ସହ ଏ ଜୀବନରେ ଆଉ ଦେଖା ହୋଇ ପାରିବାର ପରିକଳ୍ପନା ତାର ନଥିଲା । ପାଞ୍ଚବର୍ଷ ଅତୀତର ସମସ୍ତ ସ୍ମୃତି ଆଖି ଆଗେ ଜଳ ଜଳ ହୋଇ ଦେଖାଗଲା ।

ସତରେ କ’ଣ ଏ ସେଇ ମୀନା ! ସେ ତାକୁ କେତେ ଭଲ ପାଉଥିଲା......ଟିକିଏ ନଦେଖିଲେ ପାଗଳ ହୋଇ ଉଠୁଥିଲା ସୁମନ୍ତ । କେତେ ହସ ଖେଳରେ ସେ ମୁହୂର୍ତ୍ତ ଗୁଡ଼ାକ ସ୍ୱର୍ଗୀୟ ଅନଂଦରେ ଭରି ଉଠୁଥିଲା ! ସବୁ ମନେ ପଡ଼ୁଛି ସୁମନ୍ତର ।

କିଛି ସମୟ ପରେ ସୁମନ୍ତ ପ୍ରଶ୍ନ କଲା, ତୁମେ କ’ଣ ସମସ୍ତଂକୁ ଛାଡ଼ି ଚାଲି ଆସିଛ ? ଏତିକି କହି ମୀନା ଆଡ଼କୁ ଚାହିଁଲା ।

ମୀନାର ଚକ୍ଷୁ ଅଶ୍ରୁସଜଳ ଥିଲା । ଚିକ୍‍କଣ ଗଣ୍ଡ ଦେଇ କେଇଧାର ଅଶ୍ରୁ ବହି ଆସୁଥିଲା ଧୀରେ ଧୀରେ ।

ସୁମନ୍ତ ଉଠି ତାର ଅତି ନିକଟକୁ ଗଲା । ତା ଗଣ୍ଡ ଦେଶରୁ ଲୁହଧାର ପୋଛି କହିଲା, ମୋତେ କ୍ଷମା ଦିଅ ମୀନା ! ମୁଁ ତୁମକୁ ଚିହ୍ନି ପାରିଲିନି ।

ବର୍ତ୍ତମାନ କ’ଣ ଚିହ୍ନିପାରିଲ ?

ହଁ । କିଂତୁ ତୁମ ଚେହେରାରେ କେତେ ପରିବର୍ତ୍ତନ ହୋଇ ଯାଇଛି । ଏତିକି କହି ସୁମନ୍ତ ମୀନାକୁ ବକ୍ଷ ନିକଟରେ ଟାଣି ଆଣିଲା ।

ମୀନା, ଲଜ୍ଜାର ନମ୍ର ସ୍ପର୍ଶରେ ଝାଉଁଳି ପଡ଼ୁଥିଲା ।

 

ଚାରି

 

ସୁନୀଳ ରାତ୍ରୀ ।

 

ସୁମନ୍ତ ସ୍ୱପ୍ନ ଦେଖୁଛି । ହଠାତ୍ ତା’ ଶରୀରରେ ଏକ ଚମକ ଖେଳିଗଲା । ଉଠି ବସିଲା ସେ । ପୁଣି ସଂଗେ ସଂଗେ ଶୋଇ ପଡ଼ିଲା ।

 

ମୀନା ଶୋଇଛି ପାଖରେ । ଅତି ନିକଟରେ । ଦେହ ଲାଗିଛି । ନବନୀତ ଭଳି ତରଳ ସ୍ନିଗଧ୍ ଦେହ....... ତାର ପଦ୍ମ ପାଖୁଡ଼ା ଭଳି କୋମଳ କାନ୍ତ ହସ୍ତ ବେଷ୍ଟନ କରିଛି ସୁମନ୍ତର ଦେହ ସଂଭାରକୁ ।

 

ସୁମନ୍ତ ମୀନାର ହାତଟାକୁ ଉଠାଇବାକୁ ଚେଷ୍ଟା କଲା । କିଂତୁ ଚେଷ୍ଟା କରି ବି ପାରିଲାନି-। ବରଂ ମୀନା ଆଉ ଟିକିଏ ଜୋରରେ ଜାକି ଧଇଲା ତାର ଦେହକୁ ।

 

ସୁମନ୍ତ ମୀନା ଦେହର ଗଂଧରେ ବିଭୋର । ତାର ଶରୀରର ଶତତନ୍ତ୍ରୀ, ତଂଦ୍ରିଳ ସ୍ଥିରତାକୁ ପରିହାସ କରି ଲୀଳାଚଂଚଳ ହୋଇ ଉଠୁଥିଲେ । ତାର ପୌରୁଷ ଦୂରେଇ ଦୂରେଇ ଯାଉଥିଲା ଯେମିତି । ସଂଯମଜଳ କୂଳ ଲଂଘିଛି ।

 

ମୀନା ! ଭାବବିହ୍ୱଳ କଂଠରେ ଡାକିଲା ସୁମନ୍ତ ।

 

କିଂତୁ କୌଣସି ଉତ୍ତର ନାହିଁ । ସେମିତି ମୀନା ଚୁମ୍ବନ ଭଳି ଲାଗି ରହିଛି ।

 

ମୀନା ! ଟିକିଏ ଅସ୍ଥିର କଂଠରେ ଡାକିଲା ।

 

ଶୋଇଯାଅ ସୁମନ୍ତ ! ଶୋଇପଡ଼ ।

 

ଏ ସବୁ ଦୁଷ୍ଟାମୀ......କହି ମୀନାର ହାତକୁ ତା’ଦେହରୁ ଉଠାଇ ଆଣୁଥିଲା ସୁମନ୍ତ ।

 

ମୋତେ ଅଲଗା କରି ଦିଅନା ସୁମନ୍ତ ! ମୁଁ ତୁମ ଦେହର ଉଷ୍ମତା ଭିତରେ ହଜି ଯିବାକୁ ଚାହେଁ । ଏଇଥିରେ ମୁଁ ପାଇବି ଅମରାବତୀର ସୁଖ ସଂଭୋଗ.....

 

କିଂତୁ ଏ ସବୁ ଖରାପ । ପାପ କାହାର ଆଶା ଆକାଂକ୍ଷାକୁ ପୂର୍ଣ୍ଣ କରି ଦେବାଟା ପାପ ନୁହେଁ । ଭୁଲ୍ ନୁହେଁ ସୁମନ୍ତ ! ତୃଷାର୍ତ୍ତ ପ୍ରାଣୀକୁ ଜଳ ଯୋଗାଇ ଦେବା କ’ଣ ପାପ ?

 

ମୀନା ! ତମେ ଅଂଧ ହୋଇ ଯାଇଚ । ଭାବପ୍ରବଣତାରେ ତମେ ଭାସୁଚ ।

 

ତମେ କ’ଣ ମୋତେ ଭଲ ପାଅନା ?

 

ଭଲପାଏ । କିଂତୁ ତୁମ ଶରୀରକୁ ନୁହେଁ । ତୁମର ଆତ୍ମାକୁ ଭଲ ପାଏ ।

 

ମୋ’ ଆତ୍ମାର ବି ପିପାସା ରହିଚି ସୁମନ୍ତ । ସେ ପିପାସାର ଅଗ୍ନିକୁ ତୁମେ ହିଁ ଲିଭାଇବ । ଏତିକି କହି ସୁମନ୍ତର ବକ୍ଷରେ ସେ ମୁଣ୍ଡ ଗୁଂଜି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା ।

 

ମୀନା ! ତୁମେ ମୋତେ ବଡ଼ ହଇରାଣରେ ପକାଉଛ । ଦୁନିଆଁ କ’ଣ କହିବ ?

 

ବର୍ତ୍ତମାନ ଯେ ଯାହା କହୁ ପଛେ ମୋର ଆଶା ଆକାକ୍ଷାଂକୁ ତୁମେ ହିଁ ପୂର୍ଣ୍ଣ କରିବ । ମୋତେ ପିପାସୀ ହୃଦୟରେ ଛାଡ଼ି ଦିଅନା ।

 

ନାରୀର ଅବେଦନ କେବେ ବିଫଳ ହୁଏନା । ପୁଣି ଏତେ ନିକଟରେ ? ସୁମନ୍ତ ଯୁବକ-। ଉଷ୍ମ ରକ୍ତ ପ୍ରବାହିତ ଶରୀର ତା’ର ।

 

ମୀନା ଯୁବତୀ । ଦେହ ଧରଣୀରେ ତାର ବସନ୍ତର ସବୁଜିମା ଘେରିଛି । ପୁଷ୍ପ ମଧୁ ଲହଡ଼ି ଭାଂଗୁଛି । ସୁଗଂଧିରାଜ ପୁଷ୍ପ ବସା ବାଂଧିଛି ।

 

ସୁମନ୍ତର ବାହୁ ବେଷ୍ଟନ କଲା ମୀନାର ସୁଗୋଲ ସୁଗଠିତ ବକ୍ଷ ଦେଶକୁ । ମୀନାର କୃପାଣ ନିନ୍ଦିତ ନାସାଗ୍ରକୁ ସ୍ପର୍ଶ କଲା ସୁମନ୍ତର ଓଠ । ତାପରେ ଘନ ଘନ ସ୍ପୁରିତ ମଧୁଝରା ଚିବୁକ ଆଡ଼କୁ....

 

ସେତେବେଳେକୁ ଆକାଶ ଅଗଣାରେ ଜହ୍ନ ଗଡ଼ି ଗଡ଼ି ଯାଉଥିଲା ଦୂର ଦିଂଗତକୁ ଚାହିଁ ।

 

ପାଞ୍ଚ

 

ମୀନା ! ସୁମନ୍ତ ଚିତ୍କାର କରି ଉଠିଲା ଜୋରରେ । ମୁଁ ବୁଝିପାରୁ ନାହିଁ ତୁମେ ଏ ସବୁ କ’ଣ କହୁଛ ।

 

ମୁଁ ତୁମକୁ ଯେଉଁ ପ୍ରସ୍ତାବ ଦେଲି ତାହା ତୁମର ଭଲ ପାଇଁ । ବୁଝିଲ ? ମୀନା ଟିକିଏ ଗଂଭୀର ହୋଇ କହିଲା ।

 

ମୋର ଏ ପ୍ରକାରର ମଂଗଳ ଦରକାର ନାହିଁ; ଯେଉଁଥିରେ କି ଅନ୍ୟର ରକ୍ତରେ ମୋର ହସ୍ତ ରଂଜିତ ହେବ । ସୁମନ୍ତ ସେଇଭଳି ତୀବ୍ର ସ୍ୱରରେ କହିବାରେ ଲାଗିଲା । ସୌମିତ୍ର ମୋର ବଂଧୁ । ଅତି ପରିଚିତ । ଅତି ଘନିଷ୍ଠ ବଂଧୁ । ମୁଁ ତା’ ନିକଟରେ ବିଶ୍ୱାସଘାତକତା କରି ପାରିବିନି ।

 

ସୁମନ୍ତ ! ତୁମେ ଭୁଲି ଯାଅନା ଏ ସଂସାରକୁ । ଆଜି ଯୁଗ ଆଉ ହରିଶ୍ଚନ୍ଦ୍ର ବା ରାମଚନ୍ଦ୍ରଂକ ଯୁଗ ନୁହେଁ । ଏ ଯୁଗରେ ଧନ ସଂପତ୍ତି ହିଁ ସବୁ କିଛି । ଧନ ବିନା ସବୁ ଶୂନ୍ୟ....

 

କିଂନ୍ତୁ ଏଥିରେ ଆତ୍ମା ଶାନ୍ତି ପାଇ ପାରେନା । ମନ ଅବିଚଳିତ ରହି ପାରେନା ।

 

ଆତ୍ମା ଆଜିକାଲି କେବଳ ପଇସାରେ ଶାନ୍ତି ପାଏ ସୁମନ୍ତ । କିଂତୁ ତୁମ ନିକଟରେ ତାହା ଖୁବ ଅଭାବ । ତୁମେ ନିଜକୁ ଚାହଁ । ପଚାର । ତୁମେ କି ଶାନ୍ତି ପାଉଛ ? ମାସରେ ଦୁଇଶ’ କି ତିନିଶ’ ପାଉଛ–କ’ଣ ଏତିକିରେ ଶାନ୍ତି ? ଏଇ ସାମାନ୍ୟ ତୁମକୁ ତୃପ୍ତି ଦେବ ?

 

ସୁମନ୍ତ ଭାବୁଛି ।

 

କ’ଣ ଭାବୁଛ ? କୁହ–କ’ଣ ଏତିକିରେ ତୁମେ ସନ୍ତୁଷ୍ଟ ? ମୀନା ସେଇଭଳି କହିବାରେ ଲାଗିଛି । ଆଜି ତୁମେ ଏକୁଟିଆ| କାଲି ହେବ ଦୁଇଜଣ । ସନ୍ତାନ ତୁମର ହେବେ । ଖର୍ଚ୍ଚ ବଢ଼ିବ ସେତେବେଳେ ତୁମେ କ’ଣ ଏତିକିରେ ହିଁ ଚଳିବ ?

 

କିଂତୁ ମୀନା ! ଏହା ବ୍ୟତୀତ ଆହୁରୀ ତ ବହୁତ ରାସ୍ତା ଅଛି ଅନ୍ୟ କୌଣସି ଉପାୟରେ ବି ଅର୍ଥ ଅର୍ଜନ କରି ହେବ ।

 

କ’ଣ ଉପାୟ କୁହ । ମୀନା ବ୍ୟଂଗଭରା ସ୍ୱରରେ କହିଲା ।

 

କୌଣସି ବ୍ୟବସାୟ କଲେ ମନ୍ଦ ହୁଅନ୍ତା ନାହିଁ ।

 

ବ୍ୟବସାୟ କଲେ ବର୍ତ୍ତମାନ ଗୁଡ଼ାଏ ଟଂକା ଦରକାର । କିଂତୁ ତୁମ ପାଖେ କାହିଁ ?

 

ମୀନାର କଥା ଠିକ୍ । ବ୍ୟବସାୟରେ ଖଟାଇବା ପାଇଁ ଦରକାର ପ୍ରଚୁର ଟଂକା । ତା’ ପାଖେ କାହିଁ ? ବଡ଼ କଷ୍ଟରେ ମାସକ ଚଳୁଛି । ସେ ଭାବିବାରେ ଲାଗିଲା ।

 

ଚିନ୍ତା କରନା ସୁମନ୍ତ ! ମୁଁ କହିବା କଥା କର । ଦେଖିବ.....

 

ମୀନା ! ତୁମେ କ’ଣ, ମୁଁ ଗୋଟାଏ ଖନୀ ଆଉ ହତ୍ୟାକାରୀ ସାଜିବା ପାଇଁ ଚାହଁ ?

 

ଯେତେବେଳେ ଯାଏଁ ଅନ୍ୟର ସୁଖ ତୁମେ ଟାଣି ନଆଣିଛ ସେତେବେଳେ ଯାଏଁ ସୁଖରେ ରହି ପାରିବନି । କିଛି ସମୟ ରହି ମୀନା କହିଲା, ସୌମିତ୍ର ଜଣେ କୋଟିପତି । ସ୍ତ୍ରୀ ତାର ମୃତ । ଏକୁଟିଆ ସେ । ଏତେ ବିରାଟ ସଂପତ୍ତିର ମାଲିକ । ତା’ ଧନ ପ୍ରତି ବହୁ ଲୋକଂକର ଆଖି ଲାଖି ଥିବ । ତୁମେ ତ ତାର ବଂଧୁ । ତେବେ ଖୁବ ସୁବିଧାରେ ସହଜରେ ତୁମେ କିଛି ହସ୍ତଗତ କରି ପାରନ୍ତ ।

 

କିନ୍ତୁ ସେଇ ତାର ପତ୍ନୀର ଆତ୍ମା....

 

ମୀନା ଜୋରରେ ହସି ଉଠିଲା ।

 

ତୁମେ ହସିଲ କାହିଁକି ? ସୁମନ୍ତ ପଚାରିଲା ।

 

ତୁମେ କେଡ଼େ ପିଲାଳିଆ ସ୍ୱାଭାବର ସୁମନ୍ତ ! ସେଇମିତି ହସି ହସି କହିଲା ।

 

କ’ଣ ? ଚମକିଲା ଭଳି ପଚାରିଲା ସୁମନ୍ତ । କ’ଣ ତା’ର ଭୁଲ ହେଲା ଆଉ ।

 

ଆଜି ଯୁଗରେ କୌଣସି ଆତ୍ମା ଭୁତପ୍ରେତର କ’ଣ କିଛି ମହତ୍ତ୍ୱ ଅଛି ?

 

କିନ୍ତୁ ମୁଁ ତାକୁ ନିଜ ଚକ୍ଷୁରେ ଦେଖିଛି ।

 

ତୁମେ ନିଜେ ଦେଖିଲ ! ପୁଣି ମୀନା କିରି କିରି ହୋଇ ହସି ଉଠିଲା ।

 

ତୁମ ହସରୁ ମୁଁ ଜମା ବୁଝି ପାରୁନି ।

 

ବୁଝେଇ ଦେବି ଦିନେ । ସେଇମିତି ହସି ହସି ମୀନା କହିଲା ।

 

ମୀନା ! ମୋତେ ସବୁବେଳେ କଥାରେ ଏମିତି ସସପେନସ ରଖି ବ୍ୟସ୍ତ କରନା । ସଫା କଥାଟା କହୁନା କିଆଁ ?

 

ଆତ୍ମା ବୋଲି କିଛି ନାହିଁ ସୁମନ୍ତ !

 

ତେବେ ଆଉ କ’ଣ ?

 

ଗୋଟିଏ ବିରାଟ ଷଡ଼ଯନ୍ତ୍ରର ଚକ୍ର ଘୁରୁଛି ।

 

କ’ଣ ? ସୁମନ୍ତ ବିସ୍ମିତ ହେଲା ।

 

ହଁ ସୁମନ୍ତ ! ମୀନା ଗଂଭୀର ସ୍ୱରରେ କହିଲା । ଇଏ କେବଳ ସୌମିତ୍ରର ସଂପତ୍ତିକୁ ହସ୍ତଗତ କରିବା ପାଇଁ ଜାଲ ବିଛା ଯାଇଛି ।

 

ମୁଁ ତମ କଥାରେ ବିଶ୍ୱାସ କରି ପାରିବିନି ।

 

ତେବେ ମୁଁ ଭାବିବି, ତୁମେ ଏକ ମସ୍ତବଡ଼ ଭୁଲ କରୁଛ ।

 

ତୁମେ କେମିତି ଏସବୁ କହି ପାରୁଛ ?

ଅନୁମାନ.....

କିଂତୁ ମୁଁ ମଧୁମିତାକୁ ସ୍ୱଚକ୍ଷୁରେ ଦେଖିଛି । ସିଏ ଠିକ୍ ସେଇଭଳି । ସେତିକି ଉଚ୍ଚ । ସେଇ ସ୍ୱର । ସେଇ ଚାଲି ।

ସେଥିରେ କ’ଣ କିଛି ଫରକ ରଖି କିଏ ଏତେ ବଡ଼ କାର୍ଯ୍ୟ ପାଇଁ ଆଗେଇ ଆସେ ? କିଛି ସମୟ ରହି ପୁଣି କହିଲା, ସୁମନ୍ତ ! ତୁମେ ବର୍ତ୍ତମାନ ବିଶ୍ରାମ ନିଅ । କ୍ରମେ ସବୁ ବୁଝି ପାରିବ । ଏତିକି କହି ମୀନା ଶେଯରେ ଲୋଟିଗଲା ।

ସୁମନ୍ତର ମନ ଯମୁନା ସ୍ରୋତ ଚଂଚଳ ହୋଇ ଉଠିଛି । ଭାବନାର ବଉଦରେ ମନ–ଆକାଶ ତା’ର ଆଚ୍ଛନ୍ନ ।

ମୀନା ସୁମନ୍ତର ହାତ ଧରି ଟାଣୁଛି ଶେଯ ଉପରକୁ ।

ସୁମନ୍ତ ବାସ୍ତବ ପରିବେଶକୁ ଫେରି, ଚାହିଁଲା ମୀନାକୁ । ଇସ୍ ! ମୀନା, କ’ଣ କରୁଛ ତୁମେ ? ଛାଡ଼, ଛାଡ଼, । ହାତ ଛାଡ଼ିଲ । ଦିନ ବେଳଟାରେ ? କିଏ କାଳେ ଆସିବ !

ମୀନାର ସୁଗଠିତ ଉଚ୍ଚକିତ ବକ୍ଷ ଦେଶ ପଡ଼ୁଛି, ଉଠୁଛି । ଦେହର କ୍ଷୁଧା ଜାଳି ପୋଡ଼ି ଦେଉଛି ହୃଦୟର ଅଭ୍ୟଂତରକୁ । ଚକ୍ଷୁ ଦ୍ୱୟରେ ତାର ବାସନାର ଉଚ୍ଛ୍ୱାସ....ଓଠ ଦ୍ୱୟରେ ଲାଳସାର ଉନ୍ନାଦ ତାକୁ ବ୍ୟାକୁଳ କରୁଛି । ଛଟପଟ କରୁଛି ।

 

ସୁମନ୍ତର ବାରଣ ବିଫଳ ହେଲା । ବାଧ୍ୟ ହୋଇ ଦ୍ୱାର ଝରକା ବଂଦ କଲା । ଇଚ୍ଛା କି ଅନିଛାରେ ସେ ଜାଣେନା ।

 

ଗୋଟାଏ ବିଛଣାରେ ଦୁଇଜଣ । ମୀନା ଆଉ ସୁମନ୍ତ ।

 

ନୀରବ ନିରଜନ ପ୍ରକୋଷ୍ଠ ଭିତରେ ଦୁଇଟା କାନ୍ତ କମନୀୟ ଟଳଟଳ ଯୌବନର ସଂଘର୍ଷ । ଏଇଥିରେ ରୁମ ଭିତରର ପରିବେଶ ହୋଇ ଉଠିଛି ମଧୁମୟ, ଗୀତିମୟ ।

 

ଛଅ

 

ମୁକ୍ତିଘାଟ ! ନିସ୍ତବଧ ଆଉ ନିରଜନ...

 

ଚତୁର୍ଦ୍ଦିଗରେ ହିମ ନୀରବତା ।

 

ସାଇଁ ସାଇଁ ଗର୍ଜୁଛି ନିର୍ବେଦ ରାତ୍ରିର ଅଂଧକାର । ଫିକା ଫିକା ଜୋଛନାରେ ଭାସୁଛନ୍ତି ଟିକି ଟିକି ତାରା । ଆକାଶ ବକ୍ଷରେ ଘୁରି ବୁଲୁଛନ୍ତି ଧଳା କଳା ବଉଦ କେତେ ।

 

ହଠାତ୍ ନିରଜନତା ଭଂଗ ହେଲା ।

 

ପାଖରେ ଥିବା କୁଡ଼ିଆରୁ ବୃଦ୍ଧ ବ୍ୟକ୍ତିଟି ଜୋରରେ କାଶି ଉଠିଲା । ଶବ୍ଦଟା ଖୁବ୍ ଦୂର ଯାଏଁ ଚହଲି ଗଲା ।

 

ଶ୍ମଶାନର ମଝିରେ ଗୋଟିଏ ପକକା କବର ! ସେଥିରୁ ଗୋଟିଏ ଛାୟା ବାହାରି ଆସିଲା ।

 

ମଂଦ ହିଲ୍ଲୋଳିତ ବାୟୁରେ ତାର ଧଳା ଶାଢ଼ୀର ଅଂଚଳଟା ଉଡ଼ୁଥିଲା । ସେ ଏକ ଦୀର୍ଘ ହାଇ ମାରିଲା । ସତେ ଯେମିତି ସେ ବହୁ ସମୟ ଶୋଇବା ପରେ ଉଠିଛି । ଠିଆ ହେଲା କିଛି ସମୟ ଯାଏଁ । ପୁଣି ତାର ଚତୁର୍ଦ୍ଦିଗକୁ ନିରୀକ୍ଷଣ କଲା । ଏକ ରହସ୍ୟମୟ ହସ ତା’ଓଠ ଦି’ ଫାଙ୍କାରୁ ବାହାରି ଆସିଲା ।

 

ତା ପରେ ସେ କବରରୁ ତଳକୁ ଆସିଲା । ଚଂଚଳ ପଦକ୍ଷେପରେ ଛାୟା ମୂର୍ତ୍ତିଟା ସେଇ କୁଡ଼ିଆ ଆଡ଼କୁ ଆଗେଇ ଗଲା । କୁଡ଼ିଆ ନିକଟରେ ସେ ଠିଆ ହୋଇଗଲା ।

 

ଖୁଁ, ଖୁଁ, ହୋଇ ବୃଦ୍ଧ ପୁଣି କାଶି ଉଠିଲା । ନିଆଁ ଜଳୁଛି । ତାରି ପାଖେ ବୃଦ୍ଧ ବ୍ୟକ୍ତିଟି ବସି ନିଜ ଦେହକୁ ଊଷ୍ମ କରୁଛି ।

 

ବାବା ! ଦ୍ୱାର ପାଖେ ରହି ଛାୟା ମୂର୍ତ୍ତିଟି ଡାକିଲା ।

 

କିଏ ? କ୍ଷୀଣ ସ୍ୱରରେ ବୃଦ୍ଧ କହିଲା ।

 

ମୁଁ ଉର୍ମି....

 

ଭିତରକୁ ଆ ଝିଅ !

 

ସେ ଆକୃତିଟି ଦ୍ୱାର ଖୋଲି ଭିତରକୁ ଗଲା । କବାଟ ଫିଟିଲା ବେଳକୁ ଏକ ଭୟଙ୍କର ଶବ୍ଦ ଉତ୍ପନ୍ନ ହୋଇ ତାହା ବହୁଦୂର ଯାଏଁ ପବନରେ ଭାସିଗଲା ।

 

ସେ ଯାଇ ବୃଦ୍ଧ ପାଖେ ବସି ନିଆଁରେ କାଠ ପକେଇଲା ।

 

ଆଜି ବଡ଼ ଶୀତ ହେଉଛି ବାବା !

 

ହଁ ଝିଅ । ବୃଦ୍ଧ ଶୀତରେ ଥର ଥର ହୋଇ କହିଲା ।

 

ବାବା ! ସେ ଦିନ ତମେ କୁଆଡ଼େ ଚାଲି ଯାଇଥିଲ ?

 

ମୁଁ ତୋ ପଛରେ ଥିଲି ମା !

 

ତେବେ ସେ ମୋ ସହ ଆସିଲା ନାହିଁ କାହିଁକି ?

 

ଜଣା ନାହିଁ; ସେତିକି ବେଳକୁ କିଏ ଜଣେ କୋଉଠୁ ଆସି ପହଂଚି ଗଲା ।

 

କ’ଣ ? ନିଆଁ ପାଖେ ବସିଥିବା ଆକୃତିଟିର ଚେହେରା ଖୁବ ସୁନ୍ଦର । ସେ ଯୁବତୀ । ଜଳୁଥିବା ନିଆଁର ଛାୟା ତାର ସୁଷମା ଭରା ମୁଖ ମଂଡ଼ଳକୁ ଆହୁରି ରଂଗୀନତାରେ ଭରି ଦେଉଥିଲା । ବୃଦ୍ଧର କଥାରେ ସେ ବିବ୍ରତ ହୋଇ ପଡ଼ିଥିଲା ।

 

ହଁ ଝିଅ ! ବୃଦ୍ଧ କହିଲା । ସେ ଯେମିତି ଡ଼େଇଁବାକୁ ଆରଂଭ କରିଛି କିଏ ଜଣେ ଆସି ତାକୁ ହଠାତ୍‍ ଧରି ପକେଇଲା । ସବୁ କାମ ମାଟି ହୋଇଗଲା ।

 

ସେ ସୁମନ୍ତ ବୋଧହୁଏ । ଉର୍ମି କହିଲା ।

 

କ’ଣ ? ବୃଦ୍ଧ ବି ଚମକିଲା ଭଳି ପ୍ରଶ୍ନ କଲା ।

 

ହିଁ ବାବା ! ସୌମିତ୍ରର ବଂଧୁ । ପଡ଼ିଶା ଘରେ ରହେ ।

 

କିଂନ୍ତୁ ସେ ଜାଣିଲା କେମିତି ?

 

ସେ ବୋଧହୁଏ ରାତିରେ ଏ ସବୁ ଦେଖିଛି । କାରଣ ତା’ ଘରକୁ ସୌମିତ୍ରର ଘର ଲାଗି ରହିଛି ।

 

ତେବେ ଇଏ ତ ବଡ଼ ବିଷମ କଥା !

 

ହଁ ବାବା !

 

ତେବେ ବର୍ତ୍ତମାନ କଣ କରାଯିବା ଉଚିତ ?

 

ଆପଣ ଚିନ୍ତା କରନ୍ତୁ ନା । ମୁଁ ସବୁ ସମ୍ବାଳି ନେବି ଯେ......

 

ମୋର ତୋ’ ଉପରେ ବଡ଼ ଭରସା ଅଛି ଝିଅ । କହି ବୃଦ୍ଧ ନୀରବ ହୋଇଗଲା ।

 

ସମୁଦାୟ କେତେ ଟଙ୍କା ଅଛି ବାବା ?

 

ଦୁଇଲକ୍ଷ.......

 

ଯଦି କିଏ ସଂଦେହ କରେ, ଆଉ ଜାଣିପାରେ ?

 

ତୋ’ ବାବା ସେମିତି କାର୍ଯ୍ୟରେ ହାତ ଦିଏନା ଝିଅ !

 

ସେ ଯାହା ହେଉ । ମୋର ଛାତି ବେଳେ ବେଳେ ଦୁଲୁକି ଉଠୁଛି ।

 

ନାରୀ ସ୍ୱଭାବ ହିଁ ସେଇୟା ମା !

 

ମୋର ହସ୍ତାକ୍ଷରକୁ କେହି ସଂଦେହ କରିବେନି ତ ?

 

ସେ କଥା ମୋଟେ ପ୍ରଶ୍ନ ଉଠୁନାହିଁ ।

 

କାହିଁକି ବାବା ? ଉର୍ମି ଜିଜ୍ଞାସୁ ନେତ୍ରରେ ଚାହିଁ ରହିଲା ବୃଦ୍ଧ ଆଡ଼କୁ ।

 

ସମୁଦାୟ ଟଙ୍କା ବର୍ତ୍ତମାନ ସୌମିତ୍ର ନାମରେ ହୋଇ ଯାଇଛି ।

 

ଓଃ ! ଯୁବତୀ କହିଲା । ମୁଁ ତ ଏକଥା ଜାଣି ନଥିଲି ।

 

ଆଜି ତୁ, ତା’ ଠାରୁ ଚେକ୍ ଖଣ୍ଡକ ଲେଖାଇ ନେବୁ ।

 

କେତେ ଟଂକାର ?

 

ଏକଲକ୍ଷ.....

 

ସେ କ’ଣ ଲେଖି ଦେବ ?

 

ହଁ । କିଛି ନବିଚାରି ସେ ଲେଖି ଦେବ । ନିଜେ ଟିକିଏ ସାବଧାନତା ସହକାରେ ସବୁ କଲେ ହେଲା ।

 

ମୋ’ ପକ୍ଷରୁ ତମେ ନିଶ୍ଚିତ ରୁହ ।

 

ମୁଁ ତ ତୋ’ ନିକଟରୁ ସେଇୟା ଆଶା କରୁଛି ଝିଅ !

 

ଆଚ୍ଛା, ବାବା ! ମୁଁ ବର୍ତ୍ତମାନ ବାହାରୁଛି ।

 

କିଂନ୍ତୁ ବଡ଼ ସାବଧାନରେ ।

 

ନିଶ୍ଚିନ୍ତ ହୁଅ ବାବା ! କହି ଉର୍ମି ଠିଆ ହୋଇଗଲା ।

 

ବିଜୟ ତୋତେ ସାହାଯ୍ୟ କରିବା ପାଇଁ ରହିବ । ବୃଦ୍ଧ ମଧ୍ୟ ଠିଆ ହେଲା ।

 

ସେ କେଉଁଠି ଅଛି ?

 

ସେ ତୋତେ ବିଲ୍ଂଡ଼ି ପାଖେ ଦେଖା କରିବ ।

 

ଗୋଟେ କଥା କହିବି ବାବା ?

 

କ’ଣ ? ବୃଦ୍ଧ ଉର୍ମି ଆଡ଼କୁ ଚାହିଁଲା ।

 

ସୁମନ୍ତ ଖୁବ୍ ଚାଲାକ । ବଡ଼ ବିପଦ...

 

ତେବେ ତୁ କ’ଣ କହିବାକୁ ଚାହୁଁ ?

 

ତାକୁ ଏ ରାସ୍ତାରୁ ନିଶ୍ଚିହ୍ନ କରିଦେଲେ କ୍ଷତି କ’ଣ ?

 

ବୃଦ୍ଧ ବିସ୍ମୟ ବିସ୍ଫାରିତ ଚକ୍ଷୁରେ ଚାହିଁ ରହିଲା ଗୋଟାଏ ଦିଗକୁ । କ’ଣ ଭାବୁଥିଲା ସେ-। କହିଲା, ନା ଝିଅ ! ଏଥିରେ ବିପଦ ଘନେଇଁ ଆସିବ ।

 

କିଂନ୍ତୁ, ସେ ଥିଲେ ଗୁଡ଼ାଏ ବାଧା ବିଘ୍ନ ଆସି ପହଂଚିବ ଆମ କାର୍ଯ୍ୟରେ ।

 

ଯଦି ସେ ମରିଯାଏ, ତେବେ ପୋଲିସର ଅନୁସଂଧାନ କାର୍ଯ୍ୟ ଚାଲିବ । ତା ପରେ ଆମର ସମସ୍ତ କାର୍ଯ୍ୟକ୍ରମ ନଷ୍ଟ ହୋଇଯିବ ।

 

ହଁ ବାବା ! ଯାହା କହୁଛ ଠିକ୍ ।

 

ହଁ । ବୃଦ୍ଧ କହିଲା ଏବଂ ଆଗକୁ ବଢ଼ି ଚାଲିଲା । ପଛରେ ଉର୍ମି ।

 

ବିରାଟ ଫାଟକ ଖୋଲିଗଲା । ତାର ଶଦ୍ଦ ପୁଣି ଚତୁର୍ଦ୍ଦିଗକୁ ଖେଳିଗଲା । ଦୁଇଜଣଯାକ ବାହାରକୁ ଆସିଲେ ।

 

ତେବେ ବର୍ତ୍ତମାନ ଯାଉଛି ବାବା !

 

ଯା’ ମା ! ମୁଁ ଥିବାଯାଏଁ ତୁ ମୋଟେ ଭୟ କରନା ।

 

ଉର୍ମି ବାବାଂକୁ ଚାହିଁ ଆଗେଇ ଗଲା । ବୃଦ୍ଧ ରାସ୍ତାର ମୋଡ଼ ଯାଏଁ ଆସି ଉର୍ମି ଯିବା ରାସ୍ତାକୁ ଚାହିଁବାରେ ଲାଗିଲା ।

 

ଉର୍ମି ରାସ୍ତା ପାର ହୋଇ ଅଳ୍ପ ସମୟରେ ଯିବା ପାଇଁ ପାହାଡ଼ ଉପରକୁ ଚଢ଼ିଲା । ତା ପରେ ସମତଳ ଭୂମିରେ ଆସି ପହଂଚିଲା ।

 

ବୃଦ୍ଧ ଚାହିଁ ରହିଥିଲା ଉର୍ମି ଘାଟୀ ଉପରେ ଚଢ଼ି ଅଦୃଶ୍ୟ ହେବାଯାଏଁ । ତା ପରେ ସେ ଫେରି ଆସିଲା କୁଟୀର ଭିତରକୁ । ସେ ଭିତରେ ପ୍ରାୟ ଦଶମିନିଟ୍ ଯାଏଁ କ’ଣ ଗୋଟାଏ ଖଟର୍ ଖଟର୍ କରିବାରେ ଲାଗିଲା । ପୁଣି ସେ ବାହାରକୁ ବାହାରିଲା । ବର୍ତ୍ତମାନ ତା’ ହସ୍ତରେ ଏକ ଛୋଟ କୌଣସି କଳା ରଙ୍ଗର ବସ୍ତୁ ଥିଲା ।

 

ସେ ବାହାରକୁ ଆସି ରାସ୍ତା ପାର୍ ହେଲା । ଘାଟୀ ଉପରକୁ ଚଢ଼ି ସେଇ ଶାଳ ବୃକ୍ଷ ମୂଳେ ଠିଆ ହୋଇଗଲା । ଘାଟୀ ଚଢ଼ିବାରେ ଶ୍ରମ ଟିକିଏ ଅଧିକ ହେତୁ ସେ ଦୀର୍ଘଶ୍ୱାସ କିଛି ସମୟ ଯାଏଁ ଟାଣିବାରେ ଲାଗିଲା । ତା’ପରେ ଏକ ଆଶ୍ଚର୍ଯ୍ୟଜନକ ଶଦ୍ଦ ତା ମୁହଁରୁ ବାହାରିଲା । ତାହା ଘାଟୀର ଚତୁର୍ଦ୍ଦିଗକୁ ପବନରେ ଭାସି ପ୍ରତିଧ୍ୱନିତ ହେଲା ।

 

ତାର ଏଇ ଶଦ୍ଦରେ ଏକ ଛାୟାମୂର୍ତ୍ତି ବାମ ପାଖରୁ ଆସି ବୃଦ୍ଧ ନିକଟରେ ନିଶଦ୍ଦରେ ଠିଆ ହୋଇଗଲା ।

 

ବୃଦ୍ଧ ସେଇ ଛୋଟ କଳା ବସ୍ତୁକୁ ସେ ଛାୟାମୂର୍ତ୍ତି ହସ୍ତରେ ଦେଇ ତା’ କାନ ପାଖେ କ’ଣ ଧୀର ଗଳାରେ କହିଲା । ବୁଝିଲ ? ବୃଦ୍ଧର ପାଟି ଶୁଭିଲା ।

 

ହଁ ଆଜ୍ଞା ! ସେ ଛାୟାମୂର୍ତ୍ତିଟି କହିଲା ।

 

ବର୍ତ୍ତମାନ ଯାଅ । ଏତିକି କହି ବୃଦ୍ଧ ଫେରିଗଲା । ସେ ଆକୃତିଟି ମଧ୍ୟ ଅନ୍ୟ ଏକ ଦିଗରେ ଅଦୃଶ୍ୟ ହୋଇଗଲା ।

 

ସେତେବେଳକୁ ଚତୁର୍ଦ୍ଦିଗ ରାତ୍ରିର ଭୀଷଣ ନିର୍ଜନତାରେ ଭରି ଉଠିଛି । ଆକାଶରେ କଳା ବଉଦ ଭାସୁଛି ।

 

ସାତ

 

ଆକାଶରୁ ଖସୁଛି ଛୋଟ ଛୋଟ ମୁକ୍ତା ଭଳି ଶିଶିର ବିନ୍ଦୁ । ରାତ୍ରି ବଢ଼ି ଚାଲିଛି । କଳା ମେଘ ଖଣ୍ଡେ ଜହ୍ନର ସ୍ନିଗଧ ସବୁଜ ଦେହକୁ ଲୁଚେଇ ଦେଇଛି । ଜ୍ୟେତ୍ସାୟିତ ଧରଣୀ କ୍ରମେ ଅଂଧକାରର ଆବର୍ତ୍ତନରେ ଡୁବି ଡୁବି ଆସୁଛି ।

 

ସୌମିତ୍ରର ଆଖିରେ ନିଦ ନାହିଁ । ପଲଂକ ଉପରେ ବସିଛି । ଆଖି ଅଶ୍ରୁଜଳ ହୋଇ ଉଠୁଛି । ‘ତୁମେ କେଉଁଠି ଅଛ ମଧୁମିତା ! ପାଖକୁ ଆସୁନା କାହିଁକି ? ’ ଭାବ ପ୍ରବଣତାରେ ସେ କହିଥିଲା । ପୁଣି ତକିଆରେ ମୁଣ୍ଡ ଦେଇ କାନ୍ଦି ଉଠୁଥିଲା । କେତେ ସମୟ ଯାଏଁ ସେମିତି ବ୍ୟସ୍ତ ବ୍ୟାକୁଳ ହୋଇ ଅଶ୍ରୁ ଝରାଉଛି ସେ ଜାଣେନା ।

 

ଛମ୍....ଛମ୍....ଛମ୍....ଛମ୍.....

 

ହଠାତ୍ ଛାତ ଉପରେ କେହି ଯିବା ଆସିବା କରୁଥିବାର ଜଣାଗଲା ତାକୁ । ସେ ପୁଣି ବିସ୍ମୟରେ ଚାହିଁ ରହିଲା । ତଳକୁ ଓହ୍ଲାଇବାକୁ ଯାଉଛି, ସଂଗେ ସଂଗେ ତା’ କାନରେ ଏକ ଗୁଣୁ ଗୁଣୁ ସ୍ୱର ଶୁଭିଲା । ଯିମିତି କି କେହି ଜଣେ ମନ୍ଦ୍ର ମଧୁର ଲୟରେ ଗାଉଛି । ବହୁ ସମୟ ଯାଏଁ ସେ ସ୍ୱରକୁ ଚିହ୍ନିବା ଆଶାରେ କାନ ପାତି ଶୁଣିଲା ।

 

ମଧୁମିତା ସେ ଧୀରେ ଡାକି ଉଠିଲା । ସଂଗେ ସଂଗେ ପଲଂକରୁ ତଳେ ଆସି ଠିଆ ହେଲା । ପୂର୍ଣ୍ଣ ରୂପେ ଏହା ମଧୁମିତାର ସ୍ୱର ! ତାର ଅତି ନିଜର ପତ୍ନୀର କଂଠ.....ପୁଣି କାନ ପାତିଲା ସୌମିତ୍ର ।

 

ଚପଲ ହଳକ ପାଦରେ ଗଳାଇ ସେ ବାହାରି ଆସିଲା । ହଠାତ୍ ପୁଣି ରହିଗଲା ସେ । କାଲୁଆ ପବନ ତା’ ଦେହରେ ପିଟି ହେଲା । ସେ ସେଇଠି ଥରି ଉଠିଲା । ପଲଂକ ନିକଟକୁ ଆସି ଶାଲ ଖଣ୍ଡିକୁ ଦେହରେ ଘୋଡ଼ାଇ ବାହାରକୁ ଆସିଲା ସେ ।

 

ଶୀତ ଜୋରରେ ହେଉଛି । ସିଡ଼ି ଉପରେ ସୌମିତ୍ର ଚଢ଼ିବାରେ ଲାଗିଲା । ପାଦ ଥରି ଉଠୁଛି ଏ ଶୀତରେ । ସିଡ଼ିର ଚାରିଆଡ଼କୁ ଶିଶିରବିଂଦୁ ଧୋଇ ଦେଇଛି ।

 

ସିଡ଼ି ପାର ହୋଇ ଛାତ ଉପରେ ପହଂଚିଲା । ସହସା ଛାତର ଗୋଟାଏ କୋଣରେ ସେ ଶଂକିତ ଚକିତ ହୋଇ ରହିଗଲା ।

 

ଛାତର ସେ ପାଖରେ କୌଣସି ଜଣେ ସ୍ତ୍ରୀ ବସିଛି । ମନ୍ଦ୍ର ଲୟରେ କୌଣସି ଏକ କରୁଣ ଗୀତର ଲହର ଧରିଛି ସେ । ତାର ଶାଢ଼ୀର ସଫେଦ ଅଂଚଳଟା ପବନରେ ଧୀରେ ଧୀରେ ଉଡ଼ୁଛି ।

 

ସୌମିତ୍ରକୁ ବିସ୍ମୟ ବୋଧ ହେଲା । ଏତେ ଶୀତରେ ସେ ସ୍ଥିର ଅଚଂଚଳ ହୋଇ କେମିତି ବସିଛି । ସତେ ଯେମିତି ଶୀତ ତାକୁ ସ୍ପର୍ଶ କରୁନାହିଁ ।

 

ପୁଣି ସୌମିତ୍ର ଚମକି ଉଠିଲା ।

 

ଏଥର ସେ ଆକୃତିଟିର କଂଠରୁ ଫୁଲି କାଂନ୍ଦୁଥିବାର ସ୍ୱର ଶୁଭୁଛି । ସେ ଗୀତର ଗୁଣୁ ଗୁଣୁ ଲହର ଛାଡ଼ି ସଁ ସଁ ହୋଇ କାନ୍ଦି ଉଠୁଛି ।

 

ସୌମିତ୍ର ଥର ଥର ପାଦରେ ସେ ଆକୃତି ଆଡ଼କୁ ଆଗେଇଲା । କିଂତୁ ସେ ଆକୃତିର କୌଣସି ପରିର୍ବତ୍ତନ ହେଲା ନାହିଁ । ସେଇଭଳି ଅବଗୁଂଠନ ତୋଳି ଫୁଲି ଫୁଲି କାନ୍ଦୁଛି ।

 

ସୌମିତ୍ର ଟିକିଏ ନଇଁପଡ଼ି କାନ୍ଦ ବନ୍ଦ କରିବାକୁ କହିଲା । କିଂତୁ ମୁହଁ ଦେଖି ପାରିଲାନି ସେ । ଅବଶ୍ୟ ସେ ଦୁଇ ଗଜ ଦୂରରେ ତା’ଠାରୁ ଥିଲା । ଏଥର ସୌମିତ୍ରର ଶରୀରରେ ଭୟ ପଶି ପଶି ଆସୁଥିଲା । ସେଇଠି ନିଜ ଚେତନାଶକ୍ତି ହରାଇ ବସିଗଲା ।

 

ମଧୁ.....ସୌମିତ୍ର ଖୁବ୍ ଧୀରେ ଡାକିଲା । କିଂତୁ କୌଣସି ଉତ୍ତର ପାଇଲାନି ସେ । ସେ ମୂର୍ତ୍ତିଟି ସେଇଭଳି କାନ୍ଦୁଛି ।

 

ତୁମେ ମଧୁମିତା ନା ? ସେ ଟିକିଏ କଠୋର କଂଠରେ କହିଲା ।

 

କିନ୍ତୁ ତଥାପି ଆକୃତି ଠାରେ ସେ କୌଣସି ପରିବର୍ତ୍ତନ ଦେଖି ପାରିଲାନି ।

 

ମଧୁ ! କ’ଣ କିଛି କୁହ...ସୌମିତ୍ର ଟିକିଏ ଆଗକୁ ଘୁଂଚିଗଲା ।

 

ସୌମିତ୍ର ! ଏଥର ମଧୁମିତା ମୁହଁ ଟେକି ସୌମିତ୍ର ଆଡ଼କୁ ଚାହିଁଲା । ପୁଣି ତଳକୁ ମୁହଁ କରି କାନ୍ଦି ଉଠିଲା ।

 

ତୁମେ କାନ୍ଦୁଚ କାହିଁକି ? ତୁମର ଦୁଃଖ କ’ଣ ? ତା’ରି ସମ୍ମୁଖରେ ଥାଇ ସୌମିତ୍ର କହୁଥିଲା ।

 

ମୋ’ ପାଖକୁ ଆସ ନା ସୌମିତ୍ର ! ମୁଁ ସମାପ୍ତ ହୋଇଯିବି ।

 

କାହିଁକି ? ସୌମିତ୍ର ବ୍ୟସ୍ତ ବ୍ୟାକୁଳ ହୋଇ କହି ଉଠିଲା, କ’ଣ ମୁଁ ତୁମକୁ ସ୍ପର୍ଶ ବି କରି ପାରିବିନି ?

 

ନା, ସୌମିତ୍ର ! ମୋତେ ତୁମେ ସ୍ପର୍ଶ କରି ପାରିବନି ।

 

କାରଣ କ’ଣ ?

 

କାରଣ ମୁଁ ତୁମଭଳି ଶରୀର ଧାରଣ କରିନାହିଁ । ମୁଁ ଗୋଟାଏ ଆତ୍ମା । ମୋତେ ଯଦି ତୁମେ ସ୍ପର୍ଶ କରିବ, ମୁଁ ଅଦୃଶ୍ୟ ହୋଇଯିବି ।

 

ନା, ନା, ତୁମେ ଅଦୃଶ୍ୟ ହୋଇ ଯାଅନା ମଧୁ ! ସୌମିତ୍ର ପଛକୁ ଘୁଂଚି ଆସି କହିଲା, ଦେଖ-ମୁଁ ଦୂରରେ ରହୁଚି ।

 

ମଧୁମିତାର ସର୍ପିଳ କବରୀରେ କୌଣସି ଏକ ସୁରଭିତ ପୁଷ୍ପ ଲାଗିଚି । ତାର ବାସ୍ନାରେ ସେ ଖଣ୍ଡକ ଭରି ଉଠୁଥିଲା । ସୌମିତ୍ରକୁ ସେ ସୁଗନ୍ଧି ବଡ଼ ଭଲ ଲାଗୁଥିଲା ।

 

ତୁମେ କାଂଦୁଚ କାହିଁକି ମଧୁ ? କିଛି ସମୟ ନୀରବତା ପରେ ସୌମିତ୍ର ପଚାରିଲା ।

 

କାଂଦିବି ନାହିଁ ତ କରିବି ଆଉ କ’ଣ ? ମୋ’ ଭାଗ୍ୟରେ ଖାଲି କାଂଦି କାଂଦି ସମୟ ବିତିବା ପାଇଁ ଅଛି ସୌମିତ୍ର !

 

ତୁମର ଦୁଃଖ ତେବେ କ’ଣ ?

 

ମୁଁ ତୁମକୁ ପାଇବାକୁ ଚାହେଁ । ସେଇ ହିଁ ମୋର ଆଶା, ଅଭିଳାଷ ।

 

ମୁଁ ତ ତୁମ ନିକଟରେ ଅଛି ।

 

ତଥାପି ତୁମେ ବହୁତ ଦୂରରେ ଅଛ ସୌମିତ୍ର !

 

ତେବେ ତୁମ ପାଖକୁ ଯିବି କେମିତି ?

 

ତୁମକୁ ମୋ’ ସାଥିରେ ଯିବାକୁ ହେବ ।

 

କେଉଁଠିକି ?

 

ଯେଉଁଠି ମୋର ବାସସ୍ଥାନ ।

 

ମୁକ୍ତିଘାଟ ? ସେଇ କବରପୂର୍ଣ୍ଣ ଶ୍ମଶାନ ?

 

ହଁ ।

 

କିଂତୁ.....

 

ମନା କରନା ସୌମିତ୍ର !

 

ମଧୁମିତା ମଧ୍ୟ ଉଠି ଠିଆ ହେଲା ।

 

ମଧୁମିତା ଛାତ ଉପରୁ ତଳକୁ ଡେଇଂଲା । ଅଥଚ ଡେଇଁ ପଡ଼ିବାର କୌଣସି ଶଦ୍ଦ ନାହିଁ-। ସତେ ଯେମିତି ପବନର ସୁଅ କାଟି କାଟି ନିଶଦ୍ଦରେ ତଳକୁ ଖସି ଯାଉଛି ସେ । ମଧୁମିତା ଯାଇ ତଳେ ଠିଆ ହେଲା ।

 

ସେ ତଳୁ, ସୌମିତ୍ରକୁ ହାତର ସଂକେତ ଦେଇ ଡାକୁଛି ।

 

ସୌମିତ୍ର ଭାବିଲା ଛାତ ଉପରୁ ଡେଇଁ ପଡ଼ିବ ତଳକୁ । କିନ୍ତୁ ସଂଗେ ସଂଗେ ସେ ପ୍ରକାର ଭାବନା ମନରୁ ଦୂରେଇ ଦେଲା । ଦୌଡ଼ି ଯାଇ ସିଡ଼ି ବାଟେ ତଳକୁ ଓହ୍ଲାଇ ଗଲା ।

 

କିଂତୁ ତଳେ ଏକ ବିସ୍ମୟକର ଦୃଶ୍ୟ ଦେଖି ସେ ହତବାକ୍ ହୋଇଗଲା । ମଧୁମିତା ଅନ୍ୟ କାହାର ବଂଧନରେ ପଡ଼ି ଯାଇଛି । ଛଟପଟ ହୋଇ ନିଜକୁ ତା’ଠାରୁ ସ୍ୱତଂନ୍ତ୍ର କରିବାକୁ ଚେଷ୍ଟା କରୁଛି ସେ । ସୌମିତ୍ର ଏକାବେଳକେ ଅବାକ୍ ।

 

ସୌମିତ୍ର ! ମୋତେ ବଂଚାଅ....ମଧୁମିତା ଚିତ୍କାର କରି ଉଠିଲା ।

 

ସୌମିତ୍ର ଧାଇଁଗଲା ତା’ରି ଆଡ଼କୁ । କିଂତୁ ସଂଗେ ସଂଗେ ସେ ସେଇଠାରେ ହିଁ ଠିଆ ହୋଇ ଯିବାକୁ ପଡ଼ିଲା ।

 

ସାବଧାନ ! ଯଦି ପାଦେ ଆଗେଇ ଆସ ତେବେ ସେଇଠି ତୁମକୁ ନିଶ୍ଚିହ୍ନ କରି ଦିଆଯିବ । ଏକ ଅତି କଠୋର ସ୍ୱର ତା’କାନରେ ପଡ଼ିଲା ।

 

ତୁମେ କିଏ ସେ ? ମୋର ପତ୍ନୀକୁ କାହିଁକି ଧରିଛ ?

 

ହୁଁ ! ସେ ଚିଡ଼ି ଉଠି କହିଲା । ତୁମର ପତ୍ନୀ ! ସେ ତ ଆଜକୁ ତିନିବର୍ଷ ତଳେ ମରି ସାରିଛି ।

 

କିଂତୁ, ତୁମେ କିଏ ?

 

ସଂଜୟକୁ ଭୁଲିଗଲ ସୌମିତ୍ର ! ଏକ ବ୍ୟଂଗ ଭରା ସ୍ୱର ବାହାରି ଆସିଲା ।

 

ସୌମିତ୍ରର ମସ୍ତିଷ୍କ ଘୁରିଲା । ସେଇ ଅତୀତର ଅର୍ଥଭରା ସ୍ମୃତି ଆଡ଼କୁ ବୁଲିଲା ତାର ଚିନ୍ତାର ସୁଅ ।

 

ସଂଜୟ ତାର କ୍ଲାସମେଟ୍ ଥିଲା । ଯେତେବେଳେ ସେ ବି.ଏ. ପଢ଼ୁଥିଲା ସେତେବେଳେ ମଧୁମିତା ମଧ୍ୟ ସେଇ କ୍ଲାସରେ ପଢ଼ୁଥିଲା । ସଂଜୟ ଭଲ ପାଉଥିଲା ମଧୁମିତାକୁ । ପ୍ରାଣ ଦେଇ ସେ ଭଲ ପାଉଥିଲା । କିଂତୁ ମଧୁମିତା ତା’ ଆଡ଼କୁ ଆଡ଼ ନୟନରେ ବି ଚାହୁଁ ନଥିଲା । କାରଣ ସେ ସୌମିତ୍ରକୁ ଭଲ ପାଉଥିଲେ । ତା’ପ୍ରତି ସେ ବହୁ ଭାବେ ଆକର୍ଷିତ ଥିଲା । ବି. ଏ. ପାଶ୍ ପରେ ସୌମିତ୍ର ଏବଂ ମଧୁମିତାର ଲଭ୍ ମ୍ୟାରେଜ ହୋଇଗଲା । ତାକୁ ସହି ନପାରି ସଂଜୟ କରିଥିଲା ଆତ୍ମହତ୍ୟା । ଏତେ ଦିନ ପରେ ପୁଣି ସେ ଏଇ ରୂପରେ ଆସିଛି ।

 

ତେବେ ତୁମେ ସଂଜୟର ଆତ୍ମା ?

 

ହଁ । କିନ୍ତୁ ମଧୁମିତାର ମୃତ୍ୟୁ ପରେ ବି ସେ ତାକୁ ହିଁ ଚାହେଁ । ଏଥିପାଇଁ ମୁଁ ତାକୁ ବଳପୂର୍ବକ ହସ୍ତଗତ କରିଚି । କାରଣ ସେ ବର୍ତ୍ତମାନ ତୁମଠାରୁ ବହୁ ଦୂରରେ ଅଛି । ଏକ ବ୍ୟଙ୍ଗ ଅଥଚ କର୍କଶ ସ୍ୱର ଭାସି ଆସିଲା ।

 

ନା, ଏ ଭଳି ହୋଇ ପାରିବନି । ଅଚାନକ ମଧୁମିତା ଚିତ୍କାର କରି ଉଠିଲା ଓ ସଂଗେ ସଂଗେ କାଂଦି ଉଠିଲା ।

 

ସୌମିତ୍ର ଜଡ଼ ପାଲଟି ଯାଇଛି । ବର୍ତ୍ତମାନ ସେ କ’ଣ କରି ପାରିବ ? ଆତ୍ମା ଉପରେ ସେ କିଛି କରି ପାରିବ ନାହିଁ ।

 

ମଧୁକୁ ମୁକ୍ତ କରିଦିଅ ସଂଜୟ !

 

ନା । ଗର୍ଜ୍ଜି ଉଠିଲା ସଂଜୟ ।

 

ମୁଁ ତୁମକୁ ମିନତି କରୁଛି । ଅନୁରୋଧ ଜଣାଉଛି ।

 

ତେବେ ଗୋଟାଏ ସର୍ତ୍ତ ଅଛି ।

 

ମୁଁ ତୁମର ସମସ୍ତ ସର୍ତ୍ତ ମାନିବାକୁ ରାଜି । କିଂତୁ ମଧୁକୁ ଛାଡ଼ିଦିଅ । ସୌମିତ୍ର ବଡ଼ ନମ୍ର ଗଳାରେ କହିଲା ।

 

ତେବେ ମଧୁମିତାର ନାମରେ ଥିବା ସମସ୍ତ ଟଂକା ମୋତେ ଦିଅ ।

 

ଟଂକା ! ପୁଣି ତୁମକୁ ଦେବି ! ସୌମିତ୍ର ବିସ୍ମୟଭରା ସ୍ୱରରେ କହିଲା । କିନ୍ତୁ ଗୋଟାଏ ଆତ୍ମାର ଟଂକା ସହ ସଂବଂଧ କ’ଣ ?

 

ମୁଁ ଏସବୁ ଜାଣେନା । ମୁଁ ଯେମିତି କହୁଛି ସେଇୟା କର । ସଂଜୟ ସେଇଭଳି ଚିଡ଼ିଚିଡ଼ା ସ୍ୱରରେ କହୁଥାଏ ।

 

ମଧୁମିତା ସଂଜୟର ହସ୍ତରେ ଆବଦ୍ଧ ହୋଇ ଛଟପଟ ହେଉଛି । ସୌମିତ୍ର ଗୋଟାଏ ଥର ମଧୁମିତା ଆଡ଼କୁ ଚାହିଁଲା । ପୁଣି ସଂଜୟର ଏଭଳି ପାଶବିକତା ପ୍ରତି ତା ଦେହରେ ରକ୍ତ ଟକ୍ ମକ୍ ହୋଇ ଫୁଟି ଉଠିଲା ।

 

ତୁମର କେତେ ଦରକାର ?

 

ଯେତିକି ମଧୁମିତାର ନାମରେ ଥିଲା; ସେ ସମସ୍ତ ।

 

କିଂତୁ ପଚାରୁଛି, ତୁମେ ଏକ ଆତ୍ମା ହୋଇ କରିବ କ’ଣ ?

 

ମୁଁ କହୁଛି, ମୋ’ପାଖେ ସମୟ କମ୍ । ଏ ଅନାବଶ୍ୟକ ପ୍ରଶ୍ନର ଉତ୍ତର ଦେବା ପାଇଁ ମୋର ସମୟ ନାହିଁ । ସଂଜୟ ସେଇ କଠୋର କଂଠରେ କହି ଚାଲିଛି । ଯଦି ଦେବା ପାଇଁ ପ୍ରସ୍ତୁତ ନୁହଁ, ତେବେ ଯାଉଛି ।

 

ସେ ସଂଗେ ସଂଗେ ମଧୁମିତାକୁ ଓଟାରି ନେଲା ।

 

ରକ୍ଷା କର ସୌମିତ୍ର ! ମୋତେ ଏ ରାକ୍ଷସ ହସ୍ତରୁ ଉଦ୍ଧାର କର । ମଧୁମିତା ଚିତ୍କାର କରି ଉଠିଲା ।

 

ବଂଦି ହୁଅ । ଅଚାନକ ସୌମିତ୍ର ପାଟିକରି ଉଠିଲା ।

 

ସଂଜୟ ଠିଆ ହୋଇଗଲା ।

 

ମୁଁ ବର୍ତ୍ତମାନ ଚେକ୍ ଆଣି ତୁମକୁ ଦେଉଛି । ସୌମିତ୍ର ଏତିକି କହି ଘର ଆଡ଼କୁ ଗଲା । ପାଞ୍ଚମିନିଟ୍ ପରେ । ସେ ଆସିଲା ଖଣ୍ଡେ ଚେକ୍ ଧରି । ତାକୁ ସଂଜୟ ଆଡ଼କୁ ବଢ଼ାଇ ଦେଲା । ଦୂରରୁ ସଂଜୟ ସେ ଚେକ୍ ଖଣ୍ଡିକ ଟାଣି ନେଇଗଲା ।

 

କିଛି ଭୁଲ ନାହିଁ ତ ?

 

ନିଜେ ଦେଖିନିଅ ଥରେ ।

 

ଠିକ୍ ଅଛି । ସଂଜୟ ଟିକିଏ ଚେକ୍‍କୁ ଓଲଟ ପାଲଟ କରି କହିଲା । ଠିକ୍ ସେଇ ସମୟରେ ଏକ ବିଚିତ୍ର ଘଟଣା ଘଟିଲା ।

 

ସଂଜୟ ହାତରୁ କୌଣସି ଏକ ଭାରି ଜିନିଷ ଭୂମିରେ ପଡ଼ି ତାହା ଫାଟିଗଲା । ସେଥିରୁ ଧୂମ୍ର ନିର୍ଗତ ହେଲା । ସେ ସ୍ଥାନଟା ଧୂମ୍ରରେ ଭରିଯିବାପରେ ସଂଜୟ ଓ ମଧୁମିତା ସେ ଭିତରେ ଲୋପ ପାଇଗଲେ ।

 

ସୌମିତ୍ର ଅନୁଭବ କଲା କିଏ ଯେମିତି ଖୁବ୍ ଜୋର୍ ରେ ଦୌଡ଼ୁଛି । ଦୌଡ଼ିବାର ଶଦ୍ଦ କ୍ରମେ କ୍ରମେ ରାତ୍ରିର ଅଂଧକାରରେ ମିଳାଇଗଲା । ପୁଣି ଚତୁର୍ଦ୍ଦିଗରେ ନୀରବତାର ରାଜୁତି ହେଲା-

 

ସୌମିତ୍ରର ମୁଣ୍ଡ ଆଉ ଠିକ୍ ଭାବେ କାର୍ଯ୍ୟ କରୁନାହିଁ । ମଧୁ.... ମଧୁ..... ଚିତ୍କାର କରି ସେ ଧୂମ୍ର ଆଡ଼େଇ ଏଣେ ତେଣେ ଧାଉଁଛି । ତାର ଚିତ୍କାର ତା’ରି ପାଖକୁ ଫେରି ଆସୁଛି ଖାଲି । କିଂତୁ କାହିଁ ସେ ? ତାର ପତ୍ନୀ, ପ୍ରେୟସୀ କେଉଁଠି ?? ତା’ ପ୍ରାଣର ମଧୁ କାହିଁ ???

 

ଧୁମ୍ର ପରିଷ୍କାର ହୋଇ ଚାରିଆଡ଼ ଦିଶିବ ପରେ ସୌମିତ୍ର ଦେଖିଲା ସ୍ଥାନଟା ଶୂନ୍ୟ । ସେଠି ମଧୁମିତା ନାହଁ କି ସଂଜୟ ବି ନାହିଁ । ଦୁହେଁ ଅଦୃଶ୍ୟ ହୋଇ ଯାଇଛନ୍ତି ।

 

ସେତେବେଳକୁ ଆକାଶ ବକ୍ଷରେ ଖଣ୍ଡ ଖଣ୍ଡ ମେଘ ଲହଡ଼ ଭାଂଗୁଛି ।

 

ଆଠ

 

ସିଁ ସିଁ ହୋଇ ଖୁବ୍ ସ୍ପିଡ୍ରେ ଗତି କରୁଥିଲା କାର୍ । ଡ୍ରାଇଭ୍ କରୁଚି ସୌମିତ୍ର । ମୁଣ୍ଡରେ ଭରି ରହିଛି ଅସରନ୍ତି ଚିନ୍ତା ଭାବନା ।

 

ମାଣିକ ଝୋଲାର ପ୍ରକୃତି ବହୁତ ପଛରେ ରହିଲାଣି ।

 

ଦିଶିଲାଣି ରାୟଗଡ଼ା ଟାଉନର କେତେଟା ଛୋଟ ବଡ଼ କୋଠା । ସୌମିତ୍ର ଯାଉଥିଲା ସୂର୍ଯ୍ୟକାନ୍ତି ଦାସଂକ ଘରକୁ । ସେ ଜଣେ ଆଡ଼ଭୋକେଟ୍ । ଟଂକା ପଇସା ଥିବା ଲୋକ । ଟାଉନରେ ମଧ୍ୟ ପପୁଲାର ଥିଲେ । କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସୌମିତ୍ର ଯାଉଛି ତାଂକ ପାଖକୁ ।

 

କାରଟା ପାହାଡ଼ ତଳେ ତଳେ ସର୍ପିଳ ଗତିରେ ଗଡ଼ି ଯାଉଥିଲା ।

 

ସଂଧ୍ୟା ଆଗତ ପ୍ରାୟ । ଛଅଟା ବାଜିବାକୁ ଯାଉଚି ।

 

କାର୍ ଯାଇ ଅଟକିଲା ସୂର୍ଯ୍ୟକାନ୍ତି ବାବାଙ୍କ କୋଠା ସାମନାରେ । ସୌମିତ୍ର କାରରୁ ଓହ୍ଲାଇ କୋଠାର ଦ୍ୱାର ପାଖକୁ ଗଲା । ବଂଦ ଅଛି । କଲିଂ ବେଲ୍ ଟିପିଲା ।

 

କିଏ ସେ ? ଭିତରୁ କୌଣସି ପୁରୁଷର କଂଠ ଭାସି ଆସିଲା ।

 

କିଛି ଉତ୍ତର ନଦେଇ ପୁଣି କଲିଂ ବେଲ୍ ଟିପିଲା । ଏଥର କେହି ଜଣେ ଆସିବାର ପଦଚାପ ଶୁଭିଲା । ଦ୍ୱାରଟା ଖୋଲିଲା ।

 

ଜଣେ ମଧ୍ୟମ ବୟସ୍କ ବ୍ୟକ୍ତି ଆଗରେ ଠିଆ ହୋଇଛନ୍ତି । ଚକ୍ଷୁରେ ଚଷମା । ହୃଷ୍ଟପୁଷ୍ଟ ଶରୀର । ଓଠରେ ଟିକିଏ ହସ ଲାଖି ରହିଚି ।

 

ଆରେ ସୌମିତ୍ର ! ତୁମେ ? ବିସ୍ମୟଭରା କଂଠ ସ୍ୱର ଶୁଭିଲା । ଭଲ ଅଛ ତ ?

 

ହଁ ମଉସା ! ପ୍ରାୟ ଭଲ ଅଛି । ତେବେ....

 

ତେବେ କ’ଣ ? କ’ଣ କିଛି ଗୁରୁତର କାର୍ଯ୍ୟ ? ସେ ବ୍ୟକ୍ତିଂକର ଚକିତ କଂଠରୁ ବାହାରିଲା ।

 

ଚାଲନ୍ତୁ ଭିତରକୁ । କହୁଛ । ସୌମିତ୍ର ଧୀର ଗଳାରେ କହିଲା ।

 

ସେ ହେଉଛନ୍ତି ଆଡ଼ଭୋକେଟ୍ ସୂର୍ଯ୍ୟକାନ୍ତି । ସୌମିତ୍ର ସହ ସେ ଭିତରକୁ ଆସିଲେ । ଡ୍ରଇଂରୁମ୍ ରେ ଦୁହେଁ ପ୍ରବେଶ କରି ସୋଫା ଉପରେ ବସିଗଲେ । ବସିବା ପରେ ସୂର୍ଯ୍ୟକାନ୍ତି ବାବୁ କହିଲେ, ଏବେ କୁହ । ବଡ଼ ବ୍ୟସ୍ତ ହେଲାଭଳି କ’ଣ ଦିଶୁଛ ତ ?

 

ହଁ ମଉସା ! ମୁଁ ଆଜକୁ ତିନି ଚାରି ଦିନ ହେଲା ବଡ଼ ବ୍ୟସ୍ତ ବିବ୍ରତ ହୋଇ ପଡ଼ିଛି । ସୌମିତ୍ର ଦୁଃଖିତ ସ୍ୱରରେ କହିଲା ।

 

କଥା କ’ଣ ? ସୂର୍ଯ୍ୟକାନ୍ତି ବାବୁ ତାକୁ ଚାହିଁ ରହିଲା ।

 

ଆଜିକାଲି ମଧୁମିତା ଠାରୁ ବଡ଼ ଅସୁବିଧା ସୃଷ୍ଟି ହେଉଛି ମଉସା !

 

କ’ଣ ? ସୂର୍ଯ୍ୟକାନ୍ତି ବାବୁ ଚମକି ଉଠିଲେ । ତାଂକୁ ବୋଧ ହେଲା, ସୌମିତ୍ରର ପାଟିରୁ ଏକଥା ଅଜାଣତରେ, ବେଖିଆଲରେ ବାହାରି ପଡ଼ିଛି । ପୁଣି କହିଲେ, କିଂତୁ ମଧୁମିତା ମରିବାର ତ ଆଜକୁ ତିନିବର୍ଷ ପ୍ରାୟ ହୋଇଗଲା । ପୁଣି ଏସବୁ କ’ଣ କହୁଚ ?

 

ତାର ଆତ୍ମା ତୃପ୍ତ ନୁହେଁ ମଉସା ! ସେ ଅଶାନ୍ତିରେ ଘୂରି ବୁଲୁଛି ।

 

ମୁଁ ତୁମର କହିବାର ଉଦ୍ଦେଶ୍ୟ ବୁଝି ପାରିଲିନି । ସୌମିତ୍ରର ରହସ୍ୟପୂର୍ଣ୍ଣ କଥାରେ ସୂର୍ଯ୍ୟକାନ୍ତି ବାବୁ ବିବ୍ରତ ଗଳାରେ କହି ଉଠିଲେ ।

 

ସେ ଶାନ୍ତି ପାଇ ପାରୁନାହିଁ । ତାର ଆତ୍ମା ସଂତୁଷ୍ଟ ହୋଇ ପାରିନି ।

 

ସଫା କଥାଟା କହୁନ କାହିଁକି ? ସୂର୍ଯ୍ୟକାନ୍ତି ବାବୁ ଆଉ ଟିକିଏ ବ୍ୟସ୍ତ ହୋଇ କହିଲେ ।

 

ମୁଁ ଥଟ୍ଟା କରୁନି ମଉସା ! ଠିକ୍ କଥା କହୁଛି ।

 

କ’ଣ ଯାହା କହୁଛ ଠିକ୍ ?

 

ଆଜିକୁ ତିନି ଦିନ ହେଲା ତା’ର ଆତ୍ମା ମୋତେ ବ୍ୟସ୍ତ ବ୍ୟାକୁଳ କରୁଛି । ତା’ର ଆତ୍ମା ମୋ’ ପାଖକୁ ଆସୁଛି । ପୁଣି ମୋତେ ତା’ ସାଥିରେ ଯିବାକୁ କହୁଛି ।

 

ଏ କ’ଣ କହୁଛ ସୌମିତ୍ର ?

 

ବିଶ୍ୱାସ କରନ୍ତୁ । ମୁଁ ଯାହା କହୁଛି ଠିକ୍ । ସୌମିତ୍ର କହୁଥିଲା । ତା’ର ଆତ୍ମା ରାତି ହୋଇଗଲେ ମୋ’ ନିକଟକୁ ଆସୁଛି ।

 

ଏଇ ସବୁ ସ୍ୱପ୍ନ ଦେଖିବା କଥା କହୁନା ତ ?

 

ବିଶ୍ୱାସ କରନ୍ତୁ ମଉସା ?

 

ତୁମେ ତାକୁ ଦେଖିଲ ? ସୂର୍ଯ୍ୟକାନ୍ତି ବାବୁ ଗଂଭୀର ହୋଇ ବସିଲେ । ସୌମିତ୍ରର କଥା ତାଂକୁ ସତ ଭଳି ଲାଗି ଆସୁଥାଏ ।

 

ପୂରାପୂରି ନିକଟରେ ଦେଖୁଛି ।

 

କ’ଣ ସିଏ ମଧୁମିତା ନା.....

 

ହଁ । ମଧୁମିତା । ଦେହର ଗଠନ, ଚାଲି ଚଳନ, ରୂପ ରଂଗ ସବୁ କିଛି ତା’ରି ଭଳି । କଂଠସ୍ୱର ମଧ୍ୟ ଠିକ୍ ତାହାରି ।

 

ସେ ତୁମକୁ କ’ଣ କହୁଛି ?

 

ନିଜ ସାଥୀରେ ଯିବାକୁ ।

 

କେଉଁଠିକି ?

 

ମୁକ୍ତିଘାଟ । ସେଇ ଶ୍ମାଶନ । ଯେଉଁଠି ତାର ଚିତା ଜଳିଥିଲା ।

 

କ’ଣ ? ଚମକି ପଡ଼ିଲେ ସୂର୍ଯ୍ୟକାନ୍ତି ବାବୁ ।

Unknown

 

ହଁ ମଉସା ! ଆଉ ମୁଁ ବି ସେଠାକୁ ଯାଇଥିଲି ।

 

ତାପରେ ? ସୂର୍ଯ୍ୟକାନ୍ତି ବାବୁଙ୍କର ଉତ୍କଣ୍ଠା ବଢ଼ୁଛି ।

 

ସେ ମୋତେ ଘାଟୀ ଉପରୁ ଡେଇଁବା ପାଇଁ କହିଲା ।

 

ଆଉ ତୁମେ ଡେଇଁ ପଡ଼ିଲ ? ସେ ବ୍ୟଂଗରେ ହସିଲେ ।

 

ମୋ’କଥା ବିଶ୍ୱାସ କରନ୍ତୁ । ସୌମିତ୍ର ଦୃଢ଼ ସ୍ୱରରେ କହିଲା । ତା’ କହିବା ଅନୁଯାୟୀ ମୁଁ ଡେଇଁଥିଲି; କିଂତୁ....

 

କିଂତୁ, କ’ଣ ? ସୂର୍ଯ୍ୟକାନ୍ତି ବାବୁ ଟିକିଏ ପାଖକୁ ଲାଗି ଆସିଲେ ।

 

କିଏ ଜଣେ ମୋତେ ଧରି ପଛକୁ ଟାଣିଲା ।

 

ସେ କିଏ ସେ ?

 

ବାସ୍ତବତା ଆଉ ବ୍ୟାକୁଳତା ଯୋଗୁଁ ତାକୁ ଚିହ୍ନି ପାରିଲିନି । ଚାରିଆଡ଼େ କଳା ଅଂଧାର ଘେରି ରହିଥିଲା ।

 

ହଁ...ଆଉ ମଧୁମିତା ?

 

ସେ ତ ମୋ’ ପୂର୍ବରୁ ଡେଇଁ ସାରିଥିଲା ତଳକୁ ।

 

ଆଚ୍ଛା ! ତାଂକର ଆଶ୍ଚର୍ଯ୍ୟର ସୀମା ବଢ଼ୁଥିଲା ।

 

ସେ ଧୀରେ ଧୀରେ ତଳକୁ ଖସିଗଲା । ଯେଉଁଠି ତାର ଶରୀରକୁ ପୋଡ଼ି ପାଉଁଶ କରିଦିଆ ଯାଇଥିଲା ସେଇଠି ତାର କବର ନିର୍ମାଣ ହୋଇଛି । ସେଇ କବରରେ କୁଆଡ଼େ ସେ ମିଶିଗଲା ।

 

ଆରେ !

 

ହଁ ।

 

ଏତେ ଉପରୁ ଡେଇଁବା ପରେ ବି ତା’ର କିଛି ହେଲା ନାହିଁ ?

 

ଏଥିରେ ମୁଁ ବି ତ ଭାରି ଆଶ୍ଚର୍ଯ୍ୟ ।

 

ରାତିରେ ସେ ତୁମ ନିକଟକୁ ଆସେ କେତେବେଳେ ?

 

ଗୋଟାଏ କି ଦୁଇଟା ଭିତରେ ।

 

ହଁ । ସେ ଗଂଭୀର ହୋଇଗଲେ । କିଛି ସମୟ ଚିନ୍ତା କରି ପୁଣି ପଚାରିଲେ, ସୌମିତ୍ର ! ଗୋଟାଏ କଥା ପଚାରିବି ?

 

କୁହନ୍ତୁ ।

 

ତୁମେ ଭୁତ, ପ୍ରେତ ବା ଆତ୍ମା ଉପରେ ବିଶ୍ୱାସ କର ?

 

ମୁଁ ତ ମୋଟେ ବିଶ୍ୱାସ କରେନା । କିଂତୁ ଏସବୁ ମୁଁ ତ ସ୍ୱଚକ୍ଷୁରେ ଦେଖିଛି । ତାକୁ ମିଥ୍ୟା ବୋଲି କହିବି କେମିତି ?

 

ଇଏ ଗୋଟାଏ ବିରାଟ ଷଡ଼ଯନ୍ତ୍ର ସୌମିତ୍ର !

 

କ’ଣ ? ସୌମିତ୍ର ଚମକିଲା ଭଳି ପ୍ରଶ୍ନ କଲା ।

 

ବ୍ୟସ୍ତ ହୁଅନା । ଏକଥା ଠିକ୍ । ଆଜିର ବିଜ୍ଞାନ ଯୁଗରେ ଏସବୁ ଏକ ମିଥ୍ୟା ଛଳନା ଆଉ ଷଡ଼ଯନ୍ତ୍ରର ଚକ୍ର ବ୍ୟତୀତ ଆଉ କିଛି ନୁହେଁ ।

 

ତେବେ ଏ ଷଡ଼ଯନ୍ତ୍ର କାହିଁକି ଏବଂ କେମିତି ? ବ୍ୟଗ୍ର ହୋଇ ସୌମିତ୍ର ପ୍ରଶ୍ନ କଲା ।

 

ମୁଁ ଯେତେଦୂର ବୁଝି ପାରୁଛି କେହି ତୁମର ସଂପତ୍ତି ପ୍ରତି ନଜର କରି ନେଇଛି । ଧନ ସଂପତ୍ତିକୁ ହସ୍ତଗତ କରିବାକୁ ଚାହୁଁଚି ସେ ।

 

କିଂତୁ ମୋର ତ ଶତ୍ରୁତା କାହା ସାଥୀରେ ନାହିଁ ।

 

ଧନ ସଂପତ୍ତି ହିଁ ମଣିଷର ବଡ଼ ଶତ୍ରୁ । ବୁଝିଲ ସୌମିତ୍ର; ତା’ ଛଡ଼ା ଆଉ କିଛି ହୋଇ ନପାରେ ।

 

କିଂତୁ, ମଧୁମିତା.....

 

ଏ’ କେବଳ ଗୋଟାଏ ଛଳନା......ପ୍ରତାରଣା ।

 

ତେବେ ତା’ ଭିତରେ ଏତେ ସାଦୃଶ୍ୟ ଆସିଲା କେଉଁଠୁ ? ଟିକିଏ ବି ତ ଫରକ ଥାଆନ୍ତା । ଠିକ୍ ତାହାରି ଭଳି.....

 

ୟାକୁ ହିଁ ସଫଳ ଅଭିନୟ କହନ୍ତି ସୌମିତ୍ର ।

 

କିଂତୁ ମୁଁ ବିଶ୍ୱାସ ନକରି ରହି ପାରୁନି ।

 

ଇଏ ତୁମର ବଡ଼ ଭୁଲ । ମସ୍ତବଡ଼ ଭ୍ରମ ।

 

ମଉସା ! ମୁଁ ତ କିଛି ବୁଝି ପାରୁନି । ସୌମିତ୍ର ବ୍ୟସ୍ତ ହୋଇ କହିଲା । ମଧୁ ସବୁଦିନେ ଆସୁଛି । ମୋତେ ଡାକୁଛି । ସେ ଅତୃପ୍ତ । ମୋର ପ୍ରେମ ପାଇଁ ସେ ପୁଣି ଚାହିଁ ବସିଛି । ତା’ର ଆତ୍ମା ଏଣେ ତେଣେ ଘୁରୁଛି । ସେ ମୋତେ ହିଁ ଚାହେଁ । କହୁ କହୁ ତା’ ଆଖି ଅଶ୍ରୁରେ ଭରି ଆସିଲା ।

 

ଗତ ରାତ୍ରିର ସଂଜୟ କଥା ମଧ୍ୟ ସେ ଟିକିନିଖି ବର୍ଣ୍ଣନା କରିଗଲା ।

 

ସେ ପୁଣି ଜୀବନ ପାଇଗଲା କେମିତି ? ସୂର୍ଯ୍ୟକାନ୍ତ ବାବୁ ବିବ୍ରତ ହୋଇ ପ୍ରଶ୍ନ କଲେ ।

 

ଏକ ଲକ୍ଷ ଟଂକାର ଚେକ୍ ମଧ୍ୟ ସେ ମୋ’ଠାରୁ ନେଲା ।

 

ଆରେ ! ତୁମେ ଦେଲ କାହିଁକି ?

 

ସେ ମଧୁମିତାକୁ ବଡ଼ ହଇରାଣ କରୁଥିଲା । ଏମିତିକି ଅତ୍ୟାଚାର.....

 

ଆରେ ମୂର୍ଖ ! ଆତ୍ମା ଭଲା ଟଂକା ପଇସା ନେଇ କରିବ କ’ଣ ? ତୁମ ମୁଣ୍ଡରେ ପଶି ପାରିଲାନି ? ସୂର୍ଯ୍ୟକାନ୍ତି ବାବୁ ଟିକିଏ ତୀବ୍ର ସ୍ୱରରେ କହିଲେ ।

 

ଚେକ୍ କେତେବେଳେ ଦେଇଥିଲ ?

 

ରାତିରେ । ପ୍ରାୟ ତିନିଟା ବେଳକୁ ।

 

ଆଚ୍ଛା, ସେ ଚେକ୍ ଭଂଗାଇ ସାରିଥିବ ତ ? ତେବେ ରୁହ ଟିକିଏ ମୁଁ ଦେଖୁଛି ।

 

କିଂତୁ ବ୍ୟାଂକ୍ ତ କେତେବେଳୁ ବଂଦ ହେଲାଣି ।

 

ମ୍ୟାନେଜର ମୋର ପରିଚିତ ବଂଧୂ । ମୁଁ ତାଙ୍କ ନିକଟକୁ ଫୋନ କରିବି । ଏତିକି କହି ସୂର୍ଯ୍ୟକାନ୍ତି ବାବୁ ପାଖ ଟେବୁଲରେ ଥିବା ଫୋନ ପାଖକୁ ଗଲେ ।

 

ଫୋନ୍ ଧରି ଡାକିଲେ ସୂର୍ଯ୍ୟକାନ୍ତି ବାବୁ ।

 

ଇୟେସ୍ । ହିଅର୍ ଇଜ୍ ପ୍ରଫୁଲ୍ଲ କୁମାର । ସେ ପାଖରୁ ଶୁଭିଲା ।

 

ମୁଁ ଆଡ଼ଭୋକେଟ୍ ସୂର୍ଯ୍ୟକାନ୍ତି ଦାସ କହୁଛି ।

 

ଆରେ, ନମସ୍କାର ସୂର୍ଯ୍ୟକାନ୍ତି ବାବୁ ! କୁହନ୍ତୁ ।

 

ଆଚ୍ଛା ଆଜି ଆପଣ କାହାକୁ ଏକଲକ୍ଷ ଟଙ୍କା ଦେଇଛନ୍ତି ?

 

ହଁ, ହଁ । କ’ଣ କିଛି ବିଶେଷ କଥା ଅଛି କି ?

 

ହଁ । ସେଇ ପ୍ରକାର । ସୂର୍ଯ୍ୟକାନ୍ତି ବାବୁ କହିଲେ । କେତେବେଳେ ଦେଇଥିଲେ ?

 

ଦିନ ପ୍ରାୟ ଗୋଟାଏ ବେଳେ ।

 

ଆଚ୍ଛା, ସେ ବ୍ୟକ୍ତିର ରୂପ ରଙ୍ଗ କିଛି କହିପାରିବେ ?

 

ଏତେ ଭିତରେ ମୁଁ ଆଉ ସେ ବ୍ୟକ୍ତି ପ୍ରତି ଭଲଭାବେ ନଜର ଦେଇ ପାରିନି । କ୍ଷମା କରିବେ । ବହୁ ଲୋକଂକ ସମାଗମ ଭିତରେ ମୁଁ ଭୁଲିଯାଇଛି ।

 

ସାମାନ୍ୟ କିଛି ?

 

ହଁ, ହଁ ସାମାନ୍ୟ କିଛି ମନେ ପକାଇ କହୁଛି । ଜଣେ ହୃଷ୍ଟପୃଷ୍ଟ ବ୍ୟକ୍ତି ତ ନିଶ୍ଚୟ । ମୁହଁରେ ବଡ଼ ବଡ଼ ନିଶ ଥିଲା । ମୁଣ୍ଡରେ ବୋଧହୁଏ ଗୋଟାଏ ଟୋପି ଏବଂ ଆଖିରେ କଳାଚଷମା ଥିଲା । ଦେହରେ ଏକ ଲଂଗ୍ କୋଟ । ହଁ ସେଇ ପ୍ରକାରର ବୋଧହୁଏ ।

 

ଆଚ୍ଛା, ଚିହ୍ନି ପାରିବେ ତାକୁ ସାମନାରେ ଦେଖିଲେ ?

 

ମୁହଁଟା ତ ଭଲଭାବେ ଦେଖିନି । ଅସୁବିଧା ହୋଇପାରେ ।

 

ହଁ । ସୂର୍ଯ୍ୟକାନ୍ତି ବାବୁ ବଡ଼ ଭାବଗଂଭୀର ହୋଇ ଉଠିଲେ ।

 

କଥା କ’ଣ ସୂର୍ଯ୍ୟ ବାବୁ ?

 

ଆଚ୍ଛା, ଗୋଟାଏ କାମ କରିବେ ? ତାଂକ ପ୍ରଶ୍ନ ପ୍ରତି ଗୁରୁତ୍ୱ ନଦେଇ କହିଲେ ।

 

କୁହନ୍ତୁ ।

 

ଯଦି ବର୍ତ୍ତମାନ ଠାରୁ ସୌମିତ୍ରର ହସ୍ତାକ୍ଷର ଥାଇ କୌଣସି ଚେକ୍ ଯାଏ ତେବେ ମୋ ପାଖକୁ ସଂଗେ ସଂଗେ ଜଣାଇଁବ ଏବଂ ସେ ବ୍ୟକ୍ତି ଉପରେ ନଜର ରଖିବାକୁ ଅନୁରୋଧ ।

 

ହଁ ଆଜ୍ଞା !

 

ତା ପରେ ସେ କନେକ୍ସନ୍ କାଟି ଫେରି ଆସିଲେ ସୋଫା ଉପରକୁ । ବଡ଼ ବିଚଳିତ ଭାବ ତାଂକ ମୁଖରୁ ସ୍ପଷ୍ଟ ହୋଇ ଉଠୁଥିଲା ।

 

କ’ଣ କହିଲେ ସେ ? ସୌମିତ୍ର ତାଂକୁ ପଚାରିଲା ।

 

ଜଣେ ଜୀବନ୍ତ ବ୍ୟକ୍ତି ଚେକ୍ ଭଂଗାଇ ଏକଲକ୍ଷ ଟଂକା ଆଜି ଦିନ ଗୋଟାଏ ବେଳେ ନେଇଛି । ସେ ଧୀରେ କହିଲେ ।

 

ସୌମିତ୍ର ଗୁମ୍ ମାରି ବସିଗଲା ।

 

କିଛି ସମୟର ନିରବତା ପରେ ସୌମିତ୍ର ପୁଣି ସୂର୍ଯ୍ୟକାନ୍ତି ବାବୁଙ୍କ ଆଡ଼କୁ ଚାହିଁ ପଚାରିଲା, ଆଚ୍ଛା ମଉସା ! ବାପାଙ୍କର ଉଇଲ୍‍ଟା କେଉଁଠି ଅଛି ?

 

ତାହା ଅତି ଗୁପ୍ତରେ ଯତ୍ନରେ ରଖା ଯାଇଛି ସୌମିତ୍ର !

 

ଟିକିଏ ଦୟାକରି ବାହାର କରିବେକି ? ମୁଁ ଦେଖନ୍ତି ।

 

ଆରେ ଏଥିରେ ଦୟା କରିବାର କ’ଣ ଅଛି ? ହଉ ମୁଁ ଆଣୁଛି ।

 

ସୂର୍ଯ୍ୟକାନ୍ତି ବାବୁ ଏତିକି କହି ଭିତରକୁ ଗଲେ । କିଛି ସମୟ ପରେ ସେ ଫେରିଲେ । ହାତରେ ଗୋଟାଏ ଫାଇଲ । ସେ ସେଇ ଫାଇଲଟାକୁ ସୌମିତ୍ର ଆଡ଼କୁ ବଢ଼ାଇ ଦେଇ କହିଲେ-ୟା’କୁ ତୁମେ ନେଇ ଯିବନି ।

 

ଆଜ୍ଞା ! କହି ସୌମିତ୍ର ଫାଇଲକୁ ଖୋଲି ପୃଷ୍ଠା ପରେ ପୃଷ୍ଠା ଓଲଟାଇ ଚାଲିଲା !

 

ଅଜୟର ପୂରା ସଂପତ୍ତିର ଏକ ଚତୁର୍ଥାଂଶ ଭାଗ ଏଥିରେ ଅଛି ।

 

ଅଜୟ ତାର କକେଇ ପୁଅ ଭାଇ । ବର୍ତ୍ତମାନ ସେ ଯାଇ ଦିଲ୍ଲୀରେ । ସେଠାରେ ସେ ଏକ ବିରାଟ କ୍ଲଥ୍ ସପର୍ ମାଲିକ । ତାର ଭାଗ ପାଇଁ ସୌମିତ୍ରର ପିତା ଉଇଲ୍ ରେ ମଧ୍ୟ ଲେଖି ଯାଇଛନ୍ତି । କାରଣ କକେଇ ବହୁ ଦିନୁ ଇହଲୀଳା ସାଂଗ କରିଥିଲେ । ପାଞ୍ଚ ଛ’ବର୍ଷ ପରେ ମଧ୍ୟ ଖୁଡ଼ୀ ଚାଲିଗଲେ । ଖାଲି ଅଜୟ ରହି ଯାଇଥିଲା ।

 

ହଁ, ବ୍ୟାଂକ୍ ରେ ଥିବା ଦୁଇଲକ୍ଷରୁ ମଧ୍ୟ ଏକ ଚତୁର୍ଥାଂଶ ତାର ଅଛି । ସୂର୍ଯ୍ୟକାନ୍ତି ବାବୁ କହିଲେ ।

 

କିନ୍ତୁ ତାର ସମସ୍ତ ଅଂଶ ତ ସେ ବ୍ୟବସାୟରେ ଖଟାଇବା ପାଇଁ ନେଇ ସାରିଛି ।

 

କ’ଣ ? ସୂର୍ଯ୍ୟକାନ୍ତି ବାବୁ ଚମକିଲା ଭଳି ପ୍ରଶ୍ନ କଲେ ।

 

ହଁ । ବ୍ୟାଂକ୍ ରେ ଆଉ ତାର କୌଣସି ହିସାବପତ୍ର ନାହିଁ ।

 

ସୂର୍ଯ୍ୟକାନ୍ତି ବାବୁ ଗଂଭୀର ହୋଇ ବସିଥିଲେ । ଏକ ରହସ୍ୟମୟ ହସ ଉକୁଟି ଉଠୁଥିଲା ତାଙ୍କର ଓଠରେ । ସୌମିତ୍ର ସେ ହସର ଅର୍ଥ ବୁଝିବାକୁ ସେତେବେଳେ ଅକ୍ଷମ ।

 

କିଛିକ୍ଷଣ ଯାଏଁ ପୁଣି ଦୁହେଁ ନିର୍ବାକ୍, ନିସ୍ପନ୍ଦ ।

 

ସେତେବେଳେକୁ ରାୟଗଡ଼ା ଟାଉନ୍‍ର ବିଜୁଳିବତୀ ଜଳି ଉଠିଛି । ଅଂଧକାର ମରି ଯାଇଛି । ରାତିକ୍ରମେ ବଢ଼ୁଛି ।

 

ନଅ

 

ଚତୁର୍ଦ୍ଦିଗ ଅଧଂକାରରେ ଆବର୍ତ୍ତରେ ଡୁବୁଛି ।

 

ଆକାଶରେ ତାରା ନାହିଁ । ଜହ୍ନ ନାହିଁ । ଭସାମେଘ । ଆକାଶରେ ପିଟି ହେଉଛି ଅସ୍ଥିର ହୋଇ । ପ୍ରକୃତି ଭୀମ ଭୈରବ ରୂପ ଧାରଣ କରିଛି ।

 

ହଠାତ୍ ପବନ ସହ ପଡ଼ି ଆସିଲା ବର୍ଷା । ମୂଷଳ ଧାରାରେ ପଡ଼ିଲା ଜଳ । ପ୍ରକୃତି ଗର୍ଜି ଉଠିଲା ।

 

ହଠାତ୍ ଗୋଟାଏ ଛାୟା ଦେବଦାରୁ ଗଛ ମୂଳେ ଥାଇ ଚତୁର୍ଦ୍ଦିଗକୁ ମନଧ୍ୟାନ ଦେଇ କ’ଣ ନିରୀକ୍ଷଣ କରୁଥିଲା ସେଇ ଅଂଧକାର ଭିତରେ ସେ କିଛି ସମୟ ଏଣେତଣେ ଚାହିଁବା ପରେ ଗଛ ମୂଳରୁ ବାହାରି ଆସିଲା । ଦେହରେ ଲଂଗ୍ କୋଟ୍ । ମୁଣ୍ଡରେ ଥିବା ଫ୍ଲେଟ୍ ହ୍ୟାଟ୍‍କୁ ଟିକିଏ ଆଗକୁ ଟାଣି ଆଣିଲା । ମୁଁହ ଅଧା ଲୁଚିଗଲା ସେଥିରେ ।

 

ଚାରିଆଡ଼କୁ ଆଉ ଟିକିଏ ଦେଖି ଦେଇ ଦ୍ରୂତ ପଦରେ ସେ ଆଗେଇଲା । ଆଗରେ ଦିଶୁଛି ରାୟଗଡ଼ା ଟାଉନ୍ । ବର୍ଷାରେ ଚତୁର୍ଦ୍ଦିଗ ଝର ଝର ଶଦ୍ଦରେ ମୁଖରିତ । ଜନସମାଗମ ମୋଟେ ନାହିଁ । ତା’ ସହ ସିଁ ପବନ ବହୁଛି । ଷ୍ଟ୍ରିଟ୍ ଲାଇଟ୍ ଗୁଡ଼ାକ ଲିଭି ଯାଇଛି ।

 

ସେ ଛାୟା ଯାଇ ଏକ ବିରାଟ କୋଠାର ଫାଟକ ପାଖେ ପହଂଚିଲା । ଗୋଟାଏ ନେମ୍ ପ୍ଲେଟ୍ ଝୁଲୁଛି । ଲେଖା ହୋଇଛି ସୂର୍ଯ୍ୟକାନ୍ତି ଦାସ, ଆଡ଼ଭୋକେଟ୍ ।

 

ସେ ଫାଟକ ଭିତରକୁ ବଡ଼ ସତର୍କତାର ସହ ପ୍ରବେଶ କଲା । ଘରର ପଛପଟକୁ ଯାଇ ଚାରିଆଡ଼କୁ ଚାହିଁଲା । ସବୁ ଶୁନଶାନ୍ । ଗୋଟାଏ ସ୍ଥାନରେ ସେ ଅଟକି ଗଲା । ଦେଖିଲା ଏକ ପାଇପ୍ କୋଠାର ଉପର ଭାଗକୁ ଯାଇଛି । ଯେଉଁଠି ଶେଷ ହୋଇଛି ସେଠାରେ ଏକ ଝରକା । ଝରକା ବଂଦ୍ ହୋଇଛି । କିଂତୁ ଭିତରୁ ଝରକାର ଫାଙ୍କ ବାଟେ ଅସ୍ପଷ୍ଟ ଆଲୋକ ଦିଶୁଛି ।

 

ସେ ଛାୟା ନିଜକୁ ଦୃଢ଼ କରି ନେଇ ଚାରିଆଡ଼କୁ ପୁଣି ଚାହିଁ ପାଇପ୍ ଧରି ଚଢ଼ିବାରେ ଲାଗିଲା । ପ୍ରାୟ ଅଧାଯାଏଁ ଚଢ଼ିଯିବା ପରେ ସେ କ୍ଲାନ୍ତ ହୋଇ ପଡ଼ିଲା ବୋଧହୁଏ । ବର୍ଷୁଛି ସେଇମିତି । ପବନ ବହୁଛି । ଖୁବ୍ ଶୀତ । ପାଇପ୍‍ଟା ଖୁବ୍ ଥଣ୍ଡା ବୋଧ ହେଉଛି । ଜୋର୍ ରେ ସେ ଜାକି ଧରିଛି ପାଇପ୍‍କୁ ।

 

ପୁଣି ଉପରକୁ ଶକ୍ତି ଲଗାଇ ଚଢ଼ିଲା । ହଠାତ୍ ଜୋର୍ ରେ ପବନ ଆସି ତା ମୁଣ୍ଡରୁ ଫ୍ଲେଟ୍-ହ୍ୟାଟ୍ ଟାକୁ ଖସାଇ ଦେଲା । ଅଂଧକାର ଭିତରେ ତାହା ତଳେ ଯାଇ କେଉଁଠି ପଡ଼ିଲା ଜାଣିବା ମୁସ୍କିଲ୍ । ଭାବୁଝିଲା ସେ । ତଳକୁ ଯାଇ ଆଣିବ । କିଂତୁ କେତେ ସମୟ ଲାଗିବ ଜଣା ନାହିଁ । ତେଣୁ ସେ ଆଉ ଟୋପି ପ୍ରତି ମନ ନଦେଇ ପୁଣି ଚଢ଼ିଲା । ଉପରୁ କୌଣସି ତୀବ୍ର ସ୍ୱର ଶୁଭୁଛି ।

 

ପ୍ରାୟ ତିନିମିନିଟ୍ ପରେ ସେ ଝରକା ପାଖେ ପହଂଚିଗଲା । ଝରକା ଦେହରେ ଖୁବ୍ ଧୀରେ ହାତ ରଖି ସାମାନ୍ୟ ତାକୁ ଠେଲି ଦେଲା । ଟିକିଏ ତାହା ଖୋଲିଗଲା । କିଂତୁ ଶଦ୍ଦ ହେବାରୁ ତା’ମନ ଆଶଂକାରେ ଭରି ଉଠିଲା ।

 

ବଡ଼ ସଂତର୍ପଣ ସହ ଭିତରକୁ ଚାହିଁଲା ସେ । ଯାହା ଦେଖିଲା ସେଥିରେ ସେ ଚମକି ଉଠିଲା । ସେ ସଙ୍ଗେ ସଙ୍ଗେ ଦୃଷ୍ଟି ଫେରାଇ ଆଣିଲା ।

 

ଭିତରେ ଜଣେ କିଏ କଳା ପୋଷାକରେ ଆବୃତ ବ୍ୟକ୍ତି ଓକିଲ ସାହେବଂକୁ ପିସ୍ତଲର ନଳୀ ଦେଖାଇ ଗର୍ଜି ଉଠୁଥିଲା ।

 

ଆପଣ ମୋ’ ସହ ଖେଳନ୍ତୁ ନାହିଁ । କାଗଜ ମୋ’ ହାତକୁ ଦେଇ ଦିଅନ୍ତୁ । ଯଦି ନଦିଅନ୍ତି ବୃଥାରେ ଆପଣଂକୁ ଖୁନ୍ କରିବାକୁ ପଡ଼ିବ ।

 

ନା, ଏକଥା ହୋଇ ପାରିବନି । ସୂର୍ଯ୍ୟକାନ୍ତି ବାବୁକଂର କଠୋର ସ୍ୱର ଶୁଭିଲା ।

 

ଆପଣଂକର କଣ ଜୀବନ ପ୍ରତି ମମତା ନାହିଁ ?

 

ତୁମେ ମୋତେ ଭୟ ଦେଖାଉଛ, ନା ?

 

ମୁଁ ଯାହା କହେ ସେଇୟା କରେ । ବୁଝିଲେ ? ସେ ବ୍ୟକ୍ତି ଚିତ୍କାର କରି ଉଠିଲା ।

 

କିଂତୁ ସେ କାଗଜ ତୁମକୁ ମିଳି ପାରିବ ନାହିଁ ।

 

ତେବେ ତୁମକୁ ମୃତ୍ୟ ମୁଖରୁ କେହି ବଂଚାଇ ପାରିବେନି । ଭୟଂକର ସ୍ୱରରେ କହିଲା ସେ ଲୋକଟା ।

 

ରିଭିଲଭର୍ର ନଳୀ ଠିକ୍ ଓକିଲ ବାବୁକଂ ଆଡ଼କୁ ଲକ୍ଷ୍ୟ କରି ଠିଆ ହେଲା ସେ । ସେ ଟ୍ରିଗାର୍ ଟିପିବାକୁ ଯାଉଛି, ସୂର୍ଯ୍ୟକାନ୍ତି ବାବୁ ଅନନ୍ୟୋପାୟ ହୋଇ ଭୀଷଣ ବେଗରେ ସେ ବ୍ୟକ୍ତି ଉପରକୁ ଡେଇଁ ପଡ଼ିଲେ ।

 

ସେ ବ୍ୟକ୍ତି ଏଥିପାଇଁ ମୋଟେ ପ୍ରସ୍ତୁତ ନଥିଲା । ସେ ଆଶା କରିପାରୁ ନଥିଲା, ଏ ବୃଦ୍ଧ ଅବସ୍ଥାରେ ଓକିଲ ସାହେବଂକ ଦେହରେ ଏତେ ଶକ୍ତି ଅଛି ବୋଲି ।

 

ସେ ଡେଇଁବା ଦ୍ୱାରା ରିଭିଲ୍ ଭରଟା ତଳେ ଛିଟିକି ପଡ଼ିଗଲା ।

 

ସେ ବ୍ୟକ୍ତିର କ୍ରୋଧ ବଢ଼ିଗଲା । ଅଚାନକ ସୂର୍ଯ୍ୟକାନ୍ତିବାବୁ ସେ ବ୍ୟକ୍ତିକୁ ଏମିତି ଏକ ଶକ୍ତ ଗୋଇଠା ପକାଇଲେ ଯଦ୍ଦ୍ୱାରା ସେ ତଳେ ପଡ଼ିଗଲା । ପୁଣି ଉଠି ଠିଆହେଲା । ସେ ଲୋକଟା କ୍ରୋଧରେ ଅଜ୍ଞାନ ହୋଇ ପଡ଼ୁଥିଲା । ହଠାତ୍ ତା’ ହାତରେ ଏକ ଛୁରା ଚିକ୍ ଚିକ୍ କରି ଉଠିଲା ।

 

ସୂର୍ଯ୍ୟକାନ୍ତି ବାବୁ ଛୁରା ଦେଖି ନିଜର ରକ୍ଷା ପାଇଁ ବ୍ୟାକୁଳ ହେବା ସଂଗେ ସଂଗେ ଧୈର୍ଯ୍ୟ ହରାଇଲେ ନାହିଁ । ଠିଆ ହୋଇଗଲେ ଦୃଢ଼ତାର ସହ ।

 

ସେ ବ୍ୟକ୍ତି ପବନରେ ପହଁରିବା ଭଳି ଆଗେଇ ଆସିଲା ସାହେବଂକ ଆଡ଼କୁ ।

 

ସୂର୍ଯ୍ୟକାନ୍ତି ବାବୁ ଚାଲାକିରେ ବୁଲି ପଡ଼ିଲେ ସେ ବ୍ୟକ୍ତିର ପଛକୁ । ଓକିଲଂକ ଉଦ୍ଦେଶ୍ୟରେ ଫିଙ୍ଗିଥିବା ଛୁରୀଟା ଯାଇ ଆଲମାରୀ ଦେହରେ ଭୁସି ହୋଇଗଲା । ତାର କ୍ରୋଧ ଫୁଲି ଉଠୁଛି । ସଂଗେ ସଂଗେ ଯାଇ ଛୁରୀଟାକୁ ଟାଣି ଆଣିଲା ସେ । ଆଖି ଦୁଇଟା ଜଳୁଛି । ମୁହଁଟା ରକ୍ତ ମନ୍ଦାର ଭଳି ରଂଗ ଧରିଛି । ଭୟଂକର କ୍ରୋଧରେ ଦେହସାରା ତାର ଅଥୟ ଅସ୍ଥିର ହୋଇ ଉଠୁଛି । ଦାନ୍ତ କଡ଼ମଡ଼ କରି ଏକ ରାକ୍ଷସ ଚାହାଣୀରେ ଚାହିଁଲା ସେ ।

 

ସୂର୍ଯ୍ୟକାନ୍ତି ବାବୁ ଉପାୟହୀନ ହୋଇ ପଡ଼ୁଥିଲେ । ଆତ୍ମରକ୍ଷା ଉଦ୍ଦେଶ୍ୟରେ ଖୋଜି ବୁଲୁଥିଲେ କୌଣସି ସାହାଯ୍ୟ । ହଠାତ୍ ସେ ବ୍ୟକ୍ତି ଡେଇଁ ପଡ଼ିଲା ତାଂକ ଉପରକୁ । ସୂର୍ଯ୍ୟକାନ୍ତି ବାବୁ ହତଜ୍ଞାନ ହୋଇ ପଡ଼ିଲେ । ସମସ୍ତ ଚେଷ୍ଟା ବିଫଳ ହେଲା । ଏକ ଭୟଂକର ହୃଦୟ ବିଦାରକ ଚିତ୍କାର କରି ସେ ପଡ଼ିଗଲେ ତଳେ ।

 

ନିଷ୍ଠୁର ବ୍ୟକ୍ତିର ହସ୍ତରେ ଛୁରା ଚିକ୍ ଚିକ୍ କରୁଛି । ହାତ ଚଳାଇଲା । ବେକରେ ଖୁବ୍ ଅକ୍ଲେଶରେ ଛୁରାଟା ପଶି ପଶି ଯାଉଥିଲା.....ପିଚ୍ ପିଚ୍ ହୋଇ ରକ୍ତଗୁଡ଼ା ଛିଟିକି ଉଠିଛି ।

 

ଚଟାଣରେ ଭାସୁଛି ଲାଲ ରକ୍ତ....

 

ଗୋଡ଼ ହାତ ଗୁଡ଼ାକ ଅଯଥା ଛେଚି ପିଟି ହୋଇ ପୁଣି ସ୍ଥିର ହୋଇ ଆସୁଥିଲା ।

 

ସେ ବ୍ୟକ୍ତି ଉଠିଲା । ରିଭିଲ୍‍ଭରକୁ ଯତ୍ନରେ ଗୋଟାଇ ଆଣି ପକେଟ୍ ରେ ଭରିଲା ।

 

ପାଇପ୍‍କୁ ଧରି ଛାୟା ମୂର୍ତ୍ତିଟା ବିସ୍ମୟ ବିସ୍ଫାରିତ ନେତ୍ରରେ ଏ ରହସ୍ୟ ସବୁକୁ ଚାହିଁଛି । ବୁଝିପାରୁ ନ ଥିଲା ସେ ବ୍ୟକ୍ତି କିଏ ହୋଇପାରେ !

 

ପୁଣି ସେ ଚମକି ଉଠିଲା ।

 

ସେ ନିଷ୍ଠୁର ବ୍ୟକ୍ତି ଓକିଲ ସାହେବଂକ ତକିଆ ନିକଟରୁ ଚାବି ଆଣି ଲୁହା ଆଲମାରୀ ଆଡ଼କୁ ଆଗେଇଲା । ଟ୍ରେଜେରୀ ଖୋଲିଲା । ତା’ପରେ ସେ ବାହାର କରି ଆଣିଲା ଏକ ବଡ଼ ଫାଇଲ୍ ।

 

ଛାୟାମୂର୍ତ୍ତି ଆହୁରି ବିସ୍ମିତ ହେଲା । ଟ୍ରେଜେରୀରେ ଥାକ ଥାକ ନୋଟ୍ ସବୁ ଥୁଆ ହୋଇଛି । ଅଥଚ ତା’ ଆଡ଼କୁ ସେ ବ୍ୟକ୍ତିର ଟିକିଏ ବି ନଜର ଗଲା ନାହିଁ । ଖାଲି ଫାଇଲ୍ ଖଣ୍ଡି ବାହାର କରି ପୂର୍ବଭଳି ତା ବଂଦ୍ କରିଦେଲା ।

 

ଛାୟାମୂର୍ତ୍ତି ବ୍ୟାକୁଳ ହୋଇ ଉଠିଲା । କାରଣ ସେ ଯେଉଁଥିପାଇଁ ଆସିଥିଲା ତାକୁ ଅନ୍ୟଜଣେ ନେଇ ଯାଉଛି । ତାର ସମସ୍ତ ଚେଷ୍ଟା ବିଫଳ ହୋଇଗଲା ତେବେ ! ଭାବିଲା ତାକୁ ରିଭିଲ୍‍ଭର୍ ରେ ସମାପ୍ତ କରିଦେବ । କିଂତୁ ପୁଣି ସେ ଭାବନାରୁ ଫେରି ଆସିଲା ।

 

କିଏ ହୋଇପାରେ ସେ ? କ’ଣ କେହି ତା’ ପଛରେ ଅନୁସରଣ କରି ଜାଣିପାରିଛି ? ମନେ ମନେ ବହୁ ଚିନ୍ତା କରି ଯାଉଥିଲା ସେ ।

 

ସେତେବେଳକୁ ସେ ବ୍ୟକ୍ତି ଘରୁ ବାହାରି ଯାଉଥିଲା ।

 

ଛାୟାମୂର୍ତ୍ତିର ମନରେ ଅସଂଖ୍ୟ ଭାବନା । କିଏ ସେ ? ତା’ ବିଷୟରେ ଖବର ନିଶ୍ଚୟ ନେବାକୁ ହେବ । ଏଇୟା ଭାବି ସେ ତଳକୁ ଖସି ଆସିଲା ।

 

ଚାହିଁଲା ଚତୁର୍ଦ୍ଦିଗକୁ । ବର୍ଷା ଜୋର୍ ରେ ହେଉନି । ଟିକି ଟିକି ବର୍ଷା ବିନ୍ଦୁ ଖସୁଛି ଆକାଶରୁ । ପବନ ବହୁଛି । ସେଇମିତି ଅଂଧକାର । କେଉଁଠି କିଛି ଦିଶୁନି । ଗୋଟାଏ ଦିଗକୁ ସେ ଆଗେଇ ଚାଲିଲା ।

 

ରାସ୍ତା ଘାଟରେ ଜଳ ଉଛୁଳି ଉଠିଛି । ଖୁବ୍ ଶଦ୍ଦ ହେଉଛି । ୧୧ ବିଜୁଳିବତୀ ନାହିଁ । ସବୁ ଆଡ଼ ଅନ୍ଧାର ।

 

ଦଶ

 

ପଛରେ ରହିଲାଣି ଟାଉନ୍ ।

 

ପାହାଡ଼ ତଳର ଅଂକା ବଂକା ରାସ୍ତାଦେଇ ଆଗେଇ ଚାଲିଛି ଛାୟାମୂର୍ତ୍ତିଟି ଚାରିଆଡ଼େ ଖାଲି ଅଂଧାର । ମୁହଁକୁ ମୁହଁ ଦିଶୁନି । ବର୍ଷା ସେଇମିତି ରହି ରହି ପଡ଼ୁଛି ।

 

ସେ ହଠାତ୍ ଠିଆ ହୋଇଗଲା । ତାକୁ ଜଣାଗଲା ସତେ ଯେମିତି କେହି ତାର ଅନୁସରଣ କରୁଛି ।

 

ପଛକୁ ଚାହିଁଲା, ପାର୍ଶ୍ୱ ଦେଶକୁ ଚାହିଁଲା । ଖାଲି କିଟି କିଟି ଅଂଧାର । ଆଉ କିଛି ଦିଶୁନାହିଁ । ପୁଣି ଆଗେଇ ଚାଲିଲା ସେ ।

 

ଖଟ୍......କୌଣସି ଏକ ଠୋକର ଖାଇ ପଡ଼ିଗଲା ଭଳି ଶବ୍ଦ ହେଲା ।

 

ସେ ମୂର୍ତ୍ତିଟି ଚଞ୍ଚଳ ହୋଇ ଉଠିଲା ଏ ଶବ୍ଦରେ । ପୁଣି ଚାରି ଆଡ଼କୁ ବିସ୍ଫାରିତ ନେତ୍ରରେ ଚାହିଁଲା । କିଛି ନାହିଁ ।

 

ପ୍ରକୃତରେ ସେ ଭୟ ବିହ୍ୱଳିତ ଥିଲା । ବହୁ ଆଶଂକାରେ ପୂର୍ଣ୍ଣ ତା’ ଛାତିଟା ଉଠୁଥିଲା ପଡ଼ୁଥିଲା ।

 

ଏଥର ସେ ଆହୁରି ଦ୍ରୁତଗତିରେ ଆଗେଇ ଗଲା । ଖାଲ ଢିପ ଦେଇ ପାହାଡ଼ ତଳର ରାସ୍ତାରେ ସେ ଚାଲିଛି । ମନରେ ବହୁତ ପ୍ରଶ୍ନ । ସହସା ତାର ଗତି ବଂଦ୍ ହୋଇଗଲା ।

 

ପୁଣି ସେଇ ଶବ୍ଦ । କେହି ପିଛା ଧରିଛି ଯେମିତି । କୁଆଡ଼କୁ ନ ଚାହିଁ ଠିଆ ହୋଇ ରହିଲା ଦୃଢ଼ ଭାବେ । ଭୟରେ ତାର ଦେହ ସାମାନ୍ୟ ଶିହରିବାକୁ ଆରଂଭ କଲା ।

 

ଚମକି ଉଠିଲା ସେ । ତା’ ଠାରୁ ପ୍ରାୟ ଦଶ ବାର ଗଜ ଦୂରରେ ଏକ ଆକୃତି ଠିଆ ହୋଇଛି । ଅଂଧାର ଭିତରେ କୌଣସି ଏକ ପ୍ରେତ ଭଳି ପ୍ରତୀତ ହେଉଥିଲା ସେ ।

 

କିଏ ତୁମେ ? ଆଗରେ ଥିବା ଆକୃତି କଂପନ ଭରା ସ୍ୱରରେ ପ୍ରଶ୍ନ କଲା ।

 

ଏକ ବ୍ୟଂଗ ବିଦ୍ରୁପ ଭରା ଅଟ୍ଟହାସ୍ୟ ଏ ଛାୟାମୂର୍ତ୍ତି ନିକଟରେ ବାହାରି ଆସିଲା ।

 

ତାର ଏଭଳି ହସରେ ଶିହିରି ଉଠିଲା ସେ ଆକୃତିଟି ।

 

ମୁଁ ତୋର ବାପ । ଛାୟାମୂର୍ତ୍ତି ଚିତ୍କାର କରି ଉଠିଲା ।

 

ମୋର ବାପା ତ ମରିବାର ଆଜକୁ ଦଶବର୍ଷ ହେଲାଣି ।

 

ମୁଁ ତାର ଆତ୍ମା.....

 

ତେବେ ମୋ’ ପଛରେ କାହିଁକି ଲାଗିଛ ?

 

ତୁମକୁ ଶିକ୍ଷା ଦେବା ପାଇଁ ।

 

କେଉଁ ପ୍ରକାରର ଶିକ୍ଷା ।

 

ଯେଉଁ ବସ୍ତୁ ଅନ୍ୟର, ସେଥିରେ ହାତ ଦେବା ଉଚିତ ନୁହେଁ । ଏଇ ଶିକ୍ଷା ଦେବା ପାଇଁ ।

 

ମୁଁ ତୁମର କଥା ବୁଝି ପାରିଲିନି ।

 

ତୁମେ ଓକିଲ ସାହେବଂକର ଖୁନ୍ କରିଛ । ଆଉ ତାଂକର ଗୁପ୍ତ ଫାଇଲ ନେଇ ଚାଲି ଆସିଛ । ଏକ ଗଂଭୀର ସ୍ୱରରେ ଛାୟାମବର୍ତ୍ତିଟି କହିଲା ।

 

କ’ଣ ? ଚମକିଲା ଭଳି ପ୍ରଶ୍ନ କଲା ଆକୃତିଟି । ପୁଣି ଧୀରେ କହିଲା–ତୁମେ କେମିତି ଜାଣିଲ ?

 

କହିଛି ପରା ? ମୁଁ ତୁମ ବାପର ଆତ୍ମା . . ଆଉ ଭୂତ ପ୍ରେତଂକ ନିକଟରେ କୌଣସି କଥା ଅଛପା ରହେନା ।

 

ତୁମେ ତେବେ କ’ଣ ଚାହୁଛ ? ଟିକିଏ ଭୟଭୀତ କଂଠରେ ପଚାରିଲା ଆକୃତିଟି ।

 

ସେଇ ଫାଇଲ ।

 

ତୁମେ ଏହା ନେଇ କ’ଣ କରିବ ?

 

ତୁମେ ଯେଉଁ ମତଲବରେ ଏହାକୁ ଆଣିଛ ମୁଁ ବି ସେଇୟା କରିବି ।

 

ତେବେ, ତୁମେ କିଏ ସେ ?

 

କହି ସାରିଛି ।

 

ଏ ସବୁ ଗୋଟିଏ ଛଳନା ।

 

ଯଦି ଏହା ଭାବିଥାଅ ତେବେ ଭୁଲ କରୁଛ ବୋଲି ମୁଁ କହିବି ।

 

ଏହା ଶୁଣିବାକୁ ମୁଁ ପ୍ରସ୍ତୁତ ନୁହେଁ । ସତ କଥା କୁହ ।

 

ଯଦି ମୁଁ ନକହେ ? ନିର୍ଭୀକତାର ସହ ଛାୟାମୂର୍ତ୍ତିଟି କହିଲା ।

 

ତେବେ ତୁମକୁ ମରିବାକୁ ହେବ । ସେ କ୍ରୋଧଭରା ସ୍ୱରରେ କହିଲା ।

 

ଭେରିଗୁଡ଼ । ସେ ହସି ଉଠିଲା ।

 

ମୋ ପିଛା ଛାଡ଼ି ଦିଅ । ମୁଁ ବାରମ୍ବାର କହୁଛି ।

 

ଛାଡ଼ି ଦେବି । କିଂତୁ ସେ ଫାଇଲ ନେବା ପରେ ।

 

ଫାଇଲ ମିଳି ପାରିବନି । ବୋଧହୁଏ ତୁମର ମୃତ୍ୟୁ ନିକଟରେ ଯାଇଚି ।

 

ସେ କଥା ଜଣା ପଡ଼ିବ କାହାର ମୃତ୍ୟୁ ନିକଟେଇଛି ।

 

କ୍ରୋଧରେ ଜର୍ଜ୍ଜରିତ ହୋଇ ଉଠିଲା ସେ ଆକୃତିଟା । ଧାଇଁ ଆସିଲା ଛାୟାମୂର୍ତ୍ତି ଆଡ଼କୁ ଭୀଷଣ ବେଗରେ । ପିସ୍ତଲର ଗୁଳିଟାଏ ଫୁଟି ଉଠିଲା । କିଂତୁ ଛାୟାମୂର୍ତ୍ତି କୌଶଳରେ ଆଡ଼େଇ ହୋଇ ଯାଇଥିଲା ।

 

ପୁଣି ଏକ ଫାୟାରର ଶବ୍ଦ ହେଲା ।

 

ଗୋଟିଏ କରୁଣ ଚିତ୍କାର ଖାଲି ଶୁଭିଲା । ତା’ ପରେ ଚତୁର୍ଦ୍ଦିଗ ଶାନ୍ତ ହୋଇଗଲା । ପୁଣି ଦ୍ରୁତଗତିରେ ଧାଇଁ ଯିବାର ଶବ୍ଦ ହେଲା । ଆକୃତିଟା ଅଂଧକାରରେ ଲୋପ ହୋଇଗଲା ଯେମିତି ।

 

ରାତ୍ରିର ନିର୍ଜ୍ଜନତା ବଢ଼ି ଉଠୁଛି । ଆକାଶରେ ମେଘର ଲହଡ଼ି । ବର୍ଷା ମନ୍ଥର ଗତିରେ ଚାଲିଛି ।

 

ଏଗାର

 

ଅନୁପକୁମାର ସିଂଙ୍କ ଘର । ସି. ଆଇ. ଡ଼ି. ଚିଫ ।

 

ପାଖରେ ଇନସପେକ୍ଟର ଦାସ । କିଛି ସମୟ ପରେ ସେ କହିଲେ ଏ’ଟା ଗୋଟାଏ important report ସାର୍ ! ତେବେ କହନ୍ତୁ, ସୁମନ୍ତ ବାବୁ ଏମିତି ଚାଲିଗଲେ କାହିଁକି ?

 

ସେ ସର୍ଭିସରୁ Resign ଦେଇଛନ୍ତି ।

 

କାହିଁକି ?

 

କାରଣ ତ କିଛି କହି ନାହାନ୍ତି ।

 

ବଡ଼ ଆଶ୍ଚର୍ଯ୍ୟ ଧରଣର ଲୋକ ତ !

 

ହଁ ! ଆଚ୍ଛା, ତୁମେ ନିଜର ରିପୋର୍ଟ ଦିଅ । ଆଉ କିଛି ସମାଚାର.....

 

ସମାଚାର ଭଲ ନୁହେଁ ସାର !

 

ମାନେ ?

 

ଆଡ଼ଭୋକେଟ ସୂର୍ଯ୍ୟକାନ୍ତ ବାବୁଂକୁ ଖୁନ କରାଯାଇଛି ।

 

ଅନୁପ ସିଂ ବିଚଳିତ ହୋଇ ଉଠିଲେ । ବିସ୍ପାରିତ ଚକ୍ଷୁରେ ଚାହିଁଲେ ଇନସପେକ୍ଟର ମହେନ୍ଦ୍ର ଦାସଂକ ଆଡ଼କୁ ।

 

କେବେ ?

 

ଗତ ରାତ୍ରିରେ ।

 

ତୁମେ ଘଟଣା ସ୍ଥଳକୁ ଯାଇଥିଲ ?

 

ହଁ ସାର ! ଯାଇଥିଲ ।

 

ତେବେ କ’ଣ ଦେଖିଲ ? ଆଶ୍ଚର୍ଯ୍ୟ ଚକିତ ସ୍ୱରରେ ପଚାରିଲେ ।

 

ତାଂକର ଚାକର ଯୋଗୀ ଯେଉଁ ସମୟରେ ମୋ ପାଖକୁ ଫୋନ୍ କଲା ମୁଁ ସଂଗେ ସଂଗେ ଯାଇ ପହଂଚିଲି । ଦେଖିଲି, ଓକିଲ ବାବୁଂକର ରକ୍ତାକ୍ତ ଶରୀରଟା ଚଟାଣରେ ଗଡ଼ୁଛି । ମୁଁ ବହୁ ଦେଖିବା ପରେ ଜାଣିଲି, ଓକିଲ ବାବୁ ଏବଂ ଶତ୍ରୁ ମଧ୍ୟରେ ବହୁ ସମୟ ଯାଏଁ ଧସ୍ତାଧସ୍ତି ଚାଲିଥିଲା ନିଶ୍ଚୟ । ପୁଣି ତାଂକର ଟ୍ରେଜେରୀ ଖୋଲା ହୋଇ ରହିଛି । ଟଂକା ଗହଣା ଯଥା ସ୍ଥାନରେ ପୂର୍ବଭଳି ରହିଛି । ଶତ୍ରୁ ଟଂକା ଗହଣାକୁ ମୋଟେ ଛୁଇନି ।

 

ଅନ୍ୟ କିଛି ସୂତ୍ର ପାଇଲେ ?

 

ଗୋଟାଏ ମାତ୍ର ।

 

କ’ଣ ?

 

ସେ ପାଖରେ ଏକ ଫ୍ଲେଟ୍ ହ୍ୟାଟ ମିଳିଛି । ପାଦର ଚିହ୍ନବି ଜଣାଯାଉଛି । ତାହା ଘରର ପଛରେ ଥିବା ପାଇପ ଯାଏଁ ଯାଇ ଶେଷ ହୋଇଯାଇଛି ।

 

ଏହାର ମାନେ ଶତ୍ରୁ ପାଇପ ଦ୍ୱାରା ଚଢ଼ି ଭିତରକୁ ପ୍ରବେଶ କରିଛି ?

 

ପାଦ ଚିହ୍ନ ସବୁକୁ ସେଇୟା ଜଣା ଯାଉଛି ସାର୍ !

 

ଆଉ କିଛି ? ଅନୁପ ସିଂ ଗଂଭୀର ସ୍ୱରରେ କହିଲେ ।

 

ଲାସ୍ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି । ରିପୋର୍ଟ ପାଇଲେ ପୁଣି ଆପଣଂକୁ ଜଣାଇଁବି । ଏତିକି କହି ଇନ୍‍ସପେକ୍ଟର ଦାସ ଯିବାକୁ ଠିଆହେଲେ ।

 

ସାର୍ ! ମୁଁ ଏଥର ଯାଏ । ଖାଲି ଖବର ଦେବାକୁ ଆସିଥିଲି । କହି ଦ୍ରୁତ ପଦରେ ରୁମରୁ ବାହାରି ଆସିଲେ ।

 

ବାଆର

 

ପୋଲିସ ଥାନା ।

 

ଇନସପେକ୍ଟର ମହେନ୍ଦ୍ର ଦାସ ଅଫିସକୁ ଆସିଲେ । ବାରନ୍ଦାରେ ପଡ଼ିଛି ଗୋଟିଏ ଲାସ-। ଉପରେ ଘୋଡ଼ାଇ ଦିଆ ଯାଇଛି ଏକ ଚଦର ।

 

ପୁଣି ହଇରାଣ ହେବା କଥା । ଲାସ୍ ଆଡ଼କୁ ଇନସପେକ୍ଟର ଦାସ ଚାହିଁଲେ । ଅସ୍ପଷ୍ଟ ଚେହେରା । ହୃଷ୍ଟପୃଷ୍ଟ ଶରୀର । କିଂତୁ ବହୁତ ସମୟ ହେଲା ମୃତ୍ୟୁ ହେବାରୁ ବଡ଼ କଦର୍ଯ୍ୟ ହୋଇ ଯାଇଛି ।

 

କ’ଣରେ ଏ ? ପାଖରେ ଠିଆ ଥିବା ଏକ କନଷ୍ଟେବଲ୍‍କୁ ଚାହିଁ ମହେନ୍ଦ୍ର ବାବୁ ପଚାରିଲେ ।

 

କନଷ୍ଟେବଲ୍ ଅନ୍ୟ ଆଡ଼କୁ ଚାହିଁ ହସି ଉଠିଲା ।

 

ଆବେ ହସୁଚୁ କ’ଣ ? ପାଟିକରି ଉଠିଲେ ସେ ।

 

ନିଜେ ଦେଖନ୍ତୁ ଆଜ୍ଞା !

 

କ’ଣ ତୋ’ ପାଟିରେ କଥା ନାହିଁ କିବେ ? ବିରକ୍ତ ହୋଇ ଉଠିଲେ ମହେନ୍ଦ୍ର ବାବୁ ।

 

ଆଜ୍ଞା, ଲାସ ।

 

ସେଇୟା ତ ମୁଁ ଦେଖୁଛି । ସେଇଭଳି ବିରକ୍ତ କଂଠରେ କହିଲେ । କିଂତୁ ଏ କାହାର ?

 

ଆଜ୍ଞା ଏକଥା ଜଣା ଯାଇନି ।

 

କେଉଁଠୁ ଆସିଲା ଏ ?

 

ମାଣିକ ଝୋଲା ଆଡ଼କୁ ପାହାଡ଼ବାଟେ ଯାଇଥିବା ରାସ୍ତା ପାଖେ ଗୋଟାଏ ଛୋଟ ପୁଷ୍କରିଣୀ ଅଛି ଆଜ୍ଞା । ସେଇଠି ଏ ଲାସଟା ଭାସୁଥିଲା । କନଷ୍ଟେବଲ୍ କହିଲା ।

 

ସେଇଠି ? ଆଶ୍ଚର୍ଯ୍ୟ ହୋଇ ପଚାରିଲେ ମହେନ୍ଦ୍ର ବାବୁ ।

 

ହଁ ଆଜ୍ଞା ।

 

ପ୍ରଥମେ କି.ଏ ଦେଖିଲା ?

 

ଏଇ ମହାଶୟ ଆଜ୍ଞା ! କନଷ୍ଟେବଲ ପାଖରେ ଠିଆ ହୋଇଥିବା ଜଣେ ବ୍ୟକ୍ତିଂକୁ ଦେଖାଇ କହିଲା । ଇନସପେକ୍ଟର ମହେନ୍ଦ୍ର ବାବୁ ସେ ବ୍ୟକ୍ତିଂକୁ ନଚାହିଁ ପଚାରିଲେ–

 

ଆପଣ ହିଁ ପ୍ରଥମେ ଲାସ ଦେଖିଲେ ? ଏଥର ସେ ବ୍ୟକ୍ତି ଆଡ଼କୁ ଘୁରି ପଚାରିଲେ ।

 

ହଁ ଆଜ୍ଞା !

 

କେତେବେଳେ ଏ ଲାସକୁ ଦେଖିଥିଲେ ?

 

ସକାଳ ଛଅଟା ବେଳେ ।

 

ସେତେବେଳେ ଆପଣ କୁଆଡ଼େ ଯାଉଥିଲେ ?

 

ଆଜ୍ଞା ଗାଧୋଇବାକୁ ଯାଉଥିଲି ।

 

ଇନସପେକ୍ଟର ମହେନ୍ଦ୍ର ବାବୁ ସେ ବ୍ୟକ୍ତିକୁ ଭଲଭାବେ ନିରୀକ୍ଷଣ କଲେ । ଆପଣଂକ କଥା ଠିକ୍ ଭାବେ ପ୍ରମାଣିତ ହୋଇ ପାରୁନି......

 

କାରଣ ? କ’ଣ ଆପଣ....

 

ମୁଁ ଯାହା ପଚାରୁଛି କହି ଯାଆନ୍ତୁ ଠିକ୍ ଠିକ୍ ।

 

ପଚାରନ୍ତୁ ଆଜ୍ଞା ! ଏଥର ସେ ବୁଝିଗଲା ଇନସପେକ୍ଟର ତା’ ପ୍ରତି ସଂଦେହ କରୁଛନ୍ତି ।

 

ଆପଣ କ’ଣ ସବୁଦିନ ସେଠାକୁ ଗାଧୋଇବାକୁ ଯାଆନ୍ତି ?

 

ନାହିଁ ଆଜ୍ଞା ! ସେ ଦିନ କ’ଣ ମନ ହେବାରୁ ଚାଲିଗଲି ।

 

ଦେଖନ୍ତୁ ମିଷ୍ଟର ! ମୁଁ ସଂଦେହ କରିବାକୁ ବାଧ୍ୟ ହେଉଛି । କାରଣ ପ୍ରଥମେ ଆପଣ ସେଠାକୁ ସବୁଦିନ ଗାଧେଇ ଯାଆନ୍ତିନି ।

 

କିଂତୁ ଆଜି ଯାଇ ଏକ ଲାସ ଦେଖିବାକୁ ପାଇଲି । ଦ୍ୱୀତିୟତ ଏଇ ଶୀତ ଦିନେ ଲୋକେ ଗରମ ପାଣିରେ ଗାଧୋଇବା କଥା କିଂତୁ ଆପଣ ସେ ବରଫ ଭଳି ପାଣିରେ ଗାଧୋଇବା ପାଇଁ ଏତେ ସକାଳୁ ଆସିବା କଥା ମୋ ମନରେ ସନ୍ଦେହ ସୃଷ୍ଟି କରୁଛି ।

 

ଆପଣ ମୋ ଉପରେ ସଂନ୍ଦେହ କରିବା ବୃଥା ଆଜ୍ଞା । ମୁଁ ଦୁର୍ଭାଗ୍ୟବଶତଃ ଆଜି ଯାଇ ଏ ଲାସ ଭାସୁଥିବାର ଦେଖିଲି । ଏଥିରେ ମୁଁ କ’ଣ କରିବି କହନ୍ତୁ ।

 

ଆଚ୍ଛା, ମୁଁ ଏତିକି କହିପାରେ–ଯେଉଁ ପର୍ଯ୍ୟନ୍ତ ଏ କଥାର ପୂରା ଖବର ନମିଳିଛି ଆପଣ ସେତେବେଳଯାଏଁ ପୋଲିସର ନଜରରେ ରହିବେ ।

 

ଆଜ୍ଞା ! ଚମକି ଉଠିଲା ବ୍ୟକ୍ତିଟି ।

 

ହଁ ସେଇୟା କହି ମହେନ୍ଦ୍ର ବାବୁ ଲାସ ନିକଟକୁ ଗଲେ ।

 

ସେ ବ୍ୟକ୍ତିଟି ଚାହିଁବାରେ ଲାଗିଲା ଇନସପେକ୍ଟରଂକ ଆଡ଼କୁ । ନିଜ ମନକୁ ଧିକ୍‍କାର କରିବାରେ ଲାଗିଲା । ତୁଚ୍ଛାରେ ନିଜ ଉପରକୁ ହଇରାଣ ଡାକିଆଣି କଥା ଇଏ....

 

ମହେନ୍ଦ୍ର ବାବୁ ବସିଗଲେ ଲାସ୍ ନିକଟରେ । ଚଦରଟାକୁ ଉଠାଇ ଦିଆଗଲା । ଭୀଷଣ ଦୁର୍ଗନ୍ଧ ହେଉଛି । ନାକ ବଂଦ କରିବାକୁ ବାଧ୍ୟ ହେଲେ ସେ । ମନ ଧ୍ୟାନ ଦେଇଁ ଚାହିଁଲେ ଲାସକୁ ବିକୃତ ଦିଶୁଛି । ସ୍ଥାନେ ସ୍ଥାନେ ଚୋଟ ଲାଗିଥିବାର ଚିହ୍ନ । କାନ ଛିଣ୍ଡି ଯାଇଛି । ଆଖି ଦୁଇଟା ବାହାରି ଆସିଛି ।

 

ଦେହଟା ଫୁଲି ଉଠିଛି ଜୋରରେ । ଚିହ୍ନିବାରେ କଷ୍ଟ ହେଉଥିଲା ସେ ଲାସ୍‍କୁ ।

 

ସଂଗେ ସଂଗେ ଯାଇ ଫୋନ୍ କଲେ ଅନୁପସିଂଙ୍କ ନିକଟକୁ । ପ୍ରାୟ ଦଶ ମିନଟ୍ ପରେ-। ସି. ଆଇ. ଡ଼ି. ଚିପ ଅନୁପସିଂ ଆସି ପହଂଚିଲେ । ଭଲଭାବେ ନିରୀକ୍ଷଣ କଲେ ଲାସକୁ-। କିଂତୁ ଜାଣି ପାରିଲେନି ଏ କାହାର ଲାସ ।

 

ହଠାତ୍ ସେ ବିସ୍ମୟରେ ଚାହିଁ ରହିଲେ । ଲାସର ଡାହାଣ ହାତ ଅଂଗୁଳିରେ ଏକ ସ୍ୱର୍ଣ୍ଣ ମୁଦ୍ରିକା ଲାଗିଛି । ଭଲଭାବେ ଦେଖିଲେ । ଲେଖା ହୋଇଛି ଇଂରେଜୀରେ ‘ଅଜୟ’ । ସେ ସମସ୍ତଂକ ଦୃଷ୍ଟି ଏଡ଼ାଇ ତାକୁ ଅଗୁଂଳିରୁ ବାହାର କରି ପକେଟରେ ରଖିଲେ ।

 

ଲାସକୁ ଦେଖିବାକୁ ଜମା ହୋଇଛନ୍ତି ଗୁଡ଼ାଏ ଲୋକ । କ୍ରମେ ଗହଳ ହୋଇ ଉଠୁଛି ଥାନା ଭିତରଟା । ପୋଲିସ ଜନତାକୁ କଣ୍ଟୋଲ୍ କରିବାରେ ଲାଗିଛନ୍ତି ।

 

ତେ’ର

 

ନିସ୍ତବ୍ଧ ରାତ୍ରି । ଆକାଶରେ କଳା କଳା ବାଦଲ ଭାସୁଛି ।

 

ବୃଦ୍ଧ ଅଣ୍ଟା ସଳଖି ଠିଆ ହେଲା ।

 

କମ୍ବଳଟାକୁ ଶରୀର ସାରା ଅବୃତ କରିଦେଲା । କୁଡ଼ିଆର ଗୋଟାଏ କୋଣରୁ ଠେଙ୍ଗାକୁ ଆଣି ଧରିଲା । ତା’ପରେ ସେ ବାହାରିଲା ବାହାରକୁ ।

 

ଶିଶିର ବିଂଦୁ ଖସୁଛି ଆକାଶରୁ । ଚତୁର୍ଦ୍ଦିଗ ନିର୍ଜନ । ଜୋଛନା ହୀନ ଆକାଶ ।

 

ବେଳେ ବେଳେ ଚିକ୍ ଚିକ୍, କରୁଛି ବିଜୁଳି.....

 

ସେଇ ଆଲୋକରେ ମୁକ୍ତି ଘାଟର ଶୁଭ୍ର ଖବର ଗୁଡ଼ାକ ଦିଶୁଛି । ପବନ ବହି ଆସୁଛି ପାହାଡ଼ ଆଡ଼ୁ ।

 

ବୃଦ୍ଧ ଦେହରେ ଶୀତ ପଶୁଛି । ସହି ପାରୁନି । ଥରି ଉଠୁଛି ସେ । ଦାନ୍ତକୁ ଦାନ୍ତ ଲାଗି ଯାଉଛି । ଆହୁରି ଭଲଭାବେ କମ୍ବଳଟାକୁ ଦେହରେ ଜଡ଼ାଇ ରଖି ବଢ଼ି ଚାଲିଲା ବୃଦ୍ଧ ।

 

କବର ଗୁଡ଼ାକର ମଧ୍ୟ ଦେଇ ଆଗେଇ ଚାଲିଥିଲା ସେ ।

 

ହଠାତ୍ ଶ୍ମଶାନର ମଧ୍ୟ ଭାଗରେ ଅଟକି ଗଲା ସେ । ସେଠାରେ ଏକ ପକ୍‍କା ନିର୍ମିତ କବର । ସେ କିଛି ସମୟ କବର ଆଡ଼କୁ ଚାହିଁ ରହିଲା ।

 

ତତ୍ପରେ ସେ ଏକ ବିକଟ ଚିତ୍କାର କରି ଉଠିଲା । କେହି ଯଦି ତାହା ଶୁଣିବ ସେ କଂପି ଉଠିବ ନିଶ୍ଚୟ । ପାଟିକରି ସାରି ଚତୁର୍ଦ୍ଦିଗକୁ ନିରୀକ୍ଷଣ କଲା । ସବୁଆଡ଼ ଶୁନ୍ ଶାନ୍ । ଅଂଧକାର ବ୍ୟାପୀ ରହିଛି ।

 

ସାହସ ପୁଣି ତା’ ମୁଖରୁ ଏକ ଚିତ୍କାର ଶୁଭିଲା । ତାହା ପ୍ରତିଧ୍ୱନୀତ ହେଲା । ପାହଡ଼ର ପ୍ରତି ଅଂଶକୁ । ସେ ତିନିଥର ଏହିଭଳି ଚିତ୍କାର କଲା । ବୋଧହୁଏ ତାହା ଅନ୍ୟ ପାଇଁ କୌଣସି ସଂକେତ ଥିଲା ।

 

ପୁଣି ଏକ ବିସ୍ମୟକର ଘଟଣା ଦେଖା ଦେଲା ।

 

ବୃଦ୍ଧ ଯେଉଁ କବର ସମୀପରେ ଠିଆ ହୋଇଥିଲା ତାହାର ଉପର ଭାଗ କୌଣସି ସିନ୍ଦୂକର ଘୋଡ଼ଣୀ ଭଳି ଧୀରେ ଧୀରେ ଉପରକୁ ଉଠିଲା । କ୍ରମେ ତାହା ପୂରାଭାବେ ଖୋଲିଗଲା-

 

ଭିତରେ ସିଡ଼ି ପଡ଼ିଛି । ଆସ୍ତେ ଆସ୍ତେ ଅସ୍ପଷ୍ଟ ଆଲୁଅ ବାହାରି ଆସୁଥିଲା ସେ ଭିତରେ-

 

ବୃଦ୍ଧ ପୁଣି ଏକ ଅନୁସଂଧାନୀ ଦୃଷ୍ଟିରେ ଚତୁର୍ଦ୍ଦିଗ ଚାହିଁଲା । ତା’ପରେ ଠେଙ୍ଗା ଟେକି ସେ ଭିତରକୁ ପଶିଲା । ସିଡ଼ିରେ ଗୋଡ଼ ଦେଇ କ୍ରମେ ତଳକୁ ତଳକୁ ଓହ୍ଲାଇ ଚାଲିଲା । ପଞ୍ଚମ ପାହାଚରେ ଗୋଡ଼ ଦେବା କ୍ଷଣି ଉପରର ଘୋଡ଼ଣୀଟା ପୂର୍ବଭଳି ଉପରେ ଢାଙ୍କି ହୋଇଗଲା ।

 

ବୃଦ୍ଧ ଆସି ଖୁବ ଚଂଚଳ ତଳେ ପହଂଚିଲା ।

 

ବେକ ସଳଖି ଠିଆ ହେଲା କିଛି ସମୟ । ଠେଙ୍ଗାଟାକୁ ଗୋଟାଏ ପାଖକୁ ଫିଙ୍ଗି ଦେଲା-। ରହି ଦୀର୍ଘ ନିଶ୍ୱାସ ତା ନାକରୁ ବାହାରୁଛି । କାରଣ ଏତକ ପାହଚ ଅତିକ୍ରମ କରି ତଳେ ପହଂଚିବାରୁ ସେ ସାମାନ୍ୟ କ୍ଳାନ୍ତ ଅବସନ୍ନ ହୋଇ ପଡ଼ିଥିଲା ।

 

ତା’ ଦେହରୁ ଏକ ପତଳା ଆବରଣ ବାହାରି କରିଦେଲା ।

 

ନିକଟରେ ଗୋଟିଏ କୋଣରେ ଜଳୁଛି ନିଆଁ । ତାହାରି ଦ୍ୱାରା ଘରସାରା ଗରମ ବୋଧ ହେଉଛି । ସେଇ ଆଲୁଅରେ ତାର ଚେହେରା ଝଟକି ଉଠିଲା । କମ୍ବଳଟାକୁ ଏକ କାନ୍ଥ ଦେହରେ ଓହଳାଇ ରଖିଲା ।

 

ବର୍ତ୍ତମାନ ସେ ଏକ ନବଯୁବା । ସୁନ୍ଦର ସ୍ୱାସ୍ଥ୍ୟ । ଗୌର ନିଟୋଳତନୁ ।

 

ତା’ର ଓଠ ଦିଇଟା, ଏ ପ୍ରକାରର ରହସ୍ୟମୟ ପରିଧାନ ଆଉ ବେଶଭୂଷାରେ ମନ୍ଦ ମନ୍ଦ ହସି ଉଠିଲା ।

 

ସେ ଭିତରେ ଅନେକ ଗୁଡ଼ାଏ କୋଠରୀ । ପ୍ରଶସ୍ତ ବାରନ୍ଦା ।

 

ପରିବର୍ତ୍ତିତ ଯୁବକ ଏଣେତେଣେ ଚାହିଁ ବାରନ୍ଦାରେ ଆଗକୁ ବଢ଼ି ଚାଲିଲା ।

 

ଗୁଡ଼ାଏ କୋଠରୀ ପାର ହୋଇ ଶେଷରେ ପହଂଚିଲା ଏକ ସୁନ୍ଦର ସୁସଜ୍ଜିତ ରୁମ ନିକଟରେ । ଦ୍ୱାର ଦେଶରେ ଝୁଲୁଛି ଚଂପକ ବର୍ଣ୍ଣର ଫୁଲଫୁଟା ପରଦା ।

 

ପରଦା ଆଡ଼େଇ ପ୍ରବେଶ କଲା ଯୁବକ ।

 

ରୁମ ଭିତରେ ମଲ୍ଲୀଫୁଲର ବାସ୍ନାରେ ଭରି ଉଠିଚି ।

 

ଗୋଟାଏ ଦାମିକା ପଲଂକ ପଡ଼ିଛି । ତା’ ଉପରେ ଅର୍ଦ୍ଧନଗ୍ନ ଅବସ୍ଥାରେ ଶୋଇ ରହିଛି ଜଣେ ସୁଷମାମୟୀ ତନ୍ୱୀ... ଉପରକୁ ଚାହିଁଛି ଭାବନା ବିଭୋର ହୋଇ । କାକକୃଷ୍ଣ କବରୀରେ ଲାଗିଛି ମଲ୍ଲୀଫୁଲ ପେନ୍ଥାଏ । ହସ୍ତ କର୍ଣ୍ଣିକାରେ ଦିପଟ ଲେଖାଏଁ ଚୁଢ଼ୀ......ଲହୁଣୀଭଳି ସୁକୋମଳ, ସୁଉଚ୍ଚ ବକ୍ଷରେ ଶାଢ଼ୀ ନାହିଁ ।

 

ନବ ଯୁବକର ଆଗମନ ଦେଖି ସେ ଝଟ ପଟ ହୋଇ ଉଠି ବସିଲା । ଚିକ୍‍କଣ ଚିବୁକରେ ଏକ ମଧୁର ହସର ଲହରୀ ଖେଳି ଉଠିଲା । କେତକୀ ପାଖୁଡ଼ା ନିନ୍ଦିତ ତନୁଶ୍ରୀକୁ ଚଂଚଳ ଢାଙ୍କିନେଲା ସେ ।

 

ମୂର୍ଚ୍ଛନା ! ଯୁବକ ତା’ର ଅତି ପାଖକୁ ଆସି କହିଲା ।

 

କୁହ । ଆଜି କଣ ବଡ଼ ଖୁସିଥିଲା ଭଳି ଦିଶୁଛତ ? ମୂର୍ଚ୍ଛନା, ଯୁବକର ମୁଖଶ୍ରୀକୁ ଚାହିଁ ଝର ଝର ହସରେ କହି ଉଠିଲା....

 

ହଁ ମୂର୍ଚ୍ଚନା ! ଆଜି ମୁଁ ବହୁତ ଖୁସି ।

 

ଆରେ କୁହନା । ମୁଁ ବି ଟିକିଏ ଶୁଣେ ।

 

ଶୁଣିଲେ, ତୁମେ ବି ଆନନ୍ଦରେ ଉଛୁଳି ଉଠିବ ।

 

ଉଛୁଳି ଉଠିବା ଭଳି ସେମିତି କ’ଣ କଥା ମ ? କୁହ ।

 

ଆଗ ଖାଇବା ପାଇଁ ନେଇ ଆସ । ବଡ଼ ଭୋକ ଲାଗୁଛି । ଯୁବକ ପେଟ ଉପରେ ହାତ ବୁଲାଇ ଆଣି କହିଲା ।

 

ନା, ନା । ଆଗ ସେଇ କଥାଟା କହିଦିଅ । ମୂର୍ଚ୍ଛନାର ଉତ୍କଣ୍ଠା ବଢ଼ି ଉଠୁଛି ।

 

କହିବା ପାଇଁ ତ ଆସିଛି ମୂର୍ଚ୍ଛନା ! ତୁମକୁ ନକହି ମୁଁ କ’ଣ ଏକୁଟିଆ ଖୁସି ହୋଇ ପାରିବି ? ଯୁବକର ପ୍ରେମଭରା ଚକ୍ଷୁ ମୂର୍ଚ୍ଛନାର ଫୁଲିଲା ଫୁଲିଲା ଗୋରା ତକ୍ ତକ୍ ମୁହଁକୁ ଚାହିଁଲା, ଆରେ ଆଗ ଖାଇସାରେ । ପରେ କହିଲେ ହବନି ?

 

ନାଇଁ, ନାଇଁ । କହିସାରେ । ତା’ପରେ ଯାଇ ଆଉସବୁ ।

 

ଟିକିଏ ମୋ ପାଖକୁ ଆସିଲ । କହି ଯୁବକ ମୂର୍ଚ୍ଛନାର ହାତକୁ ଟାଣିଲା । ମୂର୍ଚ୍ଛନାର ତନୁଲତା ଢଳି ପଡ଼ିଲା ଯୁବକର ଦେହ ବୃକ୍ଷ ଉପରେ । ଗୋଲାପ ପାଖୁଡ଼ା ଭଳି ଗୋଲ ଗୋଲ ଗାଲ ଦୁଇଟାରେ ଆଂକି ଦେଇଗଲା ଚୁମ୍ବନ...ସଂଖ୍ୟାହୀନ ଉଷ୍ମୁ ଚୁମ୍ବନ ।

 

ଥାଉ, ଥାଉ । ତୁମେ ଏଡ଼ିକି...କହି ଛାଟିପିଟି ହେଲା ମୂର୍ଚ୍ଛନା ।

 

ଯୁବକ ତୃଷାର୍ତ୍ତ । ମୂର୍ଚ୍ଛନାର କାଂଚନପୁଷ୍ପ ଅଧରରୁ ପିଇଗଲା ଥପି ପଡ଼ୁଥିବା ବିଂଦୁ ବିଂଦୁ ଅମୃତକୁ ।

 

ନାଇଁ ନାଇଁ । ଆଗ କୁହ । ମୂର୍ଚ୍ଛନା ବ୍ୟସ୍ତ ହୋଇ ହାତ ଛଡ଼ାଇବାରେ ଲାଗିଛି । ଶୁଣିବା ପାଇଁ ମନ ତାର ବ୍ୟାକୁଳ ।

 

ତୁମେ ବଡ଼ ଏକଜିଦିଆ ମୂର୍ଚ୍ଛନା !

 

ଆଉ ତମେ ବଡ଼ ଦୁଷ୍ଟ । ବଡ଼ ଅମଣିଷ । କୃତ୍ରିମ ମିଶା କ୍ରୋଧର ସ୍ୱର ମୂର୍ଚ୍ଛନା କଂଠରୁ ବାହାରିଲା ।

 

ବଡ଼ ଦୁଷ୍ଟ ? ଅମଣିଷ ? ବିସ୍ମୟଭରା ଚାହାଣୀରେ ଯୁବକ ଚାହିଁଲା ମୂର୍ଚ୍ଛନାର ମୁହଁକୁ ।

 

ନୁହେଁ ତ ଆଉ କ’ଣ ? ମୂର୍ଚ୍ଛନା ମୁହଁ ପୋଛୁଚି ଶାଢ଼ୀର ଅଂଚଳରେ ।

 

ଆଛା, ମୁଁ କ’ଣ ଅମଣିଷ ଭଳି କାମ କଲି କହିଲ ?

 

ଏଇ....ଏଣେ ଚାହିଁଲ । କହୁ କହୁ ମୂର୍ଚ୍ଛନା ଲାଜେଇ ଗଲା । ଗୋଲାପୀ ଗାଲରେ ତାର ଚିହ୍ନ....

 

ଯୁବକ ହସି ଉଠିଲା ଆନନ୍ଦ ବିଭୋର ହୋଇ ।

 

ଆଚ୍ଛା, ଏଥର ହେଲେ କୁହ ? ତଳକୁ ଚାହିଁ ମୂର୍ଚ୍ଛନା କହିଲା ।

 

ହଉ ତେବେ, ଶୁଣ ।

 

ହଁ ଶୀଘ୍ର କୁହ ।

 

ମୋ’ ରାସ୍ତାରୁ କଣ୍ଟା ଅପସରିଗଲା ।

 

କେଉଁ କଣ୍ଟା ମ ?

 

ଯିଏ ଆଜିଯାଏ ଆମକୁ ଖାଲି ଧମକ ଦେଇ ଆସୁଥିଲ । ଯେ

 

ଆମର ଶତ୍ରୁ ।

 

କିଏ ସେ ? ମୁଁ ବୁଝିପାରିଲିନି । ମୂର୍ଚ୍ଛନା ଏଥର ଗଂଭୀର ହୋଇଗଲା ।

 

ଅଜୟ ।

 

କ’ଣ ? ଚମକିଲା ଭଳି ପଚାରିଲା ମୂର୍ଚ୍ଛନା । କ’ଣ ହେଲା ତା’ର ?

 

ମୃତ୍ୟୁ ହୋଇଛି । ଯୁବକ କହିଲା ।

 

ମୂର୍ଚ୍ଛନା ଶରୀରର ତଂତ୍ରୀସବୁ ଚଂଚଳ ହୋଇ ଉଠିଲେ ଯେମିତି । ଉଠି ଠିଆ ହୋଇଗଲା ସେ । ପଚାରିଲା–କ’ଣ କହୁଛ ତୁମେ ?

 

ମୁଁ ସତକଥା କହୁଛି ।

 

ମୃତ୍ୟୁ ହେଲା କେମିତି ?

 

ତାକୁ ମାରି ଦିଆଯାଇଛି । ମାନେ ପିସ୍ତଲର ଗୁଳିରେ ତାକୁ ଶେଷ କରି ଦିଆଯାଇଛି ।

 

କିଏ ?

 

ଏକଥା ତ ଜଣାପଡ଼ି ନାହିଁ ।

 

ତୁମେ ଜାଣିଲ କେମିତି ?

 

କାଲି ସକାଳେ ମୁଁ ବୁଲିବାକୁ ଗଲାବେଳେ ସେଇ ପାହାଡ଼ ପାଖର ପୋଖରୀରେ ତାର ଲାସ ଭାସୁଥିଲା ଦେଖିଲି । ମୁଁ ପୋଲିସ ଷ୍ଟେସନକୁ ଯାଇ ଏକଥା ଜଣାଇଦେଲି ।

 

ତୁମେ, ଆଉ ପୋଲିସ ଷ୍ଟେସନ ? ମୂର୍ଚ୍ଛନା ଚମକି ଉଠିଲା ।

 

କାହିଁକି ? କ’ଣ ସେଠାକୁ ଯିବା ଉଚିତ ନୁହେଁ ?

 

ନା । ତମେ ସେଠାକୁ ଯିବା ଉଚିତ ନୁହେଁ ।

 

କାରଣ ? ମୂର୍ଚ୍ଛନାର ଝର ଝର ହସ ମୁହଁକୁ ଚାହିଁ ରହିଲା ।

 

କାଳେ କିଏ ଯଦି ତୁମ ଉପରେ ସଂଦେହ କଲା ?

 

ମୂର୍ଚ୍ଛନା ! ମୁଁ ଏଡ଼େ ମୂର୍ଖ ନୁହେଁ, ଯଦ୍ଦ୍ୱାରା ପୋଲିସ ମୋତେ ସଂଦେହ କରିବ ।

 

ତଥାପି ସେମାନଙ୍କ ଠାରୁ ଆମକୁ ଦୂରେଇ ରହିବାକୁ ପଡ଼ିବ ।

 

ଛାଡ଼ ସେକଥା । ଶୁଭ ସମାଚାର ପାଇଁ କ’ଣ ପୁରସ୍କାର ଦେବ କହିଲ ?

 

ପୁରସ୍କାର ! କେଉଁ ପୁରସ୍କାର ?

 

ହେଇ, ଆହୁରି ଶୁଣ । ଯୁବକ କହିଲା, ଏତେ ବଡ଼ କଥା କହିଲି ଅଥଚ ଏହାର ମୂଲ୍ୟ କିଛି ନାହିଁ ?

 

ମୂର୍ଚ୍ଛନା ସେଇଭଳି ଗଂଭୀର ଚାହାଣୀରେ ଚାହିଁ ରହିଲା ।

 

ଆଉ ଗୋଟିଏ କଥା ଶୁଣିଲ । ମୂର୍ଚ୍ଛନା ତାର ଚିକିଏ ପାଖକୁ ଲାଗି ଆସି କହିଲା ।

 

କ’ଣ ?

 

ତାକୁ ଯେ ମାରିଛି ସେ ନିଶ୍ଚୟ ସୌମିତ୍ରର ଧନ ସଂପତ୍ତି ଉପରେ ଆଖି ପକେଇଛି ।

 

ଏକଥା ତୁମେ ଜାଣିଲ କେମିତି ?

 

ଟିକିଏ ବିଚାର କଲେ ତମେ ବି ଜାଣି ପାରିବ । ମୂର୍ଚ୍ଛନା ଚିନ୍ତିତ ସ୍ୱରରେ କହିଲା । ଆଚ୍ଛା ଯେ ତାକୁ ହତ୍ୟା କଲା କେଉଁ ସ୍ୱାର୍ଥ ନେଇ ? ନିଶ୍ଚୟ ତାକୁ ନିଜ ରାସ୍ତାରୁ ବାହାର କରିବା ପାଇଁ । ଯଦ୍ଦ୍ୱାରା ସେ ଅକ୍ଳେଶରେ ତାର କାର୍ଯ୍ୟ ପୂରଣ କରି ପାରିବ ।

 

ହଁ । ଯୁବକ ମଧ୍ୟ ଟିକିଏ ଗଂଭୀର ହୋଇ କହିଲା ।

 

ଗୋଟାଏ ବିପଦର ଅବସାନ ହେଉ ହେଉ ପୁଣି ଅନ୍ୟଏକ ବିପଦର ସୃଷ୍ଟି ହେଲାଣି ।

 

ହଁ । ବର୍ତ୍ତମାନ ସେଇୟା ବଡ଼ କଥା ।

 

ହୋଇପାରେ ସେ ଆମ ଉପରେ ମଧ୍ୟ ଦୃଷ୍ଟି ରଖିଛି ।

 

ହଁ । ଏଥିରେ ବି ସନ୍ଦେହ ନାହିଁ ।

 

ମୂର୍ଚ୍ଛନା କହିଲା ଏଥର ଆମକୁ ବହୁ ସାବଧାନରେ କାର୍ଯ୍ୟ କରିବାକୁ ପଡ଼ିବ । ଆଉ ଯେତେ ଶୀଘ୍ର ହୁଏ-କାର୍ଯ୍ୟ ଶେଷ କରିବାକୁ ପଡ଼ିବ । ଆଉ ଯେତେ ଶୀଘ୍ର ହୁଏ-କାର୍ଯ୍ୟ ଶେଷ କରିବା ଦରକାର । ଏମିତି ନ ହେଉ ଯଦ୍ଦ୍ୱାରା ସବୁ ଆମର ଆବଶ୍ୟକତା ନଷ୍ଟ ହୋଇଯାଉ । ଆମେ ଖାଲି ଚାହିଁ ଚାହିଁ ରହିଯିବା ଛଡ଼ା ଲାଭ କିଛି ହବନି ।

 

ନା, ମୂର୍ଚ୍ଛନା ! ମୁଁ ଏହା ହେବାକୁ କଦାପି ସୁବିଧା ଦେଇ ପାରିବିନି । ଯୁବକ ଭାବାବେଶରେ କହି ଉଠିଲା । ଯଦି ଏଭଳି କିଛି ହୁଏ ତେବେ ମୋର ସବୁ କିଛି ପ୍ଲାନ୍ ନଷ୍ଟ ହୋଇଯିବ ।

 

କିଂତୁ କିଏ ତା’ ପିଛା ଧରିଛି ? ତା’ଠିକଣା କ’ଣ ?

 

ତୁମେ ଚିନ୍ତା କରନା । ମୁଁ ସବୁ ଠିକ୍ କରି ଦେବି । ଯୁବକ କହିଲା, ଏତିକି ଯେ ତୁମେ ଯେଉଁ ସତର୍କତାର ସହ କାର୍ଯ୍ୟ କରୁଛ ତାହା କରିଯାଅ । ହିଁ, ବର୍ତ୍ତମାନ ଠାରୁ ଟିକିଏ ଅଧିକ ସାବଧାନ ହେବାକୁ ପଡ଼ିବ । ବୁଝିଲ ?

 

ହଁ । ମୋ’ କଥା ତମେ ଚିନ୍ତା କରନା । ଆଚ୍ଛା, ତମେ ହାତଧୁଅ । ମୁଁ ନେଇ ଆସୁଛି ଖାଦ୍ୟ । କହି ମୂର୍ଚ୍ଛନା ଠିଆ ହୋଇଗଲା ।

 

ଟିକିଏ ରହ । ଯୁବକଟି କହିଲା ।

 

କ’ଣ ?

 

ପ୍ରଥମେ ମୋର ପୁରଷ୍କାର.... ?

 

ପୁରସ୍କାର ସ୍ୱରୂପ ତମେ କ’ଣ ଚାହଁ ? ମଧୁଝରା ହସରେ ମୂର୍ଚ୍ଛନା କହି ଉଠିଲା ।

 

ଆସ ପାଖକୁ ।

 

ମଲା ଏତେଥର କ’ଣ ମ ?

 

ଆସୁନା । ଏତିକି କହି ଯୁବକ ଉଠିଗଲା ମୂର୍ଚ୍ଛନା ନିକଟିକୁ ତା’ର କପୋଳରେ ଗୁଡ଼ାଏ ଉଷ୍ମ ଚୁମ୍ୱନ ଆଂକିଗଲା । ଏତିକି ମୋର ଦରକାର ।

 

ଛି..... ଲଜ୍ଜାର ନମ୍ର ସ୍ପର୍ଶରେ ମୂର୍ଚ୍ଛନା ଝାଉଁଳି ପଡ଼ୁଥିଲା । କିଂତୁ ସ୍ପର୍ଶ ଜନିତ ସେ ସ୍ୱର୍ଗୀୟ ତୃପ୍ତି ଦେହେ ଦେହେ ଅନୁଭବ କରୁଥିଲା ମୂର୍ଚ୍ଛନା ।

 

ପୁରିଲା ପୁରିଲା ଦେହରେ ଅସଂଖ୍ୟ ପୁଲକ ଆଉ ଶିହରଣ ଜାଗି ଉଠୁଛି । ପରିବେଶ ହୋଇ ଉଠିଛି ଗୀତିମୟ.....ମଧୁମୟ ।

 

ଚଉଦ

 

ସୁମନ୍ତ ଡ୍ରଇଁ ରୁମରେ ପଦାଚାରଣ କରୁଛି ।

 

ବ୍ୟସ୍ତ ବିବ୍ରତ କୁଂଚିତ କପୋଳ ଦେଶରେ ଘର୍ମର ଟିକିଟିକି ବିଂଦୁ ।

 

ମାନସ ମହୋଦଧିରେ ସୃଷ୍ଟି ହୋଇଛି ଉଦବେଳନ । ପଦାଚାରଣ କରୁ କରୁ ଅଟକି ଯାଉଛି ସେ । ଚିନ୍ତା କରୁଛି । ଶୂନ୍ୟକୁ ଚାହୁଁଛି । ସମାଧାନର ସୀମା ସ୍ପର୍ଶ କରିପାରୁ ନାହିଁ ।

 

ପୁଣି ବ୍ୟାକୁଳ ହୋଇ ପଦାଚାରଣ କରୁଛି ।

 

ବାହାରେ କାହାର ପଦ ଶଦ୍ଦ ଶୁଭିଲା ।

 

କବାଟ ଖୋଲି ମୀନା ପ୍ରବେଶ କଲା । ହାତରେ ଚା’ ଟ୍ରେ । ସୁମନ୍ତ ଚାହିଁ ରହିଲା ମୀନା ଆଡ଼କୁ ଓ କୁଜେ ଯାଇ ସୋଫା ଉପରେ ବସିଗଲା ।

 

ମୀନାର ଓଠରେ ଚାପାହସ । ରଂଗୀନ ଓଠ ତଳର ସେ ହସ ସୁମନ୍ତକୁ ଆଜି ବିମୋଦିତ କରି ପାରୁନି ଯେମିତି । ସାମନା ଚେୟାର୍ ରେ ସେ ବସିଛି । ନୀରବତା ଭଂଗ କରି କହିଲା-

 

କ’ଣ ବ୍ୟସ୍ତ ହେଲାଭଳି ଜଣା ଯାଉଛ ? କଥା କ’ଣ ?

 

ହଁ ମୀନା ! ମୁଁ ବହୁତ ବ୍ୟସ୍ତ ରହିଛି ।

 

କାହିଁକି ? କ’ଣ ହେଲା ? ମୀନା ପିଆଲାରେ ଚା’ ଢାଳୁ ଢାଳୁ ପଚାରିଲା ।

 

ଆଡ଼୍ ଭୋକେଟ୍ ସୂର୍ଯ୍ୟକାନ୍ତି ଦାସଂକର ଡେଥ୍ ହୋଇନାହିଁ....

 

ଇଲେକ୍ଟ୍ରିକ୍ କରେଣ୍ଟରେ ସକ୍ ଖାଇଲା ଭଳି ମୀନାର ଅବସ୍ଥା ହେଲା । ଚା’ କେଟିଲ୍‍ଟା ଢଳିଯିବା ଉପରେ । ଧରି ପକେଇଲା ସୁମନ୍ତ । ପିଆଲାଟା ତଳେ ପଡ଼ି ଚୂନା ହୋଇଗଲା । ଚା’ର ଗରମ ପାଣି କେଇବୁନ୍ଦା ମୀନାର ଶାଢ଼ୀରେ ଛିଟିକି ପଡ଼ିଛି ।

 

କ’ଣ କହୁଛ ତମେ ? ବିସ୍ମୟରେ ପଚାରିଲା ସେ ।

 

ମୁଁ ଠିକ୍ କହୁଛି ମୀନା !

 

ତମେ କ’ଣ ସେଠିକି ଯାଇଥିଲ ?

 

ନା । ସୁମନ୍ତ କହିଲା । ନିଅ, ହେଇ ଏ ପେପର୍ ପଢ଼ । ସେ ‘ସମାଜ’ ଖଣ୍ଡି ତା’ ହାତକୁ ବଢ଼େଇ ଦେଲା ।

 

ମୀନା ବ୍ୟଗ୍ର ହୋଇ ପଡ଼ିଲା । ମୁଖ୍ୟ ପୃଷ୍ଠାରେ ବଡ଼ ବଡ଼ ଅକ୍ଷରରେ ଛାପା ହୋଇଛି–

 

“ଆଡ଼ଭୋକେଟ୍ ସୂର୍ଯ୍ୟକାନ୍ତି ଦାସ (ରାୟଗଡ଼ା) ଛୁରାମାଡ଼ରେ ଗୁରୁତର ଆହତ”

 

୧୩ ଫେବୃୟାରୀ : ଗତ ରାତିରେ ଓକିଲ ସୂର୍ଯ୍ୟକାନ୍ତିଦାସ ନିଜ ଶୟନ କକ୍ଷରେ ଶୋଇଥିଲେ । ରାତି ବେଶୀ ହୋଇ ନଥିଲା । ଏଗାରଟା । ଆଖିରେ ତଂଦ୍ରାମାଡ଼ି ଆସୁଥିଲା ତାଂକର । ତାଂକୁ ଜଣାଗଲା କେହି ଯେମିତି ତାଂକ ରୁମରେ ପ୍ରବେଶ କରୁଛି । ସେ ସଚେତ ହୋଇଗଲେ । ଝରକା ଆଡ଼କୁ ଚାହିଁଲେ । ଦେଖିଲେ ଜଣେ ଭୀମକାୟ ବ୍ୟକ୍ତି କଳା ପୋଷାକରେ ଆବୃତ ହୋଇ ରୁମ୍ ଭିତରକୁ ପଶି ଆସୁଛି । ହାତରେ ରିଭଲ୍‍ଭର । ଓକିଲ ସାହେବ ଭୟ ବିହ୍ୱଳିତ ଅବସ୍ଥାରେ ଉଠି ବସିଲେ ।

 

ତାଂକ ଦେହରେ ମଧ୍ୟ ସେତେବେଳେ ଅସୀମ ଶକ୍ତି ସଂଚାର ଯାଇଥିଲା । ତାଙ୍କର ବୁଦ୍ଧି ଏବଂ ଚଂଚଳତା ଯୋଗୁଁ ସେ ପ୍ରାୟ ରକ୍ଷା ପାଇଲେ । ତଥାପି ତାଂକର ଅବସ୍ଥା ଶୋଚନୀୟ । ପେଟରେ ଛୁରା ଭୁସି ହୋଇଛି । ବେକରେ କଟାଦାଗ । ଅବସ୍ଥା ଅତି ଗୁରୁତର ।

 

ରୁମ୍ ଦେଖିବା ପରେ ଜଣା ଯାଇଛି ବହୁ ସମୟ ଯାଏଁ ଧସ୍ତା ଧସ୍ତି ଚାଲିଥିଲା । ଶେଷରେ ହତ୍ୟାକାରୀ ଛୁରାରେ ଆକ୍ରମଣ କରିଛି । ଛୁରା ବାଜିବା କ୍ଷଣି ସେ ତଳେ ପଡ଼ିଗଲେ । ତତ୍ପରେ ହତ୍ୟକାରୀ ତାଂକୁ ନଛାଡ଼ି ତାଂକ ଛାତିରେ ବସି ବେକରେ ଛୁରା ଲଗାଇଛି । ମୃତପ୍ରାୟ ଅବସ୍ଥା ଦେଖି ସେ ତାଂକୁ ଛାଡ଼ି ଦେଇ ଚାଲିଯାଇଛି ।

 

କିଂତୁ ଓକିଲ ସାହେବଂକର ମୃତ୍ୟ ହୋଇନାହିଁ । ତାଂକର ଚାକର ପୋଲିସ୍‍କୁ ଜଣାଇଁଛି-। ତତ୍ପରେ ତାଂକୁ ଗଭର୍ଣ୍ଣମେଣ୍ଟ ହସପିଟାଲ୍‍କୁ ଅଣାଯାଇ ବିହିତ ବ୍ୟବସ୍ଥା କରା ହେଉଛି-। ଅବସ୍ଥା ସାଧାରଣ ଆଡ଼କୁ ଗତି କରୁଥିବା ଜଣା ଯାଇଛି । ଆଶା କରାଯାଏ ସେ ଶୀଘ୍ର ଭଲ ହୋଇଯିବେ-। ବହୁ ରକ୍ତସ୍ରାବ ପରେ ସେ ଅଧିକ ଭାବେ ଦୁର୍ବଳ ହୋଇ ପଡ଼ିଛନ୍ତି ।

 

ପୋଲିସ ହତ୍ୟାକାରୀର ସଂଧାନ ଚଳାଇଛି । ଇନକ୍ୱାରୀ ଦ୍ୱାରା କେବଳ ଏକ ଫେଲ୍ ଟହ୍ୟାଟ ମିଳିଛି । ତାହା କୋଠାର ପଛପଟେ ପଡ଼ିଥିଲା । ପାଇପ୍ ସାହାଯ୍ୟରେ ଚଢ଼ି ଉପରକୁ ଯାଇଥିବାର ପ୍ରମାଣ ପାଦ ଚିହ୍ନରୁ ମିଳିଛି । କିନ୍ତୁ ସ୍ପଷ୍ଟ କରି କୁହାଯାଇ ପାରୁନାହିଁ, ସେ ପଦଚିହ୍ନ କାହାର ।

 

ଏହା ଦ୍ୱାରା ପ୍ରମାଣିତ ହେଉଛି ଯେ ସେଠାକୁ ଦୁଇ ଜଣ ବ୍ୟକ୍ତି ଯାଇଥିଲେ । କିଂତୁ ଦୁଇ ଜଣଂକ ମଧ୍ୟରୁ ଜଣକର ଲାସ୍ ଏକ ପୋଖରୀରୁ ଉଦ୍ଧାର କରାଯାଇଛି । ଦ୍ୱତୀୟ ଜଣକର ପତ୍ତା ମିଳିନାହିଁ । ଏଥିପାଇଁ ପୋଲିସ୍ ବଡ଼ ତତ୍ପର ଥିବା ସଂବାଦ ମିଳିଛି ।

 

ମୀନା ପଢ଼ିଲା । ତା’ପରେ ସମାଜଟାକୁ ଟେବୁଲ୍ ଉପରେ ଥୋଇ ଦେଇ ପଚାରିଲା-ତେବେ ସେ ଦ୍ୱୀତିୟ ବ୍ୟକ୍ତି କିଏ ସେ ?

 

ମୋ’ ଦ୍ୱାରା ଯାହାର ମୃତ୍ୟୁ ହୋଇଛି ।

 

ସେ କଥା ମୋତେ କହୁନା । କିଂତୁ ସେ ଓକିଲ ବଂଚିଗଲା କେମିତି ? ମୀନା ଭ୍ରୁକୁଞ୍ଚନ କରି ପଚାରିଲେ ।

 

ମୁଁ ତ ବୁଝିପାରୁନାହିଁ । ସେଇ ତ ବର୍ତ୍ତମାନ ପ୍ରଶ୍ନ ।

 

ନିଶ୍ଚୟ ଏଥିରେ ଦୁରଭିସଂଧି ରହିଛି । ଏ’ ଏକ ଫ୍ରାଡ଼୍ ।

 

ନା ମୀନା ! ଇଟସ୍ ନଟ୍ ଫ୍ରାଡ଼୍ । ସୁମନ୍ତ ଗଂଭୀର ସ୍ୱରରେ କହିଲା । ଇଟ୍ ହେଜ୍ ମିନ୍ ଆଟଅଲ୍.....

 

ତେବେ ହତ୍ୟାକାରୀକୁ ଧରିବା ପାଇଁ ଏହା ନିଶ୍ଚୟ ଏକ.....

 

ସୁମନ୍ତ ଜୋରରେ ହସି ଉଠିଲା । ସେ ବଂଚିଥିବା ଜାଣି ହତ୍ୟାକାରୀ ପୁଣି ତାକୁ ଶେଷ କରି ଦେବା ପାଇଁ ଯିବ; ଏ ସଂଦେହ କଣ ସେମାନଙ୍କର ରହିଛି ?

 

ଇୟେସ୍ । ଏକଜାକ୍‍ଟଲି.....

 

କିଂତୁ ତୁମେ ଭୁଲ୍ ବୁଝୁଛ ମୀନା ! ସେ ଆଉ କାହିଁକି ଯିବ ? ତା’ କାମତ ଶେଷ ହୋଇ ଯାଇଛି ।

 

ମୁଁ ତୁମ କଥା ବୁଝିପାରିଲିନି ।

 

ସପୋଜ୍ ତୁମର ଉଇଲ୍‍ଟା ହିଁ ଆବଶ୍ୟକ । ତାହା ତୁମେ ପାଇଗଲ । ତେବେ ବର୍ତ୍ତମାନ ଆଡ଼ଭୋକେଟ୍ ମରିବା ନମରିବାରେ ତୁମର ଲାଭ କ’ଣ ? No utiliy of thinking about him–ହତ୍ୟାକାରୀ କେବଳ ଭୁଲ କରେନା । ପୋଲିସମାନେ ମଧ୍ୟ ବେଳେବେଳେ ଭୁଲ ବାଟରେ ଚାଲନ୍ତି ।

 

ମାନେ ? ମୀନା ସୁମନ୍ତର ମୁହଁକୁ ଚାହିଁ ରହିଥିଲା ।

 

ଯଦି ଏହା ଏକ ଫ୍ରଡ଼୍ ବୋଲି ତୁମେ କୁହ, ତେବେ ଆଉ ଗୋଟାଏ କଥା ସେମାନଂକର ଛପାଇବାର ଥିଲା । ଆଡ଼ଭୋକେଟ୍‍ଙ୍କର ଜୀବିତ ଖବର ସହ, ଅପରାଧୀ ଯେଉଁ ଫାଇଲ୍‍ଟା ନେଇ ଚାଲି ଯାଇଛି ତାହା ଭୁଲ୍ । ଭୁଲ୍ କ୍ରମେ ସେ ଅନ୍ୟ ଏକ ଫାଇଲ୍ ନେଇ ଚାଲି ଯାଇଛି । ପ୍ରକୃତ ଉଇଲ୍ ଅନ୍ୟଠାରେ ଥିଲା । ସେ ପାଖକୁ ସେ ନଜର ଦେଇ ନାହିଁ । ତେବେ ଆମେ ସଂଦେହ କରିବାର ସୁଯୋଗ ପାଇଥାନ୍ତେ ।

 

ସେ ମରନ୍ତୁ ବା ବଂଚିଥାନ୍ତୁ ଆମର ଯାଏ ଆସେ କ’ଣ ?

 

We are safe....

 

ତେବେ ଛାଡ଼ ସେ କଥା । ଯାହା ହେଉ ତମେ ବଡ଼ ଇଣ୍ଟେଲିଜେଣ୍ଟ ।

 

ମୀନା, ସୁମନ୍ତ ଆଡ଼କୁ ଚାହିଁ ରହିଛି । ଅଧର ପାଖୁଡ଼ାରେ ତାର ସାର୍ଥକତାର ହସ ।

 

ବର୍ତ୍ତମାନ ଆଉ ଏକ ଅସୁବିଧା ରହିଚି ମୀନା ! ଆମ ପଥର କଣ୍ଟକ.....

 

ତାହା କ’ଣ ?

 

ସେଇ ସୌମିତ୍ରର ପତ୍ନୀର ଆତ୍ମା....

 

ଏଥିରେ ତୁମର ମତ କ’ଣ ?

 

ମୁଁ ଏସବୁ ତ ବିଶ୍ୱାସ କରେନା । ଗୋଟାଏ ଛଳନା-ଏକ ଭଣ୍ଡାମି ।

 

ତେବେ ?

 

ଏ ଗୋଟାଏ ବିରାଟ ଷଡ଼ଯନ୍ତ୍ର । ସୌମିତ୍ରର ସଂପତ୍ତି ହସ୍ତଗତ କରିବା ପାଇଁ ଏ ରୀତିମତ ଏକ ସୁଚିନ୍ତିତ ଯୋଜନା ।

 

ହଁ । ମୁଁ ମଧ୍ୟ ସେଇଆ ଭାବୁଛି । ସୌମିତ୍ରର ଧନ ସଂପତ୍ତି ଉପରେ ବହୁ ଲୋକଙ୍କର ନଜର ରହିଛି । ତେବେ ଏଥିପାଇ କ’ଣ କରାଯାଇ ପାରେ ?

 

ସେଇ କଥା ତ ଚିନ୍ତା କରୁଛି । ପୂର୍ବ ଅପେକ୍ଷା ଆମକୁ ଟିକିଏ ବେଶୀ ପରିମାଣରେ ସାବଧାନ ହୋଇ ବର୍ତ୍ତମାନ ଆଗେଇବାକୁ ହେବ । ନହେଲେ ବିପଦ ।

 

ହଁ । ତାହା ତ ଠିକ୍ ନିଶ୍ଚୟ । ମୁଁ ଭାବୁଛି ଆମେ ତାକୁ ବି ରାସ୍ତାରୁ ହଟାଇ ଦେବା; ମାନେ ଏକାଥରେ ଶେଷ କରିଦେବା କଥା କହୁଛି ।

 

ମନ୍ଦ ହୁଅନ୍ତା ନାହିଁ । ମୁଁ ମଧ୍ୟ ସେଇଆ ଚାହେଁ । ଏ କାମଟା ମୋ’ ଉପରେ ଛାଡ଼ିଦିଅ ।

 

ତୁମ ଉପରେ ! ସୁମନ୍ତ ବିସ୍ମୟ ବିସ୍ଫାରିତ ନେତ୍ରରେ ତାକୁ ଚାହିଁ କହିଲା ।

 

ହଁ । ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ମୁଁ ନିଶ୍ଚୟ ପାରିବି ।

 

ମୁଁ କିନ୍ତୁ ଚାହେଁନା ।

 

କିନ୍ତୁ ଫିନ୍ତୁ କିଛି ନାହିଁ । ଏ କାମ ମୁଁ ନିଜେ କରିବି । ଆଜି ମୁଁ ତାକୁ ଶେଷ ନକରି ରହିବିନି ।

 

ଯଦି ତୁମେ ଜିଦ୍ ଧରୁଛ ତେବେ ଯାଅ । କିନ୍ତୁ ତୁମ ପଛେ ପଛେ ମୁଁ ସର୍ବଦା ରହିବି । ଏକୁଟିଆ ଛାଡ଼ି ଦେବି ନାହିଁ ।

 

ତୁମେ କ’ଣ ମୋତେ ଏତେ ଦୁର୍ବଳ ମନେ କରୁଛ ?

 

ଦୁର୍ବଳତାର କଥା ନୁହେଁ । ବର୍ତ୍ତମାନର ଗୁରୁତ୍ୱର ପରିସ୍ଥିତି ନେଇ କହୁଛି ।

 

ତେବେ ଠିକ୍ କଥା । ତମର ଯାହା ଇଚ୍ଛା ସେଇଆ କର ।

 

ମୀନାର ଓଠରେ ଏକ ତଂପକର ହସ ଖେଳି ବୁଲିଲା । ଚକ୍ଷୁ ତାର ମାଡ଼ି ମାଡ଼ି ଆସୁଛି । ଚାହାଣୀ ଭିତରେ ରହିଛି ଯେମିତି ନିବିଡ଼ ଉଷ୍ମତାର ଆକାଂକ୍ଷା । କୋଟିଏ ତନ୍ଦ୍ରା ଖେଳୁଛି ଆଖିରେ.....

 

ସୁମନ୍ତକୁ ଆମନ୍ତ୍ରଣ ଜଣାଉଁଛି ମୀନାର ସ୍ନିଗଧ ତରଳ ଯୌବନ ।

 

ଅଳ୍ପ ସମୟ ପରେ ପ୍ରକୋଷ୍ଠର ରୁଦ୍ଧ ହେଲା ।

 

ପନ୍ଦର

 

ସାମନାରେ ବିରାଟ ଏକ ବେଲ୍‍ଜିୟମ୍ ମିରର୍ ।

 

ପଖରେ ଏକ ଫଟୋ । ବସିଛି ମୀନା । ପ୍ରସାଧନୀର ସମସ୍ତ ସାମଗ୍ରୀ ତା’ର ଚତୁର୍ଦ୍ଦିଗରେ ବିକ୍ଷିପ୍ତ । ବହୁମୂଲ୍ୟର ଅଂଗାଭରଣ ଏକ ନିକେଲ୍ ବକ୍ସରେ ।

 

ମୁଖ ତାର ପ୍ରତିଫଳିତ ହୋଇଛି ଦର୍ପଣରେ ।

 

ବାଁ ହାତରେ ଫଟୋକୁ ଧରିଛି । ଚାହୁଁଛି ଫଟୋକୁ । ଚାହୁଁଛି ଦର୍ପଣ ଆଡ଼କୁ । ନିକେଲ୍ ବକ୍ସରୁ ଲବଂଗ ଦିଆ ରିଂଗ୍ ଦୁଇଟା ବାହାର କଲା ।

 

ଦୁଇ କାନରେ ଦି’ପଟ ରିଂଗ୍ ଲଗାଇଲା ।

 

ପୁଷ୍ପ କୋମଳ ହସ୍ତ ଦ୍ୱୟରେ ସ୍ୱର୍ଣ୍ଣ ନିର୍ମିତ ଭାବି ଚୂଡ଼ୀ ବିଜୁଳି ଆଲୁଅର ଝଳି ଉଠୁଛି । ଅପୂର୍ବ ଜ୍ୟୋତି ବାହାରୁଛି ।

 

ପୁଣି ଚାହିଁଲା ଦର୍ପଣ ଆଡ଼କୁ । ଓଠ ତଳେ ତଳେ ସରୁ ଲିପଷ୍ଟିକ୍‍ର ସ୍ପର୍ଶ କରେଇଲା । ମୁଖରେ ଲାଗୁଛି ସ୍ୟାଣ୍ଡ୍ଉଇଚ୍‍ର ତରଳ ସ୍ନୋ । ପୁଣି ଫଟୋ ଆଡ଼କୁ ଏକ ତୀର୍ଯ୍ୟକ୍‍ ଦୃଷ୍ଟିପାତ କରି ଆନନ୍ଦାତିଶଯ୍ୟରେ ବିଭୋର ହେଲା ସେ ।

 

ଫଟୋ ସହ ତା’ର ବର୍ତ୍ତମାନର ଚେହେରା ପ୍ରାୟ ମିଶୁଛି । ମୁହଁରୁ ସହଜେ ବାରି ହେବନି । ମୁଣ୍ଡରେ ନାଇଲନ୍‍ର ଓଢ଼ଣା । ସବୁ ଠିକ୍ ଅଛି ।

 

ଫଟୋଟା ମଧୁମିତାର । ସୌମିତ୍ରର ସ୍ତ୍ରୀ ମଧୁମିତାର ଏକ ଲାସ୍ୟ ଭଂଗୀର ଫଟୋ । ଖୁବ୍ ସୁନ୍ଦର, କମନୀୟ ।

 

ତା’ର ପ୍ରତିକୃତିରେ ନିଜକୁ ଖାପ୍ ଖୁଆଇବା ପାଇଁ ସେ ମେକ୍ଅପ୍ ହେଉଥିଲା । ବହୁ ସମୟ ଅବଶ୍ୟ ନଷ୍ଟ ହେଲା ଏଥିପାଇଁ । ମୁଖରେ ତାର ସାର୍ଥକତାର ହସ ଖେଳି ବୁଲୁଛି ବର୍ତ୍ତମାନ ।

 

ଅତୀତର କଲେଜ ଜୀବନର ବହୁ ସ୍ମୁତି ମୀନାର ମନ ତଳେ ଉଂକି ମାରିଛି ଆଜି । କଲେଜର ଡ୍ରାମା ସମୟରେ ସେ ମେକ୍ଅପ୍ ନିଜେ ହେଉଥିଲା । ବାହାରେ ଦର୍ଶକ ସେତେବେଳେ ତାକୁ ଚିହ୍ନିବାରେ ନିଶ୍ଚୟ ଭୁଲ କରୁଥିଲେ । ମେକ୍ଅପ୍ ପାଇଁ ପ୍ରଶଂସାର ଫୁଲ ତା’ ଉପରେ ଅଜାଡ଼ି ହୋଇ ପଡ଼ୁଥିଲା ସେତେବେଳେ ।

 

ସେତେବେଳେ ସୁମନ୍ତ ପଛରେ ଠିଆ ହୋଇ ଏକ ଲକ୍ଷ୍ୟରେ ଚାହିଁଛି ମୀନା ଆଡ଼କୁ । ପ୍ରଶଂସା ନକରି ରହି ପାରୁନି ।

 

ମୀନା ବୁଲି ଚାହିଁଲା । ପଛରେ ସୁମନ୍ତ । ତା’ର ଲସ୍ୟ ଅଧରରେ ଏକ ଗୋଲାପର ହସ ଲହଡ଼ି ଭାଂଗୁଥିଲା । ମୀନା ଉଠିଲା ଡ୍ରେସିଂ ଟେବୁଲ୍ ନିକଟରୁ । ଆଉ ବିଳଂବ ନକରି ସେ ବାହାରକୁ ଚାଲିଗଲା ।

 

ସୁମନ୍ତ ମଧ୍ୟ ସ୍ନିପିଂ ଡ୍ରେସ ବଦଳାଇ ଚେହେରାକୁ ସାମାନ୍ୟ ମେକ୍ଅପ୍ କରି ଘରୁ ବାହାରକୁ ଚାଲି ଆସିଲା । ବାହାରିବା ବେଳେ ରିଭଲ୍‍ଭର୍ ଖଣ୍ତକୁ ଆଣିବା ପାଇଁ ବି ସେ ଭୁଲି ଯାଇନି ।

 

ବାହାରେ ଅଂଧକାର ଘେରି ରହିଛି । ଆକାଶରେ ଚନ୍ଦ୍ର ନାହିଁ । କୃଷ୍ଣ ମେଘ ଭାସୁଛି । ନିରବତାରେ ହାହାକାର କରୁଛି ଚତୁର୍ଦ୍ଦିଗ....

 

କିଛି ଦୂରରେ ଶୁଭ୍ର ବସ୍ତ୍ରରେ ଆଚ୍ଛାଦିତ ହୋଇ ମୀନା ଚାଲିଯାଉଥିବାର ଦିଶୁଛି । ଅଂଧକାର ଭିତରେ କୌଣସି ଏକ କଳାରଂଗର ଆକୃତି ଭଳି ମନେ ହେଉଛି ସେ । ଅଳ୍ପ ବ୍ୟବଧାନ ରଖି ସୁମନ୍ତ ବି ତା’ ପଛରେ ଚାଲିଛି ।

 

ମୀନା ନିଶ୍ଚିନ୍ତ ମନରେ ଦ୍ରୁତ ପଦରେ ଆଗେଇ ଯାଉଚି । ତା’ର ଲକ୍ଷ୍ୟ ମୁକ୍ତିଘାଟ ଆଡ଼କୁ । ସୁମନ୍ତ ବୁଝିପାରୁ ନଥିଲା, ମୀନା କାହିଁକି ସେଇ ଆଡ଼େ ଯାଉଛି । ଭାବିଲା, ନିକଟକୁ ଯାଇ ପଚାରିନେବ । କିଂତୁ ପରକ୍ଷଣରେ ସେ ଚିନ୍ତା ମନରୁ ପୋଛି ନିଶବ୍ଦରେ ପିଛା ଧରି ଆଗେଇଗଲା ।

 

ଟାଉନ୍ ବର୍ତ୍ତମାନ ବହୁ ପଛରେ ରହିଲାଣି । ଉଚ୍ଚ ନୀଚ ପାହାଡ଼ ଆରଂଭ ହୋଇଛି । ଚାଲିବାରେ ସାମାନ୍ୟ କଷ୍ଟ ବି ହେଉଛି । ତଥାପି ମୀନାର ପଦଦ୍ୱୟ ଚଂଚଳ ହୋଇ ଉଠୁଛନ୍ତି । ପଛରେ ସିମନ୍ତ ।

ହଠାତ୍ ସୁମନ୍ତ ଚମକି ଉଠିଲା....

ମୀନା ଶ୍ମଶାନରେ କଂପାଉଣ୍ତ ନିକଟରେ ପହଂଚି ରହିଗଲା । ଫାଟକ ପାଖେ ଠିଆ ହୋଇ କ’ଣ ଖଟ୍ ଖଟ୍ କରିବାରେ ଲାଗିଲା ସେ । ସୁମନ୍ତ ଚମକିବାର କାରଣ ହେଲା–ପ୍ରଥମେ ଯେତେବେଳେ ମଧୁମିତାର ଛାୟା ଏଠାକୁ ଆସିଥିଲା, ଫାଟକଟା ମନକୁ ମନ ଫିଟି ଯାଇଥିଲା । କିଂତୁ ବର୍ତ୍ତମାନ ? ବର୍ତ୍ତମାନ ମୀନା ନିଜେ ହାତରେ ଖୋଲୁଛି ।

ଏଥର ମୀନା ଫାଟକକୁ ଖୋଲି ଭିତରକୁ ପ୍ରବେଶ କରି ସାରିଥିଲା । ଘାଟିର ପ୍ରାନ୍ତରେ ଠିଆ ହୋଇ ଚାହୁଁଥିଲା ତଳକୁ ।

ସୁମନ୍ତ ତା ଠାରୁ ପ୍ରାୟ ପନ୍ଦରକୋଡ଼ିଏ ଗଜ ଦୂରରେ ଠିଆ ହୋଇଥିଲା । କିଂତୁ ଅଂଧକାରରେ ତାକୁ ଚିହ୍ନିବା କଷ୍ଟକର । କାରଣ ସେ ବ୍ଲାକ୍ କୋଟ୍ ପ୍ୟାଣ୍ଟ ପିନ୍ଧିଥିଲା ।

ମୀନା ଶ୍ମଶାନରେ ମଧ୍ୟଭାଗରେ ଠିଆ ହୋଇ ଚତୁର୍ଦ୍ଦିଗକୁ ନିରକ୍ଷଣ କରିବାରେ ଲାଗିଥିଲା । ହଠାତ୍ ସେ ଉତ୍‍ଫୁଲ୍ଲ ହୋଇ ଉଠିଲା । ତା’ ଠାରୁ ଅଳ୍ପଦୂରରେ ସେ ଦେଖୁଥିଲା–ଗୋଟାଏ କବରର ଉପର ଭାଗଟା କୌଣସି ଏକ ଢାକୁଂଣୀ ଭଳି ଧୀରେ ଧୀରେ ଉପରକୁ ଉଠୁଛି....ଏବଂ କ୍ରମେ ସେଇଟା ପୁରା ଉଠିଗଲା ଉପରକୁ । ସେଇଟା ଖୋଲିଯିବା ପରେ ଗୋଟାଏ ଧଳା ଆକୃତି ସେ ଭିତରୁ ବାହାରି ଆସିଲା । ସେ ବାହାରକୁ ଚାଲି ଆସିବା ପରେ ପୁଣି ସେଇ ଢାକୁଣୀଟା ବଂଦ ହୋଇଗଲା ।

ସେ ଶୁଭ୍ର ଛାୟା ମୂର୍ତ୍ତିଟି ଆଗକୁ ବଢ଼ିଲା । କବର ଗୁଡ଼ାକ ପାର ହୋଇ ସେଇ କ୍ଷୁଦ୍ର କୁଟୀର ଆଡ଼କୁ ତାର ପଦଚଂଚଳ ହୋଇ ପଡ଼ୁଥିଲା । କୁଟୀର ନିକଟରେ ପହଂଚି ସେ ଅଟକି ଗଲା ଚାରିଆଡ଼କୁ ଟିକିଏ ଚାହିଁ ପୁଣି ଶୀଘ୍ର ଭିତରକୁ ପଶିଗଲା ।

ମୀନା ଏ ସବୁ ଦେଖି କିଛି କ୍ଷଣ ପାଇଁ ବିଚଳିତ ହୋଇ ଉଠିଲା । କିଂତୁ ଅଳ୍ପ ସମୟ ଭିତରେ ପୁଣି ସେ ଛାୟାମୂର୍ତ୍ତିଟି ସେଇ କୁଟିର ଭିତରୁ ବାହାରି ଆସୁଥିଲା ।

 

ସେ ବାହାରକୁ ଆସି ଠିଆ ହୋଇଗଲା । ଜଣା ପଡ଼ୁଥିଲା, ସେ ଯେମିତି କାହାସହ କଥାବାର୍ତ୍ତା କରୁଥିଲା ।

 

ପୁଣି ସେ ଛାୟାମୂର୍ତ୍ତି ଆଗେଇ ଚାଲିଲା । ମୀନା ଚକିତ ଚକ୍ଷୁରେ ଚାହିଁ ରହିଚି ତା’ରି ଆଡ଼କୁ । ସେ ଛାୟାଟି ଶ୍ମଶାନର ବାହାରକୁ ଆସି ଉପରକୁ ଉଠିଥିବା ପାହାଡ଼ ଆଡ଼କୁ ଚଢ଼ିବାରେ ଲାଗିଲା ।

 

ମୀନା ମଧ୍ୟ ବାହାରକୁ ଚାଲି ଆସି ଗୋଟାଏ ଗଛ ପାଖେ ଛପିରହି ସେଇ ଛାୟା ମୂର୍ତ୍ତି ଆଡ଼କୁ ବାରଂବାର ଚାହିଁବାରେ ଲାଗିଲା । ସେତେବେଳକୁ ସୁମନ୍ତ ମଧ୍ୟ ନିଜ ସ୍ଥାନରୁ ବାହାରି ଯାଇ ଅନ୍ୟ ଏକ ଗଛ ପାଖେ ଲୁଚି ରହିଥିଲା ।

 

ସେ ଆକୃତିଟି ଉପରେ ପଂହଚି ପୁଣି ତଳକୁ ବାରଂବାର ନିରୀକ୍ଷଣ କରିବାରେ ଲାଗିଲା-। ମୀନା ବଡ଼ ସଂଦେହରେ ପଡ଼ିଛି । ସେ ଏଭଳି ତଳକୁ ଉପରକୁ ଚାହିଁବାରେ ଲାଗିଛି କାହିଁକି କାରଣ କ’ଣ ? ସେ ଭାବୁଥିଲା ଅନ୍ୟ କେହି ନିଶ୍ଚୟ ତା’ ପଛରେ ରହିଛି ।

 

ତତ୍ପର ସେ ଛାୟାମୂର୍ତ୍ତି ପୁଣି ଚାଲିବାର ଦେଖି ମୀନା ଗଛ ଆଢ଼ୁଆଳରୁ ବାହାରି ତା’ର ଅନୁସରଣ କରିବାରେ ଲାଗିଲା ।

 

ପ୍ରକୃତରେ ସେ ଛାୟାମୂର୍ତ୍ତିର ପଛରେ ଅନ୍ୟ ଏକ ଛାୟା ଗତି କରୁଥିଲା । ବ୍ଲାକ୍ ଡ୍ରେସ ତା’ ଦେହରେ ଥିବାରୁ ବଡ଼ ଅସ୍ପଷ୍ଟ ଦିଶୁଛି । ଅଂଧାରରେ ମିଶିଗଲା ଭଳି ଜଣା ପଡ଼ୁଛି ।

 

ମୀନା ବ୍ୟସ୍ତ ବିବ୍ରତ ଅବସ୍ଥାରେ ପଡ଼ି ଯାଇଥିଲା, ସେ ଛାୟା ମୂର୍ତ୍ତି ପଛରେ ଅନ୍ୟ ଏକ ଛାୟା ପିଛା ଧରିଥିବା ଦେଖି ।

 

ସୁମନ୍ତ ମଧ୍ୟ ମୀନା ଆଗେଇ ଯାଉଥିବା ଦେଖି ସେ ଗଛ ନିକଟରୁ ବାହାରି ଆସିଲା । ସହସା ସେ ଚମକି ଠିଆ ହୋଇଗଲା । ଗୋଟାଏ କୃଷ୍ଣ ବର୍ଣ୍ଣର ଆକୃତି ତାର ଆଗେ ଆଗେ ଚାଲିଛି-। ସୁମନ୍ତ ନିଶବ୍ଦରେ ତା’ର ପିଛା ଧରି ଆଗେଇ ଚାଲିଲା ।

 

ଜଣକ ପଛରେ ଜଣେ ଚାଲିବାରେ ଲାଗିଥିଲେ ଏବଂ ସମସ୍ତେ ସେମାନଙ୍କର ଦୃଷ୍ଟି ଆଗକୁ ରଖି ଚାଲିଥିଲେ । ପଛରେ ସୁମନ୍ତ ଚାଲିଛି । ତା’ ଆଗରେ ଥିବା ଆକୃତି ଅନ୍ୟ ଦୁଇ ଛାୟାମୂର୍ତ୍ତିଙ୍କର ପ୍ରାୟ ଶହେ ଗଜ ପଛରେ ଥିଲେ । ଏବଂ ସୁମନ୍ତ ତା’ର ଆଗେ ଆଗେ ଚାଲିଥିବା ଆକୃତି ଠାରୁ ପ୍ରାୟ ଦଶ ପନ୍ଦର ଗଜ ବ୍ୟବଧାନରେ ଚାଲିଥିଲା । କାରଣ ସୁଯୋଗ ପାଇଲେ ତାକୁ ସେ ଆକ୍ରମଣ କରିବ । ଏଥିରେ ବିପଦ ମଧ୍ୟ ରହିଛି । ଆକ୍ରମଣ ସମୟରେ କୌଣସି ଶବ୍ଦ ଶୁଣି ଅନ୍ୟ ଛାୟାମୂର୍ତ୍ତି ଦୁଇଟି ମଧ୍ୟ ସଚେତନ ହୋଇ ଯାଇ ପାରନ୍ତି ।

 

ଅଚାନକ ଏକ ସ୍ୱର୍ଣ୍ଣ ଅବସର ସେ ପାଇଗଲା । ଗୋଟାଏ ମୋଡ଼ । ସେଇ ମୋଡ଼ର କଂକରିଳ ରାସ୍ତା ଦେଇ ଆଗକୁ ଯିବାକଥା । ତେଣୁ ସେମାନେ ଆଉ ଦିଶୁ ନାହାନ୍ତି । କେବଳ ସୁମନ୍ତର ଆଗରେ ଥିବା ଆକୃତିଟି ରହିଛି ।

 

ଏଭଳି ଅବସର ଛାଡ଼ିଦେଲେ ଆଉ ମିଳି ନ ପାରେ । ଏଇୟା ଭାବି ସେ ହଠାତ୍ ଆକ୍ରମଣ କଲା ସେ ଆକୃତି ଉପରକୁ ।

 

ସେ ଆକୃତିଟା ଅପ୍ରସ୍ତୁତ ହୋଇଗଲା । କାରଣ ସେ ମୋଟେ ଏଭଳି ଆକ୍ରମଣ ପ୍ରତି ସାବଧାନ ନଥିଲା । ସୁମନ୍ତ ତାକୁ ତଳେ ପକାଇ ଦେଇ ତାରି ପାଟି ପାଖକୁ ହାତ ନେଇଗଲା । ଯେମିତିକି ଚିତ୍କାର କରି ପାରିବନି । ତା’ ପେଟରେ ଶକ୍ତି ଗୋଇଠାଏ ଦେଇ ସଂଗେ ସଂଗେ ଏକ ଶାଣିତ ଛୁରା ବାହାର କଲା ପକେଟରୁ । ଆଉ ଅପେକ୍ଷା ନକରି ଭୁସିଦେଲା ତା’ ପେଟକୁ ଦେଖାଇ-

 

ବଡ଼ ବ୍ୟାକୁଳ ହୋଇ ଛଟପଟ ହେଲା ସେ ଆକୃତିଟା...ପୁଣି ସୁମନ୍ତ ଛୁରାଟାକୁ ପେଟରୁ କାଢ଼ି ବେକରେ ଲଗାଇ ଦେଲା । ଏଥର ତାର ପ୍ରାଣହୀନ ଶରୀରଟାରୁ ଖାଲି ପିଚ୍ ପିଚ୍ ହୋଇ ରକ୍ତ ଛୁଟୁଥିଲା । ଅଳପ ସମୟ ପରେ ଶରୀର ତା’ର ନିସ୍ପନ୍ଦ, ଜଡ଼ ପାଲଟିଗଲା ।

 

ଏଥର ସୁମନ୍ତ ପକେଟରୁ ଟର୍ଚ୍ଚ ବାହାର କରି ତା’ ମୁହଁକୁ ପକାଇଲା । ମୁଖର କଳା ପତଳା କନାର କଭର୍‍ଟାକୁ ବାହର କରିଦେଇ ଚମକି ପଡ଼ିଲା....

 

ସଂ......ଜ ୟ......

 

ଏକ ଅସ୍ଫୁଟ ସ୍ୱର ତା’ ମୁଖରୁ ବାହାରି ଆସିଲା । ସଂଜୟର ଜିଭଟା ବାହାରକୁ ବାହାରି ଆସିଛି । ଅତି କରୁଣ ମୃତ୍ୟୁ ତା’ର ହେଲା...

 

ଅତୀର ସ୍ମୃତି ସବୁ ସୁମନ୍ତ ଆଖି ଆଗରେ ନାଚି ଉଠିଲା । ସଜୟ ବି.ଏ. ପଢ଼ିଲାବେଳେ ତାର କ୍ଲାସମେଟ୍ ଥିଲେ । ଏବଂ ତାର ଅତି ଘନିଷ୍ଠ ବଂଧୁ ମଧ୍ୟ ସେ । ଦୀର୍ଘ ବ୍ୟବଧାନ ପରେ ଆଜି ତାକୁ ଦେଖୁଛି । କିଂତୁ ସେ ଆଉ ନାହିଁ...ତାର ମୃତ୍ୟୁ ମଧ୍ୟ ୟାରି ହାତରେ ହେଲା ।

 

ସୁମନ୍ତର ମୁଣ୍ତ ଭିତରଟା କ’ଣ ଯେମିତି ହୋଇଗଲା...ଆଖି ଦୁଇଟାକୁ ଦୁଇ ହାତରେ ବୁଜି ଦେଲା । ଇସ୍...ସେ ଆଜି କ’ଣ ନକଲା ?

 

କିଂତୁ ଅଜଣାରେ ସବୁ ଘଟିଗଲା । କ’ଣ ଆଉ ହେବ ଚିନ୍ତା କଲେ ? ପଶ୍ଚାତାପ ବ୍ୟର୍ଥ ହେବ ସିନା ସୁମନ୍ତ ନିଜକୁ ସଂଯତ କରି ନେଇ ସେଠାରୁ ଆସିଲା । ଦ୍ରୁତ ପଦରେ ସେଇ ମାର୍ଗ ଦେଇ ଆଗେଇ ଗଲା ।

 

କିଂତୁ କାହାନ୍ତି ସେମାନେ ? କିଛି ତ ଦିଶୁନାହିଁ । ତଥାପି ସୁମନ୍ତ ସେଇ ଦିଗରେ ଚଂଚଳ ପଦକ୍ଷେପରେ ଚାଲିବାକୁ ଲାଗିଲା ।

 

ଷୋହଳ

 

ବାହାରେ ରାତି ସାଇଁ ସାଇଁ ଗର୍ଜୁଛି । ସୌମିତ୍ର ଶୋଇଛି ଖୁବ୍ ନିଦରେ ।

 

ସୌମିତ୍ର....ଏକ କ୍ଷୀଣ କଂଠର ସ୍ୱର ସେ ଘରର କେଉଁ କୋଣରୁ ବାହାରି ଆସିଲା । କିଂତୁ ସୌମିତ୍ର ସେହିଭଳି ଶେଯରେ ଶୋଇଛି ।

 

ଏକ ଆକୃତି ସୌମିତ୍ରର ଉପରକୁ ନଇଁପଡ଼ି ତାକୁ ଏକ ଲକ୍ଷ୍ୟରେ ଚାହିଁ ରହିଥିଲା । ସୌମିତ୍ରର ମୁଣ୍ତ ବାଳଗୁଡ଼ିକ ଉପରେ ତୀର ସୁକୋମଳ ଅଂଗୁଳି ସଂଚାଳନ କରୁଥିଲା ।

 

ସୌମିତ୍ର ! ଉଠ ଦେଖ, ମୁଁ ତୁମ ପାଖକୁ ଆସିଚି.....ଏଥର ତାର ସ୍ୱରରେ କଂପନ ଥିଲା-। କାନ୍ଦ କାନ୍ଦ ସ୍ୱରରେ ସେ ଆକୃତିଟି କହି ଉଠୁଥିଲା ।

 

ସୌମିତ୍ର ସେମିତି କଡ଼ ଲେଉଟାଇ ପୁଣି ଶୋଇ ରହିଲା ।

 

ଉଠ, ସୌମିତ୍ର ! ମୁଁ ବଡ଼ ତର ତର ହେଉଛି । କ’ଣ ଏଇମିତି ଶୋଇ ରହିବ ?

 

ଏଥର ଟିକିଏ ବଡ଼ ପାଟିରେ ସେ କହିଲା । ସେ ସ୍ୱର ଶୁଣି ସୌମିତ୍ରର ନିଦ ଭାଂଗିଗଲା-। ଚମକି ଚାହିଁଲା ସେ ।

 

ସମ୍ମୁଖରେ ମଧୁମିତା.....ଯାହାର ସୁନ୍ଦର ଅବୟବ ତା’ ଉପରକୁ ଝୁଲି ପଡ଼ିଥିଲା ।

 

ବିସ୍ଫୋରିତ ଚକ୍ଷୁରେ ଚାହିଁଲା ସୌମିତ୍ର । ମଧୁମିତାର ଆଖିରେ ଅଶ୍ରୁ...

ବେଶ ତାର ଠିକ୍ ଗୋଟାଏ ବିଧବା ଭଳି । ଶଭ୍ର ପରିଧାନ.....ହସ୍ତରେ ଚୁଡ଼ି ନାହିଁ । ମଥାରେ ସିନ୍ଦୂର ନାହିଁ । କେଶଗୁଚ୍ଛ ତାର ଆଲୁଳାୟିତ.....

ସୌମିତ୍ର ବିବ୍ରତ ହୋଇ ଉଠି ବସିଲା, ଏବଂ ମଧୁମିତାକୁ ଧରିବାକୁ ଚାହିଁଲା । କିଂତୁ ସେ ଦୂରେଇ ଗଲା ତା’ ନିକଟରୁ । ଠିଆ ହେଲା ଟିକିଏ ଦୂରରେ ।

ମୋ’ ଉପରେ ହାତ ଲଗାଇବନି ସୌମିତ୍ର ! ଠିଆହୋଇ ମଧୁମିତା କହିଲା ।

ମଧୁ...

ତମେ ମୋ’ ପାଖକୁ ଆସିଛ । ମୋତେ ଡାକୁଛ କଥାବାର୍ତ୍ତା,ବି କରୁଛ....କାହିଁକି ? ପୁଣି କହୁଚ ମୋତେ ଛୁଅଁନା, ମୋ’ ଦେହରେ ହାତ ଦିଅନା ଏସବୁ କାହିଁକି ? ପୁଣି ମୁଁ କାହିଁକି ତମକୁ ଧରି ପାରିବିନି ? କୁହ ମଧୁ.....ଜବାବ ଦିଅ ? ଏତିକି କହ ସୌମିତ୍ର ପିଲାଂକ ଭଳି କଇଁ କଇଁ ହୋଇ କାଂଦି ଉଠିଲା ।

ମଧୁମିତା ଧାଇଁ ଆସିଲା ତା’ ନିକଟକୁ ତୁମେ କାଂଦୁଛ ଦେବତା ! କାନ୍ଦ ନାହିଁ... ମୁଁ ତୁମର ଲୁହ ଦେଖି ପାରିବିନି । କହୁ କହୁ ସେ ମଧ୍ୟ କାଂଦି ଉଠିଲା ।

ମୁଁ କ’ଣ କରିବି ମଧୁ....ସୌମିତ୍ର କହି କହି କାନ୍ଦି ଉଠୁଥିଲା । କହିଲା ଗୋଟାଏ କାମ କରିବ ?

 

କୁହ ସୌମିତ୍ର ! ଗୋଟାଏ କାହିଁକି, ତମର ସବୁ କରିବି ।

 

ଟିକିଏ ମୋତେ ବିଷ ଦେଇ ପାରିବ....ସୌମିତ୍ର ବିନିତ ଭାଗ ସ୍ୱରରେ କହି ଉଠିଲା–ମୁଁ ଏ ଜୀବନର ସମସ୍ତ ସୁଖ ଅଭିଳାଷ ହରାଇ ଦେଇଛି । ମୋର ଆତ୍ମା ମଧ୍ୟ ଏ ଜୀବନରେ ଭୀଷଣ ଭାବେ ପୀଡ଼ିତ...

 

ସୌମିତ୍ର...କହି ମଧୁମିତା ପଛକୁ ଦି’ ପାଦ ଘୁଂଚିଗଲା ।

 

ହଁ ମଧୁ....ମୁଁ ସେଇୟା ଚାହେଁ । ମୋତେ ତୁମେ ବିଷ ଦିଅ...

 

ନା, ଏହା ମୋ’ ଦ୍ୱାରା ହୋଇ ପାରିବନି । ମଧୁମିତା ଭଂଗା ଭଂଗା ସ୍ୱରରେ କହିଲା । ଏକଥା ଶୁଣି ତା’ ହୃଦୟ ସତେ ଯେମିତି ଫାଟି ଯାଉଥିଲା ।

 

ନହେଲେ ତମେ ନିଜେ ମୋ’ ଗଳା ଚିପି ଦିଅ...

 

ସୌମିତ୍ର ? ମଧୁମିତା ଟିକିଏ ବଡ଼ ପାଟିରେ କହିଲା ।

 

ହଁ ମଧୁ... ଏଇୟା ହିଁ ଠିକ୍ ହେବ । ତୁମ ହାତରେ ମୋର ମୃତ୍ୟୁ ହେଲେ ମୁଁ ଆନନ୍ଦିତ ହେବି । ସୌମିତ୍ର ବିଛଣାରେ ବସୁ ବସୁ କହିଲା–ଆସ, ଚିପିଦିଅ ମୋ ଗଳା । ଗଳାକୁ ଆଗକୁ ବଢ଼ାଇ ଦେଲା ସେ ।

 

ଅଚାନକ ମଧୁମିତାର ରୂପ ବଦଳିଗଲା ଯେମିତି । ଏକ କୁଟିଳ ହସ ତା’ ଅଧରରେ ଖେଳିଗଲା । ହୃଦୟ ଭିତରେ ତା’ର ବିଷାକ୍ତ ସର୍ପ ଫଣା ଟେକି ରହିଲା ଯେମିତି । କହି ଉଠିଲା—

 

ସୌମିତ୍ର ! ବର୍ତ୍ତମାନ ତୁମେ ରାସ୍ତାକୁ ଆସିଛ । କ୍ଷୀଣ କଂଠରେ କହୁଥିଲା ସେ ।

 

ସୌମିତ୍ର ଚୂପ ହୋଇ ବସିଛି । ସେହିଭଳି ଆଖିର ଅଶ୍ରୁ ମୁହଁ ସାରା ବହି ଯାଉଛି ।

 

ବର୍ତ୍ତମାନ ତୁମେ ଆଉ ମୁଁ ମିଶିଯାଇ ପାରିବା ସୌମିତ୍ର ! ମୋ’ ଆତ୍ମାକୁ ମଧ୍ୟ ଶାନ୍ତି ମିଳିବ । ମୁଁ ତୁମକୁ ମୋ’ ପାଖରେ ପାଇ ପାରିବି ! ମଧୁମିତା ଆନନ୍ଦର ଆତିଶଯ୍ୟରେ କହୁଥିଲା ।

 

ସେ ଆଗେଇ ଗଲା । ଦୁଇ ଚାରି ପାଦ ଯିବାପରେ ଠିଆ ହେଲା । ଚାହିଁଲା ସୌମିତ୍ର ଆଡ଼କୁ । ସେ ସେଇମିତି ମୁଣ୍ତ ନୁଆଇଁ କାନ୍ଦି ଉଠୁଥିଲା ପିଲାଂକ ଭଳି । ମଧୁମିତା ହାତରେ ଏକ ପତଳା ଦଉଡ଼ି ଧରିଛି । ତାକୁ ନେଇ ସେ ସୌମିତ୍ର ଆଡ଼କୁ ଗଲା । କିଂତୁ ସେଇଠି ପୁଣି ଅଟକି ଗଲା । ବୋଧହୁଏ କିଛି ତାର ମନେ ପଡ଼ିଗଲା ।

 

ସୌମିତ୍ର....ସେ ଧୀର କଂଠରେ ଡାକିଲା ।

 

କ’ଣ ? ସୌମିତ୍ର ମୁଣ୍ତ ଟେକି ଚାହିଁଲା ।

 

ତମେ ମରିବାକୁ ଚାହୁଁଚ ନା ?

 

ହଁ, ମଧୁ ମୁଁ ତୁମରି ହାତରେ ମରିବାକୁ ଚାହେଁ....ତୁମେ ଯିବାଠାରୁ ମୋ’ ଜୀବନର ସବୁ ସୁଖ ବି ଚାଲିଯାଇଛି । ମୁଁ ବଂଚି ରହି ଲାଭ କ’ଣ ?

 

ତେବେ ଆସ ।

 

କେଉଁଠିକି ?

 

ମୁଁ ଯେଉଁଠିକି ନେଇଯିବି ।

 

ତଥାପି ଟିକିଏ କୁହ ।

 

କ’ଣ ତମର ମୋ’ ଉପରେ ବିଶ୍ୱାସ ନାହିଁ ?

 

ମୁଁ କ’ଣ ସେଇୟା କହିଲି ।

 

ମୁଁ ତୁମକୁ ମୋ’ ପାଖକୁ ନେଇଯିବି ।

 

ତମେ ରହୁଚ କେଉଁଠି ?

 

ମୁକ୍ତିଘାଟ....

 

ଏକୁଟିଆ ?

 

ହଁ ।

 

ତୁମେ ତ ଏଇଠି ଅଛ । ପୁଣି କେମିତି...

 

ଆଚ୍ଛା, ତେବେ ଚାଲ । କହି ପଲଂଙ୍କରୁ ଉଠିଲା ସୌମିତ୍ର । ଏଥର ମଧୁମିତାକୁ ଦେଖି ସେ ଆଉ ଭୟ କରୁନାହିଁ । ଯେପରି ସେ ପ୍ରକୃତରେ ମଧୁମିତା, ତାର ମୃତ ପତ୍ନୀର ଆତ୍ମା ଏବଂ ସେ ବାସ୍ତବିକ୍ ଅତୃପ୍ତ, ସେଥିପାଇଁ ବାରଂବାର ସେ ତା’ ପାଖକୁ ଆସୁଛି । ସେ ଆକୃତିକୁ ସେ ମଧୁମିତାର ଆତ୍ମା ବୋଲି ଭାବି ନେଇଥିଲା ।

 

ଆସ । ମୋ’ ପଛେ ପଛେ ଚାଲି ଆସ । ମଧୁମିତା ମୁହଁ ବୁଲାଇଲା ଯିବାପାଇଁ । ମୋତେ ଧରିବାକୁ ଚେଷ୍ଟା କରିବନି । ବୁଝିଲନା ? ନହେଲେ ମୁଁ ଅଦୃଶ୍ୟ ହୋଇଯିବି ।

 

ହଉ ତେବେ ମୁଁ ସେଇୟା କରିବି । କହି ସୌମିତ୍ର ତା’ ପଛେ ପଛେ ଚାଲିଲା । ମଧୁମିତା ସ୍ୱର୍ଗଲୋକର ସୁଷମାମୟୀ ଅପ୍‍ସରୀ ଭଳି ଆଗେ ଆଗେ ଗତି କରୁଥିଲା । ସୌମିତ୍ରର ପାଦ ମନକୁ ମନ ବଢ଼ି ଯାଉଥିଲା ଯେମିତି । ପାହାଚ ପରେ ପାହାଚ ଅତିକ୍ରମ କରି ତଳ ମହଲାରେ ସେମାନେ ପହଂଚିଲେ । ଦୁଇଟା ରୁମ୍ ପାର୍ ହୋଇଯିବା ପରେ ତୃତୀୟ ରୁମ୍‍ଟା ଗୋଟାଏ ମୋଡ଼ ପାଖରେ ଅବସ୍ଥିତ ।

 

ହଠା୍ତ ଏକ ବିସ୍ମୟକର ଘଟଣା ଘଟିଲା ।

 

ସୌମିତ୍ର ମଧୁମିତା ଠାରୁ ପ୍ରାୟ ଦଶପାଦ ପଛରେ ଥିଲା । ମଧୁମିତା ତୃତୀୟ କୋଠରୀ ଆଡ଼କୁ ଯିବାପାଇଁ ମୋଡ଼ ବୁଲିଲା । ସେ ରୁମ୍‍ର ଦ୍ୱାରରେ ଏକ ଲାଲ ପରଦା ପଡ଼ିଛି । ସେଇ ଭିତରୁ ଏକ ହାତ ବାହାରକୁ ଲମ୍ବି ଆସି ମଧୁମିତାକୁ ଧରିପକାଇ ଭିତରକୁ ଟାଣି ନେଇଗଲା ।

 

ମଧୁମିତା ଚିତ୍କାର କରି ଉଠିଲା । ତା’ ପରେ ପରେ ଅନ୍ୟ ହାତଟି ତା’ର ମୁହଁ ଉପରେ ପଡ଼ି ତା’ରି ପାଟିକୁ ବନ୍ଦ କରି ଦେଲା । ସେ ଆଉ ବି ପାଟି କରି ପାରିଲାନି ।

 

ଏ କାର୍ଯ୍ୟ ଏମିତି ସମୟରେ ହେଲା ଯଦ୍ଦ୍ୱାରା ମଧୁମିତା ନିଜକୁ ରକ୍ଷା କରିବା ପାଇଁ ସମୟ ପାଇଲାନି । ରୁମ ଭିତରଟା ଅନ୍ଧକାର । ଆକ୍ରମଣକାରୀକୁ ବି ସେ ଦେଖିପାରିଲାନି । କେବଳ ଏତିକି ସେ ଜାଣିପାରିଲା ଯେ ଆକ୍ରମଣକାରୀ ଜଣେ ମହିଳା.....

 

ଏଣେ ଅଂଧାର ଭିତରେ ଏକ ଚିତ୍କାର ଶୁଣିବା ବ୍ୟତୀତ ସୌମିତ୍ର ଆଉ ମଧୁମିତାକୁ ଦେଖି ପାରିଲାନି । ବିଚଳିତ ହୋଇ ବାରନ୍ଦାରେ ଧାଇଁଗଲା ଆଗକୁ । କିଂତୁ କାହିଁ ? କୁଆଡ଼େ ଗଲା ତା’ ପ୍ରାଣର ମଧୁ.....କାହିଁ କେଉଁଠି ତ ଦିଶୁନି । ଆହୁରି ବିସ୍ମୟର ଆବର୍ତ୍ତରେ ସେ ଘୁରି ବୁଲିଲା ।

 

କାନ୍ଥରେ ସୁଇଚ ଅଛି । ଲାଇଟ୍ ଅନ୍ କରି ପାରନ୍ତା ସେ, ଏବଂ ଚତୁର୍ଦ୍ଦିଗକୁ ଭଲ ଭାବେ ଦେଖି ନିଅନ୍ତା । କିନ୍ତୁ ସେ, ଉପସ୍ଥିତ ବୁଦ୍ଧି ସେତେବେଳକୁ ହରାଇ ସାରିଛି ।

 

ସେଇ ପାଖ ରୁମ୍ ଭିତରକୁ ଅବା ଯାଇ ଦେଖି ନିଅନ୍ତା । ସେଠାରେ ଅବଶ୍ୟ ଜଣକ ସ୍ଥାନରେ ଦୁଇଜଣ ମଧୁମିତାକୁ ଦେଖି ପାରନ୍ତି.....

 

କିନ୍ତୁ କ’ଣ କରିବ ସେ ? ଅସ୍ମିତା ସେ ହଜାଇ ସାରିଛି...ନିଜ ଆୟତରେ ସେ ଆଉ ନାହିଁ । ତେବେ କୁଆଡ଼େ ଗଲା ସେ ? କ’ଣ ମୋତେ ଛାଡ଼ି ଚାଲିଗଲା ସେ ? ନା, ପୁଣି ସଂଜୟ ତାକୁ ନେଇ ଚାଲିଗଲା ? ନହେଲେ ଏଭଳି ଅଦୃଶ୍ୟ ହୋଇଯିବାର କାରଣ କ’ଣ ? କାହିଁକି ସେ ଚିତ୍କାର କଲା ତେବେ ? ଏମିତି ଏକାବେଳେ ଅନେକ ଗୁଡ଼ାଏ ଚିନ୍ତାରେ ତା’ ମନମନ୍ଦିରଟା ଆଚ୍ଛନ୍ନ-

 

ପୁଣି ଏଣେ ତେଣେ ଚାହିଁଲା । କାଳେ ପୁଣି ମଧୁମିତାକୁ ସେ ଦେଖିପାରିବ । ସାଗ୍ରହ ପ୍ରତୀକ୍ଷାରେ ବ୍ୟସ୍ତ ବ୍ୟାକୁଳ ହେଲା ସେ । ସେହିଭଳି ପିଲାଂଙ୍କ ପରି କାନ୍ଦି କାନ୍ଦି ପୁଣି ତା’ ରୁମ୍‍କୁ ଲେଉଟି ଆସିଲା ।

 

ମଧୁମିତା ଯେଉଁ ରୁମ୍‍ ରେ ଥିଲା ଅଚାନକ ସେ ରୁମରେ ଆଲୁଅ ଜଳି ଉଠିଲା ।

 

ତୁମେ....

 

ଆଉ ତୁମେ ?

 

ହଠାତ୍ ଆକୃତି ଦୁଇଟି ପରସ୍ପରକୁ ଦେଖି ଚମକି ଉଠିଲେ ଏବଂ ପରସ୍ପର ଠାରୁ ଦୂରେଇ ଗଲେ ।

 

ମୀନା ତାକୁ ଟାଣି ଆଣିଥିଲା ରୁମ୍ ଭିତରକୁ । କ୍ରମେ ବିସ୍ଫାରିତ ଚକ୍ଷୁରେ ଚାହିଁ ମୀନା କଠୋର କଂଠରେ ପଚାରିଲା

 

କିଏ ତୁମେ ?

 

ସେଇକଥା ମୁଁ ବି ତୁମକୁ ପଚାରୁଚି । ମଧୁମିତା ବ୍ୟଂଗଭରା ସ୍ୱରରେ କହିଲା ।

 

ବୋଧହୁଏ ତୁମର ମୃତ୍ୟୁ ପାଖହୋଇ ଯାଇଛି । ମୀନାର କଣ୍ଠ କଠୋର ହୋଇ ଉଠୁଥିଲା ।

 

ଆଉ ତୁମର ?

 

ସଟ୍ ଅପ୍ । ଖୁବ ଜୋରରେ ପାଟି କଲା ମୀନା ।

 

ଏତେ ଜୋର୍ କାହିଁକି ପାଟି କରୁଚ । କଂଠ ଫାଟିଯିବ ଯେ ? ମଧୁମିତା ଧୀର ଗଳାରେ କହିଲା ।

 

ତେବେ ତୁମେ କିଏ କହିବନି ?

 

ପ୍ରଥମେ ତୁମେ କୁହ–ତୁମେ କିଏ ? ଏଭଳି ମୋ’ ରାସ୍ତାରେ କଣ୍ଟା ହୋଇ ଆସିବାର ଉଦ୍ଦେଶ୍ୟ କ’ଣ ?

 

ଉଦ୍ଦେଶ୍ୟ ତୁମର ଯାହା ମୋର ବି ସେଇୟା ।

 

ବାଃ

 

ହଁ ।

 

ଯହି ମୁଁ ମୋର ପରିଚୟ ନଦିଏ ?

 

ତେବେ ତୁମକୁ ମରିବାକୁ ହେବ ।

 

ତୁମେ ତେବେ ମୋତେ ମାରି ପାରିବ ? ମଧୁମିତା ପଚାରିଲା ।

 

ହଁ । ମୁଁ ସେଇଥିପାଇଁ ତ ଆସିଚି ।

 

ଦୁହେଁ ଦୁହିଁଙ୍କୁ ଶାଣିତ ଦୃଷ୍ଟିରେ ଖାଇଗଲା ଭଳି ଚାହିଁ ରହିଛନ୍ତି ।

 

ନିଜର ଉଦ୍ଦେଶ୍ୟରେ ସଫଳ ହୋଇ ପାରିବ ?

 

ସେଇଆ ତ ବର୍ତ୍ତମାନ ଜଣା ପଡ଼ିଯିବ ।

 

ହଉ ତେବେ । ସେତିକି କହିଥାଅ । ହଠାତ୍ ମଧୁମିତାର ଚେହେରା ଭୟଂକର ହୋଇ ଉଠିଲା । ତୁମେ ନିଜର ଭଲ ଯଦି ଚାହଁ ତେବେ ଏଠାରୁ ଚାଲିଯାଅ ।

 

ଯଦି ନ ଯାଏ ? ମୀନା ଶାନ୍ତ ସ୍ୱରରେ ହସି ହସି କହିଲା ।

 

ତେବେ ମୋ’ ପାଇଁ ତୁମେ ଯାହା କହିଲ ସେଇ ପରିଣାମ ହିଁ ହେବ ।

 

ବାଃ...ରେ...ଆଚ୍ଛା, ତେବେ ମୁଁ ଚାଲିଲି । କହି ମୀନା ପ୍ରକୃତରେ ଦ୍ୱାର ଆଡ଼କୁ ଆଗେଇଗଲା । ଯାଉ ଯାଉ ମଧୁମିତା ପାଖ ହୋଇଗଲା । ହଠାତ୍ ଏକ ଜୋର୍ ଚାପୁଡ଼ା ମଧୁମିତାର ଗାଲରେ ବସେଇ ଦେଲା । ତା’ ସହ ଏକ ଅତି ପତଳା ନାଇଲନ୍‍ର ଆବରଣ ତା’ ହାତରେ ଚାଲି ଆସିଲା । ଚମକି ଉଠିଲା ମୀନା । ମୁହଁ ଉପରରୁ ଆବରଣଟା ଖସି ଯିବାରୁ ପ୍ରକୃତ ଚେହେରାଟା ଦେଖି ସେ ବିସ୍ମିତ ହୋଇ ପାଟି କରି ଉଠିଲା ।

 

ଉମି ! ତୁମେ ?

 

କ’ଣ ତୁମେ ଚିହ୍ନି ପାରୁଚ ?

 

ଏ ସ୍ୱର ଶୁଣି ମୀନା କହି ଉଠିଲା–ହଁ । ଭଲଭାବରେ ଚିହ୍ନି ପାରୁଚି ।

 

କିଂତୁ, ତୁମେ କିଏ-ମୁଁ ତ ଜାଣି ପାରୁନି ?

 

ବୋଧହୁଏ ମୀନାକୁ ତମେ ଏଯାଏଁ ଭୁଲିଯାଇ ନଥିବ ।

 

କ’ଣ ? ଉର୍ମି ଚମକି ଉଠିଲା ବିଜୁଳି ତାରରେ ସକ୍ ଖାଇଲା ଭଳି ।

 

ହଁ, ମୁଁ ହଁ ମୀନା.....

 

ତେବେ, ତେବେ ଏଭଳି ରୂପରେ......

 

ମୁଁ ସ୍ୱପ୍ନରେ ବି ଭାବି ପାରିନଥିଲି ଉର୍ମି ! ତୁମେ ମୋ ସହ ଏଭଳି ଏବଂ ଏଇ ସ୍ଥାନରେ ଦେଖା ଦେବ ବୋଲି ।

 

ଇଏ ତ ଏକମାତ୍ର ସୌଭାଗ୍ୟ !

 

ତେବେ ବର୍ତ୍ତମାନର ବିଚାର କ’ଣ ?

 

କେଉଁ ବିଚାର ?

 

ଯେଉଥିପାଇଁ ତୁମେ ଏଭଳି ମେକ୍ଅପ୍...

 

ସେଥିରେ ତ ମୁଁ ଦୃଢ଼ ରହିଚି ।

 

ତା’ ମାନେ ତୁମେ ତୁମ ସଂଗିନୀ ସହ ବିରୋଧ କରିବ ?

 

ବୋଧହୁଏ ଭାଗ୍ୟରେ ସେଇୟା ରହିଚି ।

 

ସଂଜୟ କେଉଁଠି ? ଅଚାନକ ମୀନା ଆଉ ଏକ ପ୍ରଶ୍ନ କରି ବସିଲା ।

 

ସିଏ ତ ମୋ’ ପଛେ ପଛେ ଥିଲେ । କିଂତୁ ଜଣାନାହିଁ ସେ ପୁଣି କେଉଁଠି ଅଟକି ଗଲେ-। ଉର୍ମି ଟିକିଏ ଚିନ୍ତିତ ସ୍ୱରରେ କହିଲା ।

 

ଅର୍ଥ ଲୋଭରେ ମଣିଷ ପାଗଳ ହୋଇପଡ଼େ ଉର୍ମି । ଜୀବନ ପ୍ରତି ବି....

 

ମାନେ ? ଉର୍ମି ଚମକି ଉଠିଲା ।

 

ସେ ଶେଷ ହୋଇ ଯାଇଚି....

 

ନୁହେଁ....ଚିତ୍କାର କରି ଉଠିଲା ଉର୍ମି–

 

ମୁଁ ମିଛ କହୁନାହିଁ ଉର୍ମି । ତୁମେ ତ ମୋତେ ପ୍ରଥମରୁ ଜାଣିଛ ? ମୀନା ଦୃଢ଼ ସ୍ୱରରେ କହିଲା ।

 

ଉର୍ମି ପ୍ରକୃତରେ ମୀନାର କଥାକୁ ବିଶ୍ୱାସ କଲା । ଏକସଂଗେ ପଢ଼ିବା ସମୟରୁ ସେ ମୀନାକୁ ଜାଣେ । ମୀନା କେବେ ମିଛ କୁହେନା । ମିଛ କହିବାକୁ ଏବଂ ମିଛ କହିବା ଲୋକଂକୁ ସେ ଘୃଣା କରେ । କ୍ରମେ ତା’ ଚେହେରା କଳା ପଡ଼ିଗଲା । ଜୀର୍ଣ୍ଣଶୀର୍ଣ୍ଣ ହୋଇପଡ଼ିଲା ହାତ ଗୋଡ଼ ଗୁଡ଼ାକ ଯେମିତି । ପଚାରିଲା–ତାଂକୁ କିଏ ମାରିଲା ? ଥର ଥର ସ୍ୱରରେ କହୁଥିଲା ସେ । କ’ଣ ସୁମନ୍ତ ?

 

ହଁ ସୁମନ୍ତ । ମୀନା ଶାନ୍ତ ଭାବରେ ଉତ୍ତର ଦେଲା ।

କିଂତୁ ସେତେବେଳେ ସେ କୁଆଡ଼ୁ ଆସିଲେ ?

ସଂଜୟ ଭଳି ସେ ମଧ୍ୟ ମୋ’ ପଛେ ପଛେ ଆସୁଥିଲେ । ସମସ୍ତଙ୍କର ଗତିବିଧି ସେ ଲକ୍ଷ୍ୟ କରିଛନ୍ତି ।

ତେବେ...ତେବେ ତୁମକୁ ମୁଁ ଛାଡ଼ିଦେବିନି । ନିଶ୍ଚୟ ତୁମକୁ ମାରିଦେବି । ଉର୍ମି କ୍ରୋଧରେ ସର୍ପଭଳି ଫୁଲି ଉଠିଥିଲା ସେତେବେଳେ ।

ସମୟର ମୂଲ୍ୟ ତୁମେ ବୁଝୁନାହଁ ଉର୍ମି...ବେକାର କଥା କହି ଯାଉଛ ଦେଖୁଛ । ଶେଷଥର ପାଇଁ ପଚାରୁଛି; ତୁମେ ଚାଲିଯିବ ଆଉକିଛି ସେମିତି....

ମୁଁ କଦାପି ତୁମକୁ ଛାଡ଼ି ଦେବିନାହିଁ ।

ସଂଗେ ସଂଗେ ମୀନା ଏକ ରିଭିଲଭର୍ ତା’ ଶାଢ଼ୀ ତଳୁ ବାହାର କରି ଆସିଲା । ତାକୁ ଦେଖି ଉର୍ମି ବିସ୍ମିତ ହେଲା । ସ୍ଥାଣୁ ପାଲଟି ଯାଉଥିଲା ସେ । ବିସ୍ମୟ ବିସ୍ଫୋରିତ ଚକ୍ଷୁରେ ଚାହିଁବାରେ ଲାଗିଥିଲା ଉର୍ମି ।

ଉର୍ମି ! ମୀନାର ଏକ ଗଂଭୀର ସ୍ୱର ଶୁଭିଲା–ସଂଜୟ ତ ସଂସାରରୁ ବିଦାୟ ନେଇ ସାରିଲେଣି । ତେଣୁ ତୁମର ଆଉ ବଞ୍ଚି ରହିବାରେ କୌଣସି ମୂଲ୍ୟ ନାହିଁ । ତୁମେ ବି ମରିବା ଉଚିତ-

 

ନାଁ, ମୁଁ ମରିବାକୁ ଚାହେଁନା । ମୋତେ କ୍ଷମା ଦିଅ ମୀନା....ମୁଁ ମୋ’ ଭୁଲ ପାଇଁ କ୍ଷମା ମାଗୁଛି । ଉର୍ମି ବ୍ୟାକୁଳିତ କଣ୍ଠରେ କହୁଥିଲା ।

 

ତୁମକୁ ମୁଁ କ୍ଷମା ଦେବି ନା ? ବଡ଼ କଟୁକ୍ତି ପୂର୍ଣ୍ଣ ଭାଷାରେ ମୀନା କହିଲା–ତୁମେ ପୁଣି ଯାଇ ମୋ’ ବିରୁଦ୍ଦରେ ପ୍ରଚାର କରିବାକୁ କ୍ଷମା ଦେବି ନା ? ଏତିକି କହି ରିଭଲଭର ନଳୀକୁ ଉର୍ମି ଆଡ଼କୁ କରି ଟ୍ରିଗରରେ ଚାପ ଦେଲା ।

 

ଉର୍ମି ତା’ ବକ୍ଷ ଦେଶକୁ ଦୁଇ ହାତରେ ଚାପି ଏକ ହୃଦୟ ବିଦାରକ ଚିତ୍କାର କରି ତଳେ ପଡ଼ିଗଲା । ଚଟ୍ଟାଣରେ ରକ୍ତର ଲହଡ଼ି ଭଂଗୁଥିଲା ।

 

ମୀନା ରିଭଲଭର୍‍କୁ ଯତ୍ନରେ ରଖି ଚାହିଁଲା ଉର୍ମିର ବିକ୍ଷିତ ଏବଂ ରକ୍ତାକ୍ତ ଶରୀରକୁ । ତା’ପରେ ସେ ରୁମ୍‍ରୁ ଚାଲି ଆସିଲା ।

 

ସତର

 

ସୌମିତ୍ର ବିଛଣାରେ ପଡ଼ି ଛାତ ଆଡ଼କୁ ଅପଲକ ଦୃଷ୍ଟିରେ ଚାହିଁଥିଲେ । ଜ୍ଞାନଶୂନ୍ୟ ବୋଧ କରୁଥିଲା ନିଜକୁ ।

 

ରାତ୍ରି ପ୍ରାୟ ଦୁଇଟା । କିଂତୁ ତା’ ଆଖିରେ ନିଦ କାହିଁ ? ଏଇ ଅଳ୍ପ ସମୟ ତଳେ ଯେଉଁ ଘଟଣା ଘଟିଲା ସେଥିରେ ସେ ବିଚଳିତ । ନିଜ ଆଖିକି ବିଶ୍ୱାସ କରି ହେଉନାହିଁ ।

 

ରୁମ୍‍ର ଆଲୋକ ଲିଭାଇ ଦିଆ ଯାଇଛି । ଅଂଧକାର ମଧ୍ୟରେ ସୌମିତ୍ର ଶୋଇ ଶୋଇ ଭାବୁଛି ।

 

ହଠାତ୍ ସେ ବିଛଣାରୁ ଉଠି ବସିଲା ।

 

ତାକୁ ବୋଧହେଲା ଯେମିତି କେହି ଧୀରେ ଧୀରେ ଦ୍ୱାର ଖୋଲୁଛି । ଦ୍ୱାର ଖୋଲିବାର ଶବ୍ଦ ସେ ଶୁଣି ପାରୁଛି । କ୍ରମେ ଦ୍ୱାରଟା ଖୋଲିଗଲା । ବାହାର ବାରନ୍ଦାରେ ଜଳୁଥିବା ବଲ୍‍ବରେ କ୍ଷୀଣ ଆଲୋକରେ ସେ ଦେଖି ପାରୁଥିଲା, କେହି ଗୋଟାଏ ଆକୃତି ଦ୍ୱାର ଦେଶରେ ଠିଆ ହୋଇଛି । ଆକୃତିଟିର ଅପାଦମସ୍ତକ କୃଷ୍ଣ ପୋଷାକରେ ଆଚ୍ଛାଦିତ ।

 

କିଏ ? ସୌମିତ୍ର ସଂଦିଗ୍‍ଧ ଚିତ୍ତରେ ଧୀର ଭାବେ ପ୍ରଶ୍ନକଲା ।

 

କିଂତୁ କୌଣସି ପ୍ରତ୍ୟୁତ୍ତର ଆସିଲା ନାହିଁ । କେବଳ ଆକୃତିଟି ରୁମ୍ ଭିତରକୁ କେତେପାଦ ଆଗେଇ ଆସିଲା ।

 

ତୁମେ କିଏ ? କହୁନା କିଆଁ ?

 

ପ୍ରଥମେ ଆଲୁଅ ଜଳାଅ । ପରେ ଜାଣି ପାରିବ । ଏକ କଠୋର କଣ୍ଠର ସ୍ୱର ଭାସି ଆସିଲା ।

 

ସୌମିତ୍ରର ଅପାଦମସ୍ତକ ଏ ସ୍ୱର ଶୁଣି କମ୍ପି ଉଠିଲା । ସମସ୍ତ ଶକ୍ତି ତା’ ଶରୀରରୁ ଅପସରି ଗଲାଭଳି ବୋଧ କରୁଥିଲା । ଏଣେ ତ ମଧୁମିତାର ହଠାତ୍ ଅନ୍ତର୍ଦ୍ଦାନରେ ବିସ୍ମୟ ଚକିତ ହୋଇ ନିଜକୁ କୌଣସିମତେ ଧୈର୍ଯ୍ୟ ପ୍ରଦାନ କରିପାରୁ ନଥିଲା । ତା’ପରେ ପୁଣି ଏଭଳି ଘଟଣା....

 

ଶୁଣି ପାରିଲ ନାହିଁ ? ମୁଁ କହୁଛି ଆଲୁଅ ଜଳାଅ...ପୁଣି ସେ ଆକୃତି ଗର୍ଜି ଉଠିଲା ଯେମିତି ।

 

ସୌମିତ୍ର କମ୍ପିତ ପଦପାତରେ ସୁଇଚ୍ ବୋର୍ଡ଼ ନିକଟକୁ ଯାଇ ସୁଇଚ୍ ଅନ୍ କଲା । ସାରାକୋଠରୀରେ ଟିଉବ୍ ଲାଇଟର ଦୁଧବର୍ଣ୍ଣ ଆଲୋକର ଲହରୀ ଛୁଟିଲା । ସୌମିତ୍ର ପଛକୁ ବୁଲି ଚାହିଁଲା । ଯାହା ଦେଖିଲା ସେଥିରେ ସେ ଏକାବେଳେ କାଠ ପାଲଟି ଗଲା । ମୂକ ନିର୍ବାହକ ହୋଇ ନିର୍ବୋଧ ଯେମିତି ସେ ।

 

ତାହାର ଆପାଦ ମସ୍ତକ କୃଷ୍ଣବର୍ଣ୍ଣ ପୋଷାକରେ ଆବୃତ...

 

ହାତରେ ରିଭଲ୍‍ଭର୍ । ସୌମିତ୍ର ଆଡ଼କୁ ତାହାର ଲକ୍ଷ୍ୟ ରହିଛି ।

 

ଏଣିକି ଆସ । ସେ ଅପରିଚିତର ଆଦେଶ ଶୁଣାଗଲା ।

 

ସୌମିତ୍ର ନିଶ୍ଚୁପ୍ ହୋଇ ତା’ ନିକଟକୁ ଗଲା । ସାହାସ ସଂଚୟ କରି ପଚାରିଲା କ’ଣ ?

 

ଏହା ଉପରେ ଦସ୍ତଖତ କର....ସେ ବ୍ୟକ୍ତି ଏକ କାଗଜ ଫର୍ଦ୍ଦ ସୌମିତ୍ର ଆଡ଼କୁ ବଢ଼େଇ ଦେଲା ।

 

ଏଇଟା କ’ଣ ? ସୌମିତ୍ର କାଗଜ ଖଣ୍ତି ଧରି ପଚାରିଲା ।

 

ଉଇଲ୍.....ଏକ ସଂକ୍ଷିପ୍ତ ଉତ୍ତର ଦେଲା ସେ ବ୍ୟକ୍ତି ।

 

ଉଇଲ୍ କ’ଣ ଏବଂ କାହାର ଉଇଲ୍ ?

 

ତୁମର ସମସ୍ତ ସଂପତ୍ତିର ।

 

ମୋ’ ସଂପତ୍ତିର ? ସୌମିତ୍ର ବିସ୍ମିତ ହୋଇ ପଚାରୁଥିଲା ।

 

ହଁ । ଶୀଘ୍ର ଏବଂ କୌଣସି ପ୍ରଶ୍ନ ନପଚାରି ସେଥିରେ ଦସ୍ତଖତ କର; ନହେଲେ.....ସେ ରିଭଲ୍‍ଭର୍‍ଟାକୁ ଟିକିଏ ହଲେଇ ଦେଲା ।

 

କିଂତୁ ତା ପୂର୍ବରୁ ମୁଁ ଜାଣିବାକୁ ଚାହେଁ ତୁମେ କିଏ ? ମୁଁ କିଏ, ଏଥିରେ ତୁମର ବ୍ୟସ୍ତ ହେବାର କିଛି ନାହିଁ । କେବଳ ମୁଁ ଯାହା କହୁଛି ତାହା ପ୍ରଥମେ କର ।

 

ଯଦି ନକରେ ?

 

ତେବେ ତୁମକୁ ମୁଁ ଗୁଳି କରିବି ନିଶ୍ଚୟ । ମୋ’ ପାଖେ ସମୟ ଖୁବ କମ । ଶୀଘ୍ର କର ।

 

ସୌମିତ୍ର ହତପ୍ରଭ ହୋଇ ପଢ଼ୁଥିଲା ଉଇଲ୍‍କୁ । ବୁଦ୍ଧି ବିବେକ ତାର ଆଉ କାର୍ଯ୍ୟ ନକଲା ଭଳି ଲାଗୁଥିଲା । ଭୀଷଣ ବିପଦରେ ବର୍ତ୍ତମାନ । ଯଦି ଦସ୍ତଖତ ନକରେ ତେବେ ମୃତ୍ୟୁ ସୁନିଶ୍ଚିତ । ଏହା ଭାବି ଅନନ୍ୟୋପାୟ ହୋଇ ଦସ୍ତଖତ କଲା ।

 

ସେ ବ୍ୟକ୍ତି ଯେତେବେଳେ ହାତ ବଢ଼େଇଲା ଉଇଲଟାକୁ ନେବା ପାଇଁ ସେତେବେଳେ ଏକ ଭୟଙ୍କର ସ୍ଵର ଭାସି ଆସିଲା–ସାବଧାନ, ଯଦି କୌଣସି ଗୋଳମାଳ ସୃଷ୍ଟି କର ତେବେ ତୁମର ସତ୍ତା ଲୋପ କରି ଦିଆଯିବ .... ରିଭଲଭର ଫିଙ୍ଗି ଦିଅ...

 

ସେ ବ୍ୟକ୍ତି ବିଜୁଳି ଗତିରେ ପଛକୁ ବୁଲି ଚାହିଁଲା ।

 

ଦ୍ଵାର ନିକଟରେ ସି: ଆଇ: ଡି ଚିଫ ଅନୁପକୁମାର ସିଂ ହାତରେ ପିସ୍ତଲ ନେଇ ଠିଆ ହୋଇଛନ୍ତି । ପଛରେ ସଶସ୍ତ୍ର କନେଷ୍ଟବଳ ।

 

ସୌମିତ୍ର ବିସ୍ମୟ ବିସ୍ଫାରିତ ଚକ୍ଷୁରେ ଚାହିଁ ରହିଥିଲା । କିଂତୁ ସେ ଚକ୍ଷୁରେ ପ୍ରସନ୍ନତା ଝଳି ଉଠୁଥିଲା ।

 

ଅନୁପସିଂ କନେଷ୍ଟବଳଙ୍କୁ ସଂକେତ ଦେଲେ ସେଇ କଳା ପୋଷାକରେ ଅଛାଦିତ ବ୍ୟକ୍ତିଙ୍କୁ ଆରେଷ୍ଟ କରିବା ପାଇଁ । କନେଷ୍ଟବଳ ଆଗେଇ ଯାଇ ଆରେଷ୍ଟ କଲେ ।

 

ସୁମନ୍ତ ! ଅନୁପସିଂ ଏକ ଚିତ୍କାର କରି ଉଠିଲେ ଯେମିତି–ମୋର ଧାରଣା ନଥିଲା ତୁମେ ଏଡ଼େ ନୀଚ ପ୍ରକୃତିର ହେବ ବୋଲି ।

 

ସୁମନ୍ତର ନାମ ଶୁଣି ସୌମିତ୍ର ଚକିତ ହୋଇ ଯାଇଥିଲା । ମନେ ମନେ ଭାବୁଥିଲା, ସତେ କ’ଣ ଏ ସୁମନ୍ତ କୁମାର–ଆଡଭୋକେଟ ତା’ର ପଡ଼ୋଶୀ ପୁଣି ପ୍ରିୟବଂଧୁ ଅତି ସାନ୍ତ ସରଳ ଏଇ ସୁମନ୍ତ ବାବୁ ! ଆଉ ଆଜି ଏ ତାଂକର କେଉଁ ରୂପ–ସୌମିତ୍ର ଏମିତି ବହୁତ ଭାବି ବିଶ୍ୱାସ କରିପାରୁ ନଥିଲା ।

 

ଏଥର ଅନୁପସିଂ ଟିକିଏ ସେ ବ୍ୟକ୍ତିର ନିକଟକୁ ଆସି ତା ‘ଶରୀରକୁ କୃଷ୍ଣବର୍ଣ୍ଣର ପୋଷକଟାକୁ ବାହାର କରିଦେଲା । ପୋଷକଟା ଦେହରୁ ବାହାରି ଯିବାରୁ ସୁମନ୍ତର ଚେହେରା ସ୍ପଷ୍ଟ ହୋଇ ଉଠିଲା ।

 

ତୁମେ ? ସୌମିତ୍ର ସୁମନ୍ତର ବାସ୍ତବ ଚେହେରାରେ ଚମକି ଉଠିଲା । ବାକ୍‍ଶକ୍ତିହୀନ ହୋଇ ପଡ଼ିଥିଲା ସେ ।

 

ତତ୍ପରେ ଅନୁପସିଂ ସୁମନ୍ତକୁ ଆରେଷ୍ଟ କରି ନେଇ ଆସିଲେ ସୌମିତ୍ରର କୋଠାରୁ । ସୌମିତ୍ର କେବଳ ଅପଲକ ଭାବେ ଚାହିଁ ରହିଥିଲା ଏ ଦୃଶ୍ୟକୁ ।

 

ଶେଷ

 

ପୋଲିସ ଷ୍ଟେସନ ।

 

ପୋଲିସ ଷ୍ଟାଫ୍‍ଙ୍କ ବ୍ୟତୀତ ଟାଉନର କେତେଜଣ ବିଶିଷ୍ଟ ଆଡଭୋକେଟ, ସମ୍ବାଦ ଦାତା ଓ ସୌମିତ୍ର ମଧ୍ୟ ସେଠାରେ ଥିଲେ ।

 

ସମସ୍ତଙ୍କର ଚକ୍ଷୁ ଅନୁପସିଂଙ୍କ ଆଡ଼କୁ ଚାହିଁ ରହିଥିଲା । ମନ ଭିତରେ ଅକଥନୀୟ ଉତ୍କଣ୍ଠା ।

 

ଏଥର ଅନୁପସିଂ ସମସ୍ତ କାହାଣୀ ଆରମ୍ଭ କଲେ ।

 

ଆପଣମାନେ ସମସ୍ତେ ଏ ସମସ୍ତ ଘଟଣା ଶୁଣିଲେ ତେବେ ଏ ବିଂଶ ଶତାଦ୍ଧୀରେ ବିଜ୍ଞାନ ବ୍ୟତୀତ ଭୂତ ପ୍ରେତ ଆଦିର ଅସ୍ତିତ୍ଵ ମୋଟେ ନାହିଁ ।

 

ସୌମିତ୍ର ଯେତେବେଳେ ତାଂକ ପରୀ ମଧୁମିତାଙ୍କ ଅତୃପ୍ତ ଆତ୍ମା ସଂବଂଧରେ ମୋତେ କହିଲେ ସେତେବେଳେ ମୁଁ ଚମକି ଉଠିଥିଲି । ପୁଣି ପରେ ଚିନ୍ତା କରି ମଧ୍ୟ ଦେଖିଥିଲି ଏହା ଭବିଷ୍ୟତରେ ନିଶ୍ଚୟ ଭୟଙ୍କର ଆକାର ଧାରଣ କରିବ । ଏକ ବିପଦ ନିଶ୍ଚୟ ଆସିବ ।

 

ଇନସପେକ୍ଟର ମହେନ୍ଦ୍ରଙ୍କ ଦ୍ଵାରା ପାହାଡ଼ ମଧ୍ୟସ୍ଥ ପୁଷ୍କରିଣୀରୁ ମିଳିଥିବା ଲାସ ଦେଖିବା ପରେ ଏବଂ ତାହା ସଂବଂଧରେ ଅନୁସଂଧାନ କଲାବେଳେ ଏକଥା ମୋର ସଂଦେହ ନହୋଇ ବିଶ୍ୱାସରେ ପରିଣତ ହେଲା । ସେଠାରୁ ମୋତେ ଏକ କାଗଜ ଏବଂ ଏକ ରୁମାଲ ମିଳିଥିଲା । ରୁମାଲରେ ଲାଲ ସୂତାରେ ‘ସୁମନ୍ତ’ ଲେଖା ହୋଇଥିଲା । ତଥାପି ମୁଁ ଭାବିଲି ଏହା ଦ୍ଵାରା କୌଣସି ଷଡ଼ଯନ୍ତ୍ର ଅନ୍ୟ କେହି କରୁଛି । କିନ୍ତୁ କାଗଜରେ ଥିବା ଅଂଗୁଳି ଚିହ୍ନ ପରୀକ୍ଷା କରିବା ପରେ ଜଣାଗଲା ତାହା ସୁମନ୍ତଙ୍କର ।

 

ସେଇଟା କ’ଣ ଖାଲି କାଗଜ ନା....ଇନକ୍ଵାରୀ ଇନଚାର୍ଜ ଡି. ଏସ. ପି ପଚାରିଲେ ।

 

ନା, ତାହା ହେଉଛି ଗୋଟାଏ ଉଇଲ । ସେଇଟା ସୌମିତ୍ରଙ୍କ ପିତାଙ୍କ ଦ୍ଵାରା ଲିଖିତ ହୋଇଥିଲା ।

 

ସୌମିତ୍ର ବିସ୍ମୟ ବିମୁଢ଼ ହୋଇ ଶୁଣୁଥିଲା । ପ୍ରଶ୍ନକଲା–ସେ ଉଇଲ ତ ଆଡଭୋକେଟ ସୂର୍ଯ୍ୟକାନ୍ତ ବାବୁଙ୍କ ନିକଟରେ ଥିଲା ।

 

ଆଡଭୋକେଟ ସୂର୍ଯ୍ୟକାନ୍ତ ବାବୁଙ୍କ ଖୁନ ହୋଇ ସାରିଛି । ବିଶ୍ୱାସ କରନ୍ତୁ–ମୁଁ ଠିକ କହୁଛି । ସେ ଦିନ ରାତିରେ ସୁମନ୍ତ ଆଡଭୋକେଟଙ୍କୁ ଖୁନ କରି ଉଇଲ ନେଇ ଫେରୁଥିଲା । ଦୁର୍ଭାଗ୍ୟ ବଶତଃ ବାଟରେ ଅନ୍ୟ ଜଣେ ସହ ତାର ଧସ୍ତାଧସ୍ତି ହେଲା । ତଦ୍ଵାରା ଫାଇଲ ମଧ୍ୟରୁ ସେ ଉଇଲଟା ଖସିଗଲା । ସେଇଠାରେ ।

 

ଦ୍ଵିତୀୟ କଥା ହେଉଛି ମୃତ ‘ଅଜୟ’ ସୌମିତ୍ରଙ୍କ କକେଇ ପୁଅ ଭାଇ ।

 

ଏତିକି ଶୁଣି ସୌମିତ୍ର ବଡ଼ ଚକିତ ଦୃଷ୍ଟିରେ ମୂଳ ପାଲଟି ଗଲା ଯେମିତି । ନିର୍ବାକ ହୋଇ ଚାହିଁ ରହିଥିଲା । ସେ ସତେ ଯେମିତି ସେ ଆକାଶରୁ ଖସି ଆସୁଛି ।

 

ଅଜୟକୁ ମଧ୍ୟ ସୌମିତ୍ରଙ୍କ ସଂପତ୍ତିର ଲୋଭ ଛାଡ଼ି ନଥିଲା । ସେଇ ଯୋଗୁ ସେ ମରିଛି-

 

ଏଇ ଯେଉଁ ଆତ୍ମା ସଂବଂଧୀୟ ଷଡ଼ଯନ୍ତ୍ର କ’ଣ ବୋଲି ଭାବୁଛନ୍ତି ଆପଣ ? ଇନସ୍‍ପେକ୍ଟର ମହେନ୍ଦ୍ର ପ୍ରଶ୍ନ କଲେ ।

 

ତା’ ହେଉଛି ଏକ ପ୍ରକାର successful acting....

 

ଆଛା ମାରିବା ପରେ କୌଣସି ଆତ୍ମା ଆସି ଲକ୍ଷ ଲକ୍ଷ ଟଂକାର ଚେକ ମାଗିପାରେ ?

 

କିଂତୁ ସେ ଯେଉଁ ଶହ ଶହ ଫୁଟ ଉଚ୍ଚର ପାହାଡ଼ ଉପରୁ ଡେଇଁବା ଆଉ ତିନିମହଲା କୋଠା ଉପରୁ ଡେଇଁବା କେମିତି ସଂଭବ ? ତା’ର ତ କିଛି କ୍ଷତି ହୁଏନା । ଏ ସବୁରେ ଅର୍ଥ କ’ଣ-? ସୌମିତ୍ର ଏଥର ପଚାରିଲା ।

 

ଏ ମଧ୍ୟ ଅପରାଧୀର ଉନ୍ନତ ମସ୍ତିସ୍କର ସୂଚନା । ଅନୁପସିଂ କହିଲେ—ଉପରେ ଥିବା କୌଣସି ଏକ ଗଛର ଶାଖା ସହ ତଳେ ଥିବା କବର ପର୍ଯ୍ୟନ୍ତ ଏକ କଳା ରେଶମର ମୋଟା ଫିତା ଟାଇଟ୍ କରି ବାନ୍ଧି ଦିଆଯାଇ ଥିଲା । ଆପଣ ଯାହାକୁ କହୁଛନ୍ତି ମଧୁମିତାର ଆତ୍ମା ସେ ତାହାରି ସାହାଯ୍ୟରେ ଧୀରେ ଧୀରେ ତଳକୁ ଚାଲିଯାଏ । ଯଦ୍ଦ୍ୱାରା ସେ ଶୀଘ୍ର ତଳକୁ ପଡ଼ି ନଯାଇ ପବନରେ ପହଁରି ପହଁରି ଗଲାଭଳି ଜଣା ପଡ଼ୁଥିଲା । ତଳେ ଥିବା କବର ହେଉଛି ଗୋଟାଏ ଅଣ୍ତର ଗ୍ରାଉଣ୍ତ....କବର ଉପରେ ଏକ ଢାଂକୁଣୀ ରହିଛି । ସେଇ ଢାଙ୍କୁଣୀ ଭିତର ଦେଇ ସେ ଅଦୃଶ୍ୟ ହୁଏ । କିଂତୁ ବାହାରକୁ ତାହା ଠିକ୍ ଏକ କବର ଭଳି ।

 

ଆଉ ବାକି ଆପଣଂକର ତିନି ମହଲା କୋଠା ଉପରୁ ଡେଇଁବା ପ୍ରଶ୍ନର ଉତ୍ତର ହେଉଛି–ସେ ସ୍ପ୍ରିଂଗ୍ ଦିଆ ରବର ଜୋତା ପିନ୍ଧି ଡେଇଁଥିଲା । ଯଦ୍ଦ୍ୱାରା ତା’ ଶରୀରର କୌଣସି କ୍ଷତି ହୋଇ ନାହିଁ ।

 

ସୌମିତ୍ର ମୁଣ୍ତ ଘୁରି ଯାଉଥିଲା । ଏ ଚକ୍ରାନ୍ତ ସଂବଂଧରେ ଧାରଣା ବି କରିପାରୁ ନଥିଲା-। ପୁଣି ପଚାରିଲା-ତେବେ ଆପଣ କେମିତି ସେ ମୋଠାରୁ ଉଇଲ୍ ଲେଖାଇ ନେଲାବେଳକୁ ଜାଣି ପାରି ପହଞ୍ଚି ପାରିଲେ ?

 

ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ମୁଁ ସେଇ କାଗଜ ଓ ରୁମାଲ ପାଇବା ପରଠାରୁ ସୁମନ୍ତର ସମସ୍ତ ଗତିବିଧି ପ୍ରତି ଦୃଷ୍ଟି ଦେଇ ଆସୁଥିଲି । ଗତ ରାତ୍ରିରେ ଠିକ୍ ସେଇ ଘଟଣା ଘଟିଲା । କିଂତୁ ମୁଁ ଆପଣଂକ କୋଠାରୁ ଆଉ ଗୋଟାଏ ଲାସ୍ ପାଇଛି ।

 

ଲାସ୍... ! ସମସ୍ତଙ୍କ ମୁହଁରେ ବିସ୍ମୟ ଓ ଉତ୍‍କଣ୍ଠାର ଭାବ ।

 

ହଁ, ଲାସ । ତାହା ସୌମିତ୍ରଙ୍କ ପତ୍ନୀଙ୍କ ଆତ୍ମା ମଧୁମିତାର । ସେ ଆତ୍ମା ବା ଛାୟା ମଧୁମିତା ନୁହନ୍ତି ବରଂ ସଂଜୟର ପତ୍ନୀ ଉର୍ମି ।

 

ସଂଜୟ କ’ଣ ଜୀବିତ ? ଆଶ୍ଚର୍ଯ୍ୟସୂଚକ କଣ୍ଠରେ ପ୍ରଶ୍ନ କଲା ସୌମିତ୍ର ।

 

ହଁ ଥିଲା । ବର୍ତ୍ତମାନ ଅବଶ୍ୟ ଅଳ୍ପକେଇ ଘଣ୍ଟା ହେଲା ମୃତ । ତାହାରି ତ ଏ ଷଡ଼ଯନ୍ତ୍ର ଭିତରେ ମୁଖ୍ୟ ଅଭିନୟ ରହିଛି । ଅନୁପସିଂ କହିଲେ–କବର ଖୋଳିବା ବୃଦ୍ଧକୁ ମାରି ତା’ରି ସ୍ଥାନରେ ଏ ନିଜକୁ ରଖି ନିଜ ପତ୍ନୀର ସାହାଯ୍ୟରେ ଏ ଷଡ଼ଯନ୍ତ୍ର ଆରମ୍ଭ କଲା । କିନ୍ତୁ ବିଚରା ସୁମନ୍ତଙ୍କ ହସ୍ତରେ ପ୍ରାଣ ହରାଇଲା ।

 

ସମସ୍ତେ ବିସ୍ମୟ ଚକିତ ହୋଇ ଶୁଣୁଥାନ୍ତି ।

 

ହଁ, ଆଉ ଗୋଟାଏ କଥା–ଡି.ଏସ୍.ପି. ପଚାରିଲେ–ଉର୍ମିକୁ ତେବେ ମାରିଲା କିଏ ?

 

ମୀନା.....ସୁମନ୍ତର କଲେଜ ପ୍ରେମିକା । ସୁମନ୍ତକୁ ପଥଭ୍ରଷ୍ଟ କରାଇଛି ସେ । ଉଭୟଙ୍କ ମଧ୍ୟ ଦୈହିକ ସମ୍ୱନ୍ଧ ରହିଥିଲା । ବିଶେଷତଃ ପୁରୁଷର ଦୁର୍ବଳତା ହେଉଛି ନାରୀ....ସେ ଦୃଷ୍ଟିରୁ ସୁମନ୍ତ ଭଳି କର୍ତ୍ତବ୍ୟନିଷ୍ଠ, ଧର୍ମପରାୟଣ ବ୍ୟକ୍ତି ମଧ୍ୟ ଏତେ ବଡ଼ ବଡ଼ ଅପରାଧ ସ୍ତରକୁ ଖସିଯାଇ ପାରିଲା ।

 

ତେବେ ମୀନା ଓ ସୁମନ୍ତଙ୍କ ଉପରେ ଆପଣଂକ ଧରଣା କ’ଣ ?

 

ଆଉ ତ କିଛି ବାକି ନାହିଁ । ମସ୍ତବଡ଼ ଅପରାଧ କରିଛନ୍ତି ସେମାନେ । ଅନୁପସିଂ କହୁଥିଲେ ।

 

ସୌମିତ୍ର ମନ ଭିତରଟା ଭୀଷଣ ବିରକ୍ତିରେ ଭରି ଉଠୁଥିଲା । ହୃଦୟଟା ବିଷାକ୍ତ ହୋଇ ଯାଇଥିଲା । ନାରୀ ଏତେ ଘୃଣ୍ୟ, ହୀନ ହୋଇପାରେ ସେ ସ୍ୱପ୍ନରେ ବି କେବେ ଭାବି ପାରୁ ନଥିଲା-

 

‘ଧନରତ୍ନ’ ଆଉ ‘ସ୍ତ୍ରୀ’ ଏ ଦୁଇଟା ଜିନିଷ ସବୁବେଳେ ମଣିଷ ପଥରେ କଣ୍ଟକ ହୋଇ ଆସିଛି । ମଣିଷକୁ ପଥଭ୍ରଷ୍ଟ କରିଛି ଶାନ୍ତ ସରଳ ଜୀବନକୁ ବିଭଙ୍ଗ ବିକଳାଙ୍ଗ କରି ତୋଳିଛି । ଆଉ ଦେଇଛି ନର୍କର ଯନ୍ତ୍ରଣା....

 

ଏଥର ଅନୁପସିଂ ସମ୍ୱାଦପତ୍ରର ମୁଖ୍ୟ ଅଂଶ ଗୁଡ଼ାକରେ ଆଖି ପକାଇ ଚାଲିଥାନ୍ତି । ଦେଖିଲେ–“ଆଡ଼ଭୋକେଟ ସୁମନ୍ତ କୁମାରଙ୍କ ଅଦାଲତ ଭିତରେ ଆତ୍ମହତ୍ୟା....”

 

ରଖିଦେଲେ ପେପରଟାକୁ । ଚିନ୍ତା କରୁଥିଲେ କୌଣସି ଏକ ବିଶିଷ୍ଟ କଥା ନେଇ । ଖିଆଲ ହେଲା–

 

ତେବେ ମୀନା.....

Image